କନକ ବ୍ୟୁରୋ : ବିବାଦ ବଢ଼ିବାରେ ପରେ ସୋସିଆଲ ମିଡିଆରେ ୪ ଫର୍ଦ୍ଦ ଲେଖା ପୋଷ୍ଟ କରି ପୁଣି ଥରେ ପ୍ରତିକ୍ରିୟା ରଖିଛନ୍ତି ଷ୍ଟାଣ୍ଡଅପ କମେଡିଆନ କୁନାଲ କାମରା । ୪ଟି ଫର୍ଦ୍ଦରେ ୪ଟି କଥାକୁ ଗୁରୁତ୍ବ ଦେଇଛନ୍ତି । ବାକ୍ ସ୍ବାଧୀନତା ଆମ ଅଧିକାର, ଷ୍ଟୁଡିଓ ଭଙ୍ଗାଯିବା ଉଚିତ ନଥିଲା, କୋର୍ଟଙ୍କ ନିର୍ଦ୍ଦେଶ ବିନା କ୍ଷମା ମାଗିବନି, ଲୁଚିବିନି କି ଭୟଭୀତ ହେବେନି ।  ୩ଦିନ ଧରି ବିବାଦ ବଢ଼ିବା ପରେ ଏବେ ନିଜ ଆଭିମୁଖ୍ୟକୁ ସେ ସ୍ପଷ୍ଟ କରିଛନ୍ତି । ସେପଟେ ମୁମ୍ବାଇ ପୁଲିସ ନୋଟିସ ଜାରି କରି ମୁମ୍ବାଇ ଖାରା ଥାନାରେ ହାଜର ହେବାକୁ କହିଥିଲେ ବି ଅନୁପସ୍ଥିତ ଦର୍ଶାଇ ପହଞ୍ଚିନଥିଲେ କଳାକାର ।

Advertisment

ସେପଟେ କୁନାଲଙ୍କ ସପକ୍ଷରେ ଓ ବିପକ୍ଷରେ କଳା ଓ ରାଜନୀତି ଦୁନିଆ ଦୁଇ ଭାଗରେ ବିଭକ୍ତ ହେଲାଣି । ୨୫ବର୍ଷ ପୁରୁଣା ଘଟଣା ମନେ ପକାଇ ଶିବସେନା ତାଙ୍କୁ କିଭଳି ଜୋରଜବରଦସ୍ତ କ୍ଷମା ମଗାଇଥିଲା, ମୁହଁରେ କଳା ବୋଲିଥିଲା ସେକଥା କହି କୁନାଲଙ୍କୁ ସମର୍ଥନ ଜଣାଇଛନ୍ତି ନିର୍ମାତା ହଂସଲ ମେହେତା । ସେହିପରି ଅଭିନେତ୍ରୀ କଙ୍ଗନା ରାଣାୱତ କୁନାଲଙ୍କ ଉପରେ ତୀବ୍ର ଆକ୍ରୋଶ ପ୍ରକାଶ କରି ସମାଲୋଚନା କରିଛନ୍ତି । କେବଳ ସେତିକି ନୁହେଁ ଘଟଣାକୁ ନେଇ ଦେଖିବାକୁ ମିଳିଛି ମହାୟୁତି ବନାମ ମହାବିକାଶ ଅଘାଡି ।

ଘଟଣାକୁ ୩ଦିନ ବିତିଯାଇଛି । ଏକନାଥ ସିନ୍ଦେଙ୍କୁ ଦେଶଦ୍ରୋହୀ କହିବା ପରେ ତାତି ଉଠିଛନ୍ତି ଉପମୁଖ୍ୟମନ୍ତ୍ରୀ ସମର୍ଥକ । ତେଣୁ କୌଣସି ପରିସ୍ଥିତିରେ ବି କୁନାଲ କ୍ଷମା ମାଗିବା ନେଇ ଜିଦରେ ସମର୍ଥକ । ଏପରିକି ଯେଉଁଠି କଳାକାର ନଜର ଆସିବେ ସେଠି ଉଚିତ ଜବାବ ଦିଆଯିବ ବୋଲି ବାରମ୍ବାର ଧମକ ଦେଉଛନ୍ତି  ।

ମୁମ୍ବାଇ ଦି ହାବିଟାଟ ଷ୍ଟୁଡିଓରେ ଆୟୋଜିତ କାର୍ଯ୍ୟକ୍ରମରେ କୁନାଲ ବ୍ୟଙ୍ଗାତ୍ମକ ଗୀତ ଗାଇ ପରୋକ୍ଷରେ ଏକନାଥ ସିନ୍ଦେଙ୍କୁ କଟାକ୍ଷ କରିବା ସହ ଦେଶଦ୍ରୋହୀ କହିଥିଲେ । ଏହାପରେ ଉଠିଥିଲା ପଡିଥିଲା ମୁମ୍ବାଇ । ସିନ୍ଦେଙ୍କ ସମର୍ଥକ ଷ୍ଟୁଡିଓରେ ପଶି ବଡ଼ଧରଣର ଭଙ୍ଗାରୁଜା କରିଥିଲେ । ପରେ ବେଆଇନ ନିର୍ମାଣ ଦର୍ଶାଇ ଯେଉଁ ବିଲଡିଂରେ ଷ୍ଟୁଡିଓ ରହିଛି ତାର କିଛି ଭାଗକୁ ଭାଙ୍ଗିଛି ବିଏମସି । ତେବେ ଘଟଣା ଆଗକୁ କେଉଁ ରୂପ ନେଉଛି ତା ଉପରେ ନଜର ରହିବ ।