କନକବ୍ୟୁରୋ :  ମଧ୍ୟପ୍ରଦେଶ ର ଇନ୍ଦୋରରେ ଦୂଷିତ ପାନୀୟ ଜଳ ପାଇଁ ହିଁ ଡାଇରିଆ ବ୍ୟାପିଛି ଏବଂ ୧୪ ଜଣଙ୍କ ଜୀବନ ଯାଇଛି।  ଗତ ୮ ବର୍ଷ ଧରି ଇନ୍ଦୋର ଭାରତର ସବୁଠାରୁ ସ୍ବଚ୍ଛ ସହର ହୋଇଥିଲେ ସୁଦ୍ଧା ଇନ୍ଦୋରରେ ଏହି ଦୂଷିତ ଜଳ ଯୋଗାଣ ସମସ୍ୟା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଇତିମଧ୍ୟରେ ଲ୍ୟାବ୍‌ ରିପୋର୍ଟ ମଧ୍ୟ ସ୍ପଷ୍ଟ କରିଛି ଯେ ଇନ୍ଦୋରରେ ପାଇପ୍‌ଲାଇନ୍‌ ଲିକେଜ୍‌ ଯୋଗୁ ପାନୀୟ ଜଳରେ ନର୍ଦ୍ଦମା  ଜଳ ମିଶି ଏହା ଦୂଷିତ ହୋଇଛି ।  ଏହି କାରଣରୁ ନର୍ଦ୍ଦମାର ଜୀବାଣୁ ପାନୀୟ ଜଳରେ ଠାବ ହୋଇଛି। ଇନ୍ଦୋରର ମୁଖ୍ୟ ମେଡିକାଲ ଏବଂ ସ୍ବାସ୍ଥ୍ୟ ଅଫିସର ଡାକ୍ତର ମାଧବ ପ୍ରସାଦ ହସାନି କହିଛନ୍ତି ଯେ ସହରର ଏକ ମେଡିକାଲ କଲେଜ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଲ୍ୟାବ୍‌ ରି‌ପୋର୍ଟ ସ୍ପଷ୍ଟ କରିଛି ଯେ ଭାଗିରଥପୁର ଅଞ୍ଚଳରେ ପାନୀୟ ଜଳ ଦୂଷିତ ହୋଇଛି ।  

Advertisment

ଆଜି ଦୃଶ୍ୟମାନ ହେବ ଶତାବ୍ଦୀର ବିରଳ ସୁପରମୁନ୍, ଦୀର୍ଘ ୧୧୩ ବର୍ଷ ପରେ ଘଟିବ ବିରଳ ସଂଯୋଗ

ଅଧିକାରୀମାନେ କହିଛନ୍ତି, ଭାଗୀରଥପୁରର ଏକ ପୁଲିସ ଫାଣ୍ଡି ନିକଟରେ ଥିବା ମୁଖ୍ୟ ପାନୀୟ ଜଳ ଯୋଗାଣ ପାଇପ୍‌ଲାଇନରେ ଲିକେଜ୍‌ ଥିଲା ଯାହା ଉପରେ ଏକ ପାଇଖାନା ନିର୍ମାଣ ହୋଇଥିଲା।  ଏହି ଲିକେଜ୍‌ ପାଇଁ ଉକ୍ତ ଅଞ୍ଚଳରେ ଜଳ ସଂକ୍ରମିତ ହୋଇଛି। ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ଦୁବେ କହିଛନ୍ତି,  ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ଭାଗିରଥପୁର ଅଞ୍ଚଳରେ ଲୋକମାନଙ୍କୁ ଗୁରୁବାର ସ୍ବଚ୍ଛ ପାନୀୟ ଜଳ ଯୋଗାଣ କରାଯାଇଛି ।

ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ସରକାର
ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଦୁଇ ବରିଷ୍ଠ ଅଧିକାରୀଙ୍କୁ ହଟାଗଲା

ଇନ୍ଦୋର ଦୂଷିତ ଜଳଯୋଗାଣଜନିତ ମୃତ୍ୟୁ  ମାମଲା ରେ ଏକ ଜନସ୍ବାର୍ଥ ଆବେଦନର ଶୁଣାଣି କରି ମଧ୍ୟପ୍ରଦେଶ ହାଇକୋର୍ଟ ପୌର ନିଗମକୁ ଅତିରିକ୍ତ ଜଳ ଟ୍ୟାଙ୍କର ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିୟମିତ  ସ୍ବଚ୍ଛ ପାନୀୟ ଜଳ ଯୋଗାଣ  ଏବଂ ପ୍ରଭାବିତଙ୍କୁ ଉତ୍ତମ ଚତ୍କିତ୍ସା ପ୍ରଦାନ କରିବାପାଇଁ ଜଷ୍ଟିସ ଦ୍ବାରକାଧୀଶ ବଂସଲ ଏବଂ  ଜଷ୍ଟିସ ରା‌ଜେନ୍ଦ୍ର କୁମାର ପୌର ନିଗମ ଏବଂ ରାଜ୍ୟ ସକରାରଙ୍କୁ କହିଛନ୍ତି ।  

ଖଣ୍ଡପୀଠ କହିଛନ୍ତି,  ଯଦି ଲୋକମାନେ ପାଣି ପାଇଁ ମରିବେ ତେବେ ଏହା ଆମର ଏକ ବିରାଟ ବିଫଳତା ।  ଶୁଣାଣି ସମୟରେ ଆଇନଜୀବୀ ମୋହନ ସିଂହ ଚନ୍ଦେଲ ଦାବି କରିଥିଲେ ଯେ ସେ ଘଟଣାସ୍ଥଳକୁ ଯାଇଥିଲେ ଏବଂ ଏବେ ବି ଲୋକଙ୍କ ସ୍ବଚ୍ଛ ପାନୀୟ ଜଳ ଯୋଗାଣ କରାଯାଇ ନାହିଁ ।  ଶୁଣାଣି ସମୟରେ ଉଭୟ ରାଜ୍ୟ ସରକାର ଏବଂ ଇନ୍ଦୋର ପୌର ନିଗମ ସେମାନଙ୍କ ଜବାବ ଦାଖଲ କରିଛନ୍ତି ।

ଆଜି ସରକାରଙ୍କ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ଷ୍ଟାଟସ ରିପୋର୍ଟରେ ସଂକ୍ରମିତ ପାଣି ପାଇଁ କେତେ ମୃତ୍ୟୁ ହୋଇଛି ଏବଂ କେତେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ସେ ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି ।  କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୬ ତାରିଖରେ ରଖିଛନ୍ତି । ଇତିମଧ୍ୟରେ ଇନ୍ଦୋର ପୌର ନିଗମ କମିସନର ଏବଂ ଅତିରିକ୍ତ କମିସନରଙ୍କୁ ଏହି ମାମଲାରେ ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ସେମାନଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି ।