କନକ ବ୍ୟୁରୋ : ବିରୋଧ ଅଗ୍ନିରେ ଜଳୁଛି ନେପାଳ । ହୁଲୁସ୍ତୁଲୁ ହୋଇପଡ଼ିଛି ନେପାଳ ରାଜନୀତି । ସଂସଦରୁ ସୁପ୍ରିମକୋର୍ଟ ଦେଶର ପ୍ରମୁଖ କୋଠାରେ ଲାଗିଛି ନିଆଁ । ପୂରା ଦେଶ ଯେମିତି ବିନାଶ ମୁହାଁ ହୋଇପଡ଼ିଛି । ସୋସିଆଲ୍ ମିଡିଆରେ ଏହାକୁ ନେଇ ଅନେକ ପ୍ରକାରର କଥା ଚାଲିଛି । କିଏ ଏହାକୁ ରାଜନୀତି କହୁଛନ୍ତି ତ ଆଉ କିଏ ଧାର୍ମିକ ଦିଗର ରଙ୍ଗ ଦେବାରେ ଲାଗିଛନ୍ତି । ସୋସିଆଲ୍ ମିଡିଆରେ କିଛି ନେପାଳୀ ଲୋକ ଦାବି କରୁଛନ୍ତି ଯେ ସେମାନଙ୍କ ଦେବୀ ପୂର୍ବରୁ ହିଁ ଅନିଷ୍ଟର ସଙ୍କେତ ଦେଇଥିଲେ । ନେପାଳର କିଛି ୟୁଜର୍ସ ଇନ୍ଦ୍ର ଯାତ୍ରାର ଭିଡିଓ ସେୟାର୍ କରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରେ ପ୍ରକାଶ ପାଇଛି । ଦାବି କରାଯାଉଛି ଯେ ଏହି ଧାର୍ମିକ ଯାତ୍ରାର ମୁଖ୍ୟ ଆକର୍ଷଣ କୁମାରୀ ଦେବୀ ଯାତ୍ରାବେଳେ ଭାବପ୍ରବଣ ଦେଖାଯାଉଛନ୍ତି । ଯାହାକୁ ଅନିଷ୍ଟ ପୂର୍ବର ସଙ୍କେତ ବୋଲି କୁହାଯାଉଛି । ନେପାଳରେ ଏହି ଦେବୀଙ୍କୁ ‘କୁମାରୀ ମାଜୁ ଦେବୀ’ ବୋଲି ମଧ୍ୟ କୁହାଯାଏ । ଏହି ଜୀବନ୍ତ ଦେବୀଙ୍କର ବିଭିନ୍ନ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେବୀ ରୂପରେ ଜଣେ କୁନିଝିଅ କାନ୍ଦୁଥିବାର ନଜର ଆସୁଛନ୍ତି । ଲୋକ ତାଙ୍କର ଏଭଳି ଅବସ୍ଥାକୁ ନେପାଳର ବିନାଶ ସହିତ ଯୋଡୁଛନ୍ତି ।
/filters:format(webp)/kanak/media/media_files/2025/09/14/kumari-2025-09-14-11-26-51.jpg)
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୦୧୫ ରେ ନେପାଳରେ ଏକ ଭୟଙ୍କର ଭୂମିକମ୍ପ ଆସିଥିଲା । ୭.୮ ତୀବ୍ରତାର ଏହି ଭୂକମ୍ପରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଯାଇଥିଲା, ଅନ୍ୟପକ୍ଷରେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ । ସେହି ସମୟରେ କୁମାରୀ ଦେବୀ କ୍ରୋଧିତ ହେବାର କଥା କୁହାଯାଇଥିଲା । ଅନେକ ଲୋକ ଦାବି କରିଥିଲେ ଯେ ଦେବୀଙ୍କ କୋପରୁ ହିଁ ଭୂକମ୍ପ ଆସିଛି । ନେପାଳୀ ଟାଇମ୍ସ ଗଣମାଧ୍ୟମ ଅନୁସାରେ ଏହି ଭୂକମ୍ପରେ କୁମାରୀ ଦେବୀଙ୍କ ଘରକୁ କୌଣସି କ୍ଷତି ହୋଇନଥିଲା । ତାଙ୍କ ପରିବାର ମଧ୍ୟ ସେଠାରେ ରହିଥିଲେ କାରଣ ସେମାନଙ୍କ ବିଶ୍ୱାସ ଥିଲା ଯେ ଦେବୀ ସେମାନଙ୍କୁ ରକ୍ଷା କରିବେ । ତେବେ କିଏ ଏହି କୁମାରୀ ଦେବୀ ଏବଂ ନେପାଳର ପରିସ୍ଥିତିକୁ ନେଇ ତାଙ୍କୁ କାହିଁକି ଯୋଡ଼ା ଯାଉଛି ? ଆସନ୍ତୁ ଜାଣିବା ।
ନେପାଳର ସଂସ୍କୃତି ଅନୁସାରେ ଶହ ଶହ ବର୍ଷ ଧରି କୁମାରୀ ଦେବୀ ବାଛିବାର ପରମ୍ପରା ଚାଲିଆସୁଛି । ଯେପରି ତିବ୍ଦତର ଲୋକେ ନିଜର ଦଲାଇଲାମାଙ୍କୁ ବାଛନ୍ତି, ସେହିପରି ନେପାଳରେ କୁମାରୀ ଦେବୀଙ୍କୁ ବଛାଯାଏ । ଯେଉଁ କୁମାରୀ ଝିଅ ଉପରେ ଦୈବୀ ଗୁଣ ଦେଖାଯାଏ ଏବଂ ଯିଏ ଦେବୀ ହେବାର ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି, ତାଙ୍କୁ କୁମାରୀ ଦେବୀ ଭାବରେ ବଛାଯାଏ । ମାନ୍ୟତା ଅଛି ଯେ ଏହି ଦେବୀ ନେପାଳର ଲୋକଙ୍କୁ ବିପଦ ଓ ଅସୁବିଧାରୁ ରକ୍ଷା କରନ୍ତି । ପର୍ବପର୍ବାଣୀରେ ଦେବୀଙ୍କୁ ତାଙ୍କ ଆବାସରୁ ବାହାରକୁ ଅଣାଯାଏ ଏବଂ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମେ । କୁମାରୀ ଦେବୀଙ୍କୁ ତାଙ୍କର ମାସିକ ଧର୍ମ ଆରମ୍ଭ ନହେବା ପର୍ଯ୍ୟନ୍ତ ଏହି ପଦରେ ରଖାଯାଏ । ଏହା ପରେ ତାଙ୍କୁ ପଦରୁ ହଟାଯାଏ ଏବଂ ନୂଆ କୁମାରୀ ଦେବୀଙ୍କ ସନ୍ଧାନ ଆରମ୍ଭ ହୁଏ । ତେବେ ପଦରୁ ହଟାଯିବା ପରେ ତାଙ୍କୁ ଆଜୀବନ ପେନସନ ଓ ସମ୍ମାନ ମିଳେ । ନେପାଳର ଲୋକ କୁହନ୍ତି ଯେ କୁମାରୀ ଦେବୀ ହେଉଛନ୍ତି ସାକ୍ଷାତ ମା’ କାଳୀଙ୍କ ଜୀବନ୍ତ ଅବତାର । ଯଦି ସେ ଯାତ୍ରାବେଳେ କେଉଁ ଭକ୍ତଙ୍କୁ ଦେଖି କିମ୍ବା ସମସ୍ତ ଭକ୍ତଙ୍କୁ ଦେଖି ହସନ୍ତି ତା’ହେଲେ ସୁଖ, ସମୃଦ୍ଧିରେ ବର୍ଷଟି ଅତିବାହିତ ହୁଏ କିନ୍ତୁ ଯଦି କୁମାରୀ କାନ୍ଦନ୍ତି ତା’ହେଲେ ଏହାକୁ ଅଶୁଭ ବୋଲି ମନେ କରାଯାଏ । ଆଉ ଚଳିତବର୍ଷ ନେପାଳରେ କୁମାରୀ ଦେବୀ କାନ୍ଦିଥିଲେ ।