କନକ ବ୍ୟୁରୋ: ଦର୍ଶକଙ୍କ ମନୋରଞ୍ଜନ କରିବା ଭିତରେ ହୁଏତ କୁନାଲ କାମରା ଜାଣିପାରିନଥିଲେ ନିଜ ସୀମା । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପରୋକ୍ଷରେ ଦେଶଦ୍ରୋହୀ କହିବା ଓ କଟାକ୍ଷ କରିବା ଘଟଣା ଏବେ କମେଡିଆନଙ୍କୁ ଭାରିପଡିଲାଣି । ମହାରାଷ୍ଟ୍ରଠୁ ନେଇ ଦିଲ୍ଲୀ ଏବେ କୁନାଲଙ୍କୁ ଜୋରଦାର ବିରୋଧ କରାଯାଉଛି । ଏପରିକି ଶିବସେନା ସିନ୍ଦେ ଗୋଷ୍ଠୀ ତାଙ୍କ ନାଁରେ ଏଫଆଇଆର ରୁଜୁ କରିବା ସହ ଗିରଫ ଦାବି କରିଛି । 
 
ସେପଟେ ମୁମ୍ବାଇ ସ୍ଥିତ ଦ ୟୁନିକଣ୍ଟିନେଣ୍ଟାଲ ବିଲଡିଂରେ ପହଁଚିଛି ବିଏମସି । ଏଠାରେ ରହିଛି ହାବିଟାଟ ଷ୍ଟୁଡିଓ, ଯେଉଁଠି କାମରାଙ୍କ ଶୋ ଆୟୋଜିତ ହୋଇଥିଲା । ତେବେ ବିଲଡିଂର ନିର୍ମାଣରେ ବେଆଇନ ଦର୍ଶାଇ କିଛି ଭାଗକୁ ମାଟିରେ ମିଶାଇଛି ବିଏମସି । ସେପଟେ ଏକନାଥ ସିନ୍ଦେଙ୍କୁ ଷ୍ଟାଣ୍ଡଅପ୍‌ କମେଡିଆଙ୍କ ବୟାନକୁ ନେଇ ଦେଖିବାକୁ ମିଳିଛି ମହାୟୁତି ବନାମ ମହାବିକାଶ ଅଘାଡି । 

Advertisment

କୁନାଲ କାମରା ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ମହାରାଷ୍ଟ୍ର ରାଜନୀତି ପ୍ରସଙ୍ଗକୁ ନେଇ ବ୍ୟଙ୍ଗାତ୍ମକ କବିତା ଗାଇଥିଲେ । ଯେଉଁଥିରେ ସିନ୍ଦେଙ୍କ ନାଁ ନେଇନଥିଲେ ସତ କିନ୍ତୁ ପ୍ରତ୍ୟେକ ଶଦ୍ଧ ପରୋକ୍ଷରେ ସିନ୍ଦେଙ୍କୁ ଇଙ୍ଗିତ କରୁଥିଲା । ଶୋ’ର ଭିଡିଓ ଭାଇରାଲ ହେବା ପରେ ତାତିଥିଲେ ସିନ୍ଦେ ଗୋଷ୍ଠୀ କର୍ମୀ । ଷ୍ଟୁଡିଓ ଭିତରେ ଭଙ୍ଗାରୁଚା କରିବା ସହ ତାଣ୍ଡବ ରଚିଥିଲେ । ଶୋ’ ପାଇଁ ମୁମ୍ବାଇରେ ଦେଖିବାକୁ ମିଳିଥିଲା ମହାଭାରତ । ତେବେ ଷ୍ଟାଣ୍ଡ୍‌ ଅପ୍‌ କମେଡିଆନଙ୍କ ବ୍ୟଙ୍ଗାତ୍ମକ କବିତାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଦେଖାଯାଇଥିବା ତୁମ୍ବିତୋଫାନ କେବେ ଶାନ୍ତ ହେଉଛି ତା ଉପରେ ନଜର ରହିବ ।