କନକ ବ୍ୟୁରୋ, ଡହଡ଼ହ ଖରାରେ କାମ କରୁଛନ୍ତି ଶ୍ରମିକ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ସୁରକ୍ଷା ପାଇଁ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କଟକ ସହରରେ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି ।
ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ବଡ଼ ମେଡିକାଲର ନୂଆ ବିଲଡିଂ ନିର୍ମାଣର କାମ ଚାଲିଥିବା ସମୟରେ । ଟାଣଖରାରେ ଜୀବନକୁ ବାଜିରେ ଲଗାଇ ଶ୍ରମିକମାନେ କାମ କରୁଛନ୍ତି । କୌଣସି ସମୟରେ କିଛି ଅଘଟଣ ଘଟିଲେ କିମ୍ବା ଅଂଶୁଘାତରେ କାହାର ଜୀବନ ଗଲେ କିଏ ଦାୟୀ ରହିବେ? ନିର୍ମାଣ କାମ ହେଉ କି ରାସ୍ତା ତିଆରି ଓ ମରାମତି, ସବୁଠି ଟାଣଖରାରେ ଶ୍ରମିକମାନେ କାମ କରୁଥିବା ଦେଖିବାକୁ ମିଳୁଛି ।
ପ୍ରବଳ ଗ୍ରୀଷ୍ଣ ପ୍ରବାହ ସମୟରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ ନଲଗାଇବା ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି । ଅବମାନନା ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ କଟକ ସହରରେ ଏହି ନିର୍ଦ୍ଦେଶ ପ୍ରହସନ ପାଲଟିଛି । ଟାଣଖରାରେ ଶ୍ରମିକମାନେ କାମ କରୁଛନ୍ତି । ଶ୍ରମିକମାନେ ପରିବାର ଚଳାଇବା ପାଇଁ ବାଧ୍ୟ ହୋଇ ଟାଣଖରାରେ କାମ କରୁଛନ୍ତି । କିନ୍ତୁ ସରକାରୀ କାମରେ ସରକାରୀ ନିୟମ ଉଲ୍ଲଂଘନ କରି ଶ୍ରମିକଙ୍କୁ ଟାଣଖରାରେ କାମରେ ଲଗାଇବା କେତେଦୂର ସମୀଚୀନ?