କନକ ବ୍ୟୁରୋ :  ଦୀର୍ଘ ୬ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କୂଳଡିହା ଅଭୟାରଣ୍ୟ । ପ୍ରଥମ ଦିନରେ ପର୍ଯ୍ୟଟକ ମାନଙ୍କୁ ପୁଷ୍ପଗୁଚ୍ଛ ଓ ମିଠା ଖୁଆଇ ସ୍ବାଗତ କରାଯାଇଛି । ନୀଳଗିରି ଉପଖଣ୍ଡ ଅଧୀନ କୁଳଡ଼ିହା ଅଭୟାରଣ୍ୟ ବର୍ଷାଋତୁ ପାଇଁ ୬ ମାସ ବନ୍ଦ ରହିଥିଲା ।  ନଭେମ୍ବର ୧ ତାରିଖରୁ ୨୦୨୪ ଜୁନ୍ ୧୫ ପର୍ଯକ୍ରନ୍ତ ଖୋଲା ରହିବାକୁ ଥିବାବେଳେ ସେଥିପାଇଁ ପର୍ଯ୍ୟଟକଙ୍କ ମହଲରେ ଖୁସିର ଲହରି ଦେଖିବାକୁ ମିଳିଛି। ପର୍ଯ୍ୟଟକମାନେ କିପରି ସୁରୁଖୁରୁରେ ଅଭୟାରଣ୍ୟ ବୁଲିବା ସହ ଏଠାରେ ରାତି ରହଣି କରିବେ ସେ ନେଇ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Advertisment

ପର୍ଯ୍ୟଟକମାନେ ପ୍ରାକୃତିକ ଶୋଭାରାଜି, ବୋଟିଂ, ବିଭିନ୍ନ ବନ୍ୟଜନ୍ତୁ ସାଙ୍ଗକୁ ଜଙ୍ଗଲୀ ପରିବେଶରେ ରାତ୍ରି ରହଣୀର ବ୍ୟାପକ ବ୍ୟବସ୍ଥା କରାଯାଇଛି । କେବଳ ଚାରିଚକିଆ ଗାଡ଼ିରେ ହିଁ ଅଭୟାରଣ୍ୟ ଭିତରେ ବୁଲିପାରିବେ ପର୍ଯ୍ୟଟକ । ସେଥିପାଇଁ ପୂର୍ବରୁ ବୁକିଂ କରି ପର୍ଯ୍ୟଟକ, ବନ୍ୟଜନ୍ତୁ ପ୍ରେମୀ ଓ ପ୍ରକୃତି ପ୍ରେମୀମାନେ କୂଳଡିହା ଖୋଲିବାକୁ ଅପେକ୍ଷା କରିଛନ୍ତି। ବଣ ପାହାଡ଼ ଘେରା କୁଲଡିହା ଅଭୟାରଣ୍ୟ ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ । ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଇ, ବଜ୍ରକାପ୍ତା, ମୟୂର ,ବେଲେରା ମୂଷା, କୁଟାରୀ, ଜଙ୍ଗଲୀ କୁକୁଡା ଓ ଅନ୍ୟ  ବନ୍ୟପ୍ରାଣୀ ସାଙ୍ଗକୁ  ୨୫୦ ରୁ ଅଧିକ  ପ୍ରଜାତିର ଦେଶୀ ଏବଂ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଥାଏ ।

ଦୀର୍ଘଦିନ ପରେ ଅଭୟାରଣ୍ୟ ଖୋଲିଥିବାରୁ ପର୍ଯ୍ୟଟକମାନେ ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରିବା ସହ ନୂତନ ଅଭିଜ୍ଞତା ନେଇ ଘରକୁ ଫେରୁଛନ୍ତି ।