କନକ ବ୍ୟୁରୋ : ଖାଦ୍ୟରେ ତଟକା ସବୁଜ ପନିପରିବା ସାମିଲ କରିବା ଦେହ ପାଇଁ ବହୁତ ଭଲ । ଡାକ୍ତର ମଧ୍ୟ ଆମିଷ ଖାଇବାକୁ ମନା କରି ଅଧିକରୁ ଅଧିକ ସବୁଜ ପରିବା ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି । ତେବେ ସବୁ ଋତୁରେ ଭିନ୍ନ ଭିନ୍ନ ପରିବା ବଜାରକୁ ଆସିଥାଏ । ଯାହା ପୋଷକ ତତ୍ତ୍ବରେ ଭରପୂର ରହିବା ସହ ଦେହ ପାଇଁ ମଧ୍ୟ ଭଲ ହୋଇଥାଏ । କିନ୍ତୁ ଆଜିକାଲିର ଫାଷ୍ଟଫୁଡ୍ ଜୀବନଶୈଳୀ ଭିତରେ ଆମେ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧାର ଶିକାର ହୋଇଥାଉ । କମ୍ ବୟସରୁ ହିଁ ଡାଏବେଟିସ୍ ,କିଡନି ସମ୍ବନ୍ଧୀୟ ରୋଗ ଏବଂ ଫୁସଫୁସ୍ ରୋଗରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ପ୍ରତିଘରେ ବଢ଼ି ବଢ଼ି ଚାଲିଛି । ତେବେ ଏମ୍ସର ପୂର୍ବ କଲସଲଟାଣ୍ଟ୍ ତଥା ସାଓଲ ହାର୍ଟ ସେଣ୍ଟରର ଫାଉଣ୍ଡର ଡକ୍ଟର ବିମଳ ଝାଞ୍ଜର ଏହି ସବୁ ରୋଗ ସହ ମୁକାବିଲା କରିବା ପାଇଁ ଏମିତି ଏକ ପରିବା ବିଷୟରେ କହିଛନ୍ତି ଯାହା ସମସ୍ତଙ୍କୁ ପ୍ରାୟତଃ ଭଲ ଲାଗେ । 

Advertisment
kunduri
kunduri Photograph: (Google)

ସାଧାରଣ ଲାଗୁଥିବା ପରିବାଟି ସମସ୍ତଙ୍କ ଘରେ ପ୍ରସ୍ତୁତ ହୁଏ କିନ୍ତୁ ଏହାର ଉପକାରିତା ବିଷୟରେ ପ୍ରାୟତଃ ଲୋକ ଜାଣିନଥିବେ । ଏହି ପରିବାଟି ହେଉଛି କୁନ୍ଦୁରି । କେବଳ ଖାଇବାକୁ ସୁଆଦିଆ ନୁହେଁ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ମହୌଷଧିର କାମ କରେ । ଓଜନ କମାଇବାଠାରୁ ଆରମ୍ଭ କରି ସୁଗାର୍ କଣ୍ଟ୍ରୋଲ୍ କରିବା,ଖାଦ୍ୟ ହଜମ କରିବା,ହାଡ଼କୁ ମଜଭୁତ କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ଅର୍ଥାତ ଟକ୍ସିନକୁ ମଧ୍ୟ ବାହାର କରିବାରେ ସାହାଯ୍ୟ କରେ କୁନ୍ଦୁରି । ଏହି ପରିବାରେ ଡାଇଟରି ଫାଇବର୍ ଭରପୁର ପରିମାଣରେ ରହିଥାଏ ଯେଉଁଥିରେ ବ୍ଲଡ୍ ସୁଗାର ଲେବଲ୍ କମ୍ ହୋଇଥାଏ । ଡାଏବେଟିସ୍ ରୋଗୀଙ୍କ ପାଇଁ ଏହି ପରିବାଟି ଖୁବ୍ ଲାଭଦାୟକ । ଗ୍ଲାଇସେମିକ ଇଣ୍ଡେକ୍ସ କାରଣରୁ ଏହା ସୁଗାରର ଲେବଲକୁ ଅବଶୋଷଣ କରି ଧିରେ ଧିରେ ଶରୀରରେ ଏନର୍ଜି ସୃଷ୍ଟି କରେ ।   

ଆଜିର ସମୟରେ ଅସ୍ବାସ୍ଥ୍ୟକର ଖାଦ୍ୟପେୟ କାରଣରୁ ପେଟ ଫୁଲିବା , ଏସିଡିଟି ଭଳି ସମସ୍ୟା ପ୍ରତିଦିନ ଦେଖାଯାଏ । କୁନ୍ଦୁରିରେ ଥିବା ତତ୍ତ୍ବ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିବା ସହ ଏସିଡିଟିକୁ କମାଇବାରେ ସହାୟକ ହୁଏ । ଏହି ପରିବା ଓଜନ ବଢ଼ାଇବା ସମସ୍ୟାକୁ ମଧ୍ୟ କମାଇଥାଏ । କମ୍ କ୍ୟାଲୋରିର ଏହି ପରିବା ପେଟ ଭର୍ତ୍ତି କରିବାରେ ସାହାଯ୍ୟ କରେ ତେଣୁ ଓଜନ କମାଇବାରେ ସହାୟକ ହୁଏ । ଓଜନ କମାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଖାଦ୍ୟରେ କୁନ୍ଦୁରି ସାମିଲ କରନ୍ତୁ । ଏହା ଶରୀରକୁ ଭାରି କରିବା ବଦଳରେ ପୋଷକ ତତ୍ତ୍ବ ପହଞ୍ଚାଇବ । କୁନ୍ଦୁରିରେ କ୍ୟାଲସିୟମ , ଆଇରନ୍ , ଭିଟାମିନ୍-ସିର ମାତ୍ରା ଅଧିକ ଥିବାରୁ ଏହା ଦାନ୍ତ ଏବଂ ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ । ବୟସ୍କ ବ୍ୟକ୍ତିବିଶେଷଙ୍କୁ ଖାଦ୍ୟରେ କୁନ୍ଦୁରି ସାମିଲ କରିବା ଆବଶ୍ୟକ । ଏହାଛଡ଼ା ଆମେ ପ୍ରତିଦିନ ଖାଉଥିବା ତେଲ , ମସଲା ଭଳି ଟକ୍ସିନ ପଦାର୍ଥ ଶରୀରକୁ ଏକପ୍ରକାର ଅଳିଆଗଦା କରିଦେଇଥା’ନ୍ତି । ଏହି ଟକ୍ସିନ ପଦାର୍ଥକୁ କୁନ୍ଦୁରି ଶରୀରରୁ ବାହାର କରିବାରେ ସାହାଯ୍ୟ କରେ ।