କନକ ବ୍ୟୁରୋ : ସରିଯାଇଥିବ ଦୁର୍ଗା ପୂଜା । ଲକ୍ଷ୍ମୀ ପୂଜା ଓ ଦୀପାବଳିକୁ ନେଇ କିନ୍ତୁ ଏବେଠୁ ବଢ଼ିଲାଣି ଚିନ୍ତା । କାରଣ, ଅକ୍ଟୋବର ଆଣିପାରେ ବଡ଼ ବାତ୍ୟା । ଲା-ନିନାର ସକ୍ରିୟତା ଏମିତି ଡରାଇଲାଣି । ଓଡ଼ିଶାର ବାତ୍ୟା ଇତିହାସ ପୃଷ୍ଠାକୁ ଓଲଟାଇ ପାଣିପାଗ ବିଜ୍ଞାନୀ କହୁଛନ୍ତି, ଯେତେବେଳେ ଲା-ନିନା ସକ୍ରିୟ ହୋଇଛି, ଓଡ଼ିଶା ବାତ୍ୟାକୁ ସାମ୍ନା କରିଛି ।

Advertisment

ଫେରିଯିବାକୁ ବସିଛି ମୌସୁମୀ । ଏହା ଯେତିକି ଆଶ୍ୱସ୍ତ କରୁନି, ତା’ ଠୁ ଅଧିକ ଡରାଇଲାଣି । ଏଇଥିପାଇଁ ଯେ ଏଥର ଅକ୍ଟୋବରରୁ ଡିସେମ୍ବର ଯାଏଁ ପ୍ରଶାନ୍ତ ମହାସାଗର ଜଳବାୟୁରେ ସକ୍ରିୟ ରହିବ ଲା-ନିନା । ପଶ୍ଚିମ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିବାରୁ ପାଣିପାଗ ଜନିତ ଅସ୍ଥିରତା ବଢ଼ିବ । ପାଣିପାଗ ବିଜ୍ଞାନୀଙ୍କର ଏଭଳି ଆକଳନ ପରେ ବଙ୍ଗୋସାଗରରେ ବାତ୍ୟା ଭୟ ବଢ଼ିଛି । ଦିନେ କି ମାସେ ନୁହେଁ, ଆସନ୍ତା ତିନିମାସ ଓଡ଼ିଶା ପାଇଁ ସମୁଦ୍ର ଆଡ଼ୁ ଆସିପାରେ ଭୀଷଣ ବିପଦ । ଉପକୂଳର ଯେ କୌଣସି ସ୍ଥାନକୁ ଛୁଇଁପାରେ ବାତ୍ୟା । ପାଣିପାଗ ବିଜ୍ଞାନୀ ପାଦେ ଆଗକୁ ଯାଇ କହିଲେଣି, ବଙ୍ଗୋପସାଗରରେ ମୌସୁମୀ ପରବର୍ତ୍ତୀ ସମୟରେ ଆଣ୍ଡାମାନ ସାଗର ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ୩୧ ଡିଗ୍ରି କିମ୍ବା ଅଧିକ ରୁହେ । ପରିଣାମରେ ଏସବୁ ଅଞ୍ଚଳ ବାତ୍ୟା ସୃଷ୍ଟି ପାଇଁ ଅଧିକ ସମ୍ବେଦନଶୀଳ ହୋଇପଡ଼ନ୍ତି ।

ଏହି ତିନିମାସରେ ପ୍ରଶାନ୍ତ ମହାସାଗର କିମ୍ବା ଚାଇନା ସାଗରରେ ସୃଷ୍ଟି ବାତ୍ୟା କିମ୍ବା ଲଘୁଚାପର ଅବଶିଷ୍ଠାଂଶ ବଙ୍ଗୋପସାଗରରେ ପ୍ରବେଶ କଲେ ବାତ୍ୟା ସୃଷ୍ଟି ପାଇଁ ସୁଯୋଗ ବଢ଼ିଯାଏ । ଏଥର ଏଭଳି ପରିସ୍ଥିତି ବାରମ୍ବାର ସୃଷ୍ଟି ହୋଇପାରେ । ଓଡ଼ିଶା ବାତ୍ୟା ଇତିହାସ ବି ପାଣିପାଗ ବିଜ୍ଞାନୀଙ୍କ ଏଭଳି ଆଶଙ୍କାକୁ ବଳ ଦେଉଛି । ଲା-ନିନା କେବଳ ଓଡ଼ିଶାକୁ ନୁହେଁ, ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ଉପକୂଳ ପାଇଁ ବି ବିପଦ ଆଣିପାରେ ।