କନକବ୍ୟୁରୋ : ବର୍ଷ ବର୍ଷ ହେଲା ଦାଦନ ଗଡର ଦୁର୍ନାମ ମୁଣ୍ଡାଇଛି ବଲାଙ୍ଗିର ଜିଲ୍ଲା । କେବେ ବଲାଙ୍ଗିର ମୁଣ୍ଡରୁ ହଟିବ ଦାଦନ ଗଡ଼ର ଟ୍ୟାଗ୍। ଦାଦାନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା । କିନ୍ତୁ ଏହି ଯୋଜନା ସତ୍ୱେ ଦାଦନ ସମସ୍ୟା ବର୍ଷକୁ ବର୍ଷ କମିବା ବଦଳରେ ବଢ଼ିବଢ଼ି ଚାଲିଛି। ଏଥିପାଇଁ ଦାୟୀ କିଏ ! ଆଉ କିଛି ଦିନ ପରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ। ନୂଆ ଖାଇବା ପରେ ଆରମ୍ଭ ହେବ ଦାଦନ ଚାଲାଣ । ନୂଆ ସରକାର ଆସିବା ପରେ ଏହାକୁ ରୋକିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ତେବେ ଚଳିତବର୍ଷ ଜଣାପଡିବ ସତରେ ସରକାରଙ୍କ ଦାଦନ ରୋକିବା ଉଦ୍ୟମ ସଫଳ ନା ବିଫଳ ।
ବର୍ଷ କୁ ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ ଶ୍ରମିକ ରାଜ୍ୟ ବାହାରକୁ କାମ କରିବା ପାଇଁ ଯାଇଥାନ୍ତି । ଶିଳ୍ପବିହୀନ ଜିଲ୍ଲା ହୋଇଥିବାରୁ କାମ ଧନ୍ଦାର ବ୍ୟବସ୍ଥା ନାହିଁ । ଫଳରେ ପେଟପଟଣା ପାଇଁ ଶ୍ରମିକମାନେ ପରିବାରକୁ ନେଇ ରାଜ୍ୟ ବାହାରକୁ ଯାଇଥାନ୍ତି । ବଲାଙ୍ଗିର ଜିଲ୍ଲାର ବେଲପଡା, ତୁରେକେଲା, ଖପ୍ରାଖୋଲ, ବଙ୍ଗୋମୁଣ୍ଡା, ପାଟଣାଗଡ, ଦେଓଗାଁ ଅଂଚଳରୁ ଅଧିକ ସଂଖ୍ୟାରେ ଶ୍ରମିକ ବାହାରକୁ ଯାଇଥାନ୍ତି ।
ଅନେକ ଶ୍ରମିକଙ୍କ ମୃତ୍ୟୁ ଖବର ମଧ୍ୟ ଆସିଥାଏ । କିଛି ନିର୍ଯ୍ୟାତନାର ଶୀକାର ହୋଇଥାନ୍ତି ତ ଆଉ କିଛି ଅକର୍ମଣ୍ୟ ହୋଇ ଘରକୁ ଫେରନ୍ତି। ଏହି ସବୁ ପ୍ରସଙ୍ଗ କେବଳ ରାଜନେତାଙ୍କ ରାଜନୈତିକ ଏଜେଣ୍ଡାରେ ସୀମିତ ହୋଇ ରହିଛି । ଶ୍ରମ ବିଭାଗ ପକ୍ଷରୁ ମଧ୍ୟ ଦାଦନ ଶ୍ରମିକଙ୍କୁ ରୋକିବା ପାଇଁ କୌଣସି ଉଦ୍ୟମ କରୁନଥିବା ଅଭିଯୋଗ ହୋଇଛି। ଏପରିକି ବିଭାଗ ପାଖରେ କେଉଁ ଅଞ୍ଚଳରୁ କେତେ ଶ୍ରମିକ ବାହାରକୁ ଯାଉଛନ୍ତି ? କେତେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ? କେତେ ନିଖୋଜ ଅଛନ୍ତି ? ଏନେଇ କୌଣସି ବି ସୂଚନା ଶ୍ରମ ବିଭାଗ ପାଖରେ ନଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ସୂଚନା ଅଧିକାରି କର୍ମୀ ନୀଲମଣି ଯୋଷୀ ।