କନକ ବ୍ୟୁରୋ: ଭାରତ ଏକ ରହସ୍ୟମୟ ଦେଶ, ଯେଉଁଠାରେ ଅନେକ ଅସମାହିତ ରହସ୍ୟ ଲୁଚି ରହିଛି । ଏହିଭଳି ଏକ ରହସ୍ୟମୟ ସ୍ଥାନ ହେଉଛି ରାଜସ୍ଥାନର ଏକ ଗାଁ, ଯାହାକୁ "ଭୂତ ଗାଁ" ବୋଲି ମଧ୍ୟ କୁହାଯାଏ । ଏହି ଗାଁର ନାମ ହେଉଛି କୁଲଧାରା ।  କୁହାଯାଏ ଯେ ପ୍ରାୟ ୨୦୦ ବର୍ଷ ପୂର୍ବେ ଏହି ଗାଁର ଲୋକମାନେ ଗୋଟିଏ ରାତିରେ ହଠାତ୍ କୁଆଡେ ଅଦୃଶ୍ୟ ହୋଇଯାଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଗାଁ ଜନଶୂନ୍ୟ ହୋଇ ରହିଛି ଏବଂ ଏହାର ରହସ୍ୟ କେହି ବି ଭେଦ କରିପାରି ନାହାନ୍ତି ।

Advertisment

ଆସନ୍ତୁ ଜାଣିବା କୁଲଧାରା ଗାଁର ଇତିହାସ
କୁଲଧାରା ଗାଁ ରାଜସ୍ଥାନର ଜୈସଲମେର ସହରଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଅବସ୍ଥିତ  ।  ଐତିହାସିକଙ୍କ ମତରେ, ୧୩ଶ ଶତାବ୍ଦୀରେ ପାଲିୱାଲ ବ୍ରାହ୍ମଣମାନେ ଏହି ଗାଁ ବସାଇଥିଲେ  ।  ଏହି ବ୍ରାହ୍ମଣମାନେ କୃଷି ଏବଂ ବ୍ୟବସାୟରେ ବହୁତ ପାରଙ୍ଗମ ଥିଲେ ଏବଂ ନିଜ ପରିଶ୍ରମ ବଳରେ ଏକ ସମୃଦ୍ଧଶାଳୀ ଗ୍ରାମ ସ୍ଥାପନ କରିଥିଲେ । ସେ ସମୟରେ ଏହି ଗାଁରେ ପ୍ରାୟ ୫୦୦୦ ଲୋକ ବାସ କରୁଥିଲେ ଏବଂ ଏହା ଏକ ବଡ଼ ବ୍ୟାବସାୟିକ କେନ୍ଦ୍ର ଥିଲା  ।

କିନ୍ତୁ ଗୋଟିଏ ରାତିରେ ଗାଁର ଲୋକେ ଉଭାନ ହୋଇଗଲେ । ୧୮୨୫ ମସିହାର ଏକ ରାତିରେ କୁଲଧାରା ଏବଂ ଏହାର ଆଖପାଖରେ ଥିବା ୮୩ଟି ଗାଁର ଲୋକମାନେ ହଠାତ୍ ଗାଏବ ହୋଇଗଲେ ।  ସକାଳେ ଯେତେବେଳେ ପାଖ ଗାଁର ଲୋକମାନେ ସେଠାରେ ପହଞ୍ଚିଲେ, ସେମାନେ ଦେଖିଲେ ଯେ ଗାଁ ପୁରା ଖାଲି ପଡିଛି । ଘରର ଜିନିଷପତ୍ର ସବୁ ଯେମିତି ଥିଲା ସେମିତି ହିଁ ପଡି ରହିଥିଲା, କିନ୍ତୁ କୌଣସି ମଣିଷର ଚିହ୍ନବର୍ଣ୍ଣ ନଥିଲା । ଏହି ୫୦୦୦ ଲୋକ କୁଆଡେ ଗଲେ, କେମିତି ଗଲେ, ତାହା ଆଜି ପର୍ଯ୍ୟନ୍ତ ଏକ ଅସମାହିତ ରହସ୍ୟ ହୋଇ ରହିଛି ।

ଏହି ରହସ୍ୟମୟ ଘଟଣା ପଛରେ ଏକ ପ୍ରଚଳିତ କାହାଣୀ ରହିଛି । କୁହାଯାଏ ଯେ ସେହି ସମୟରେ ଜୈସଲମେର ରାଜ୍ୟର ଦିୱାନ ଥିଲେ ସଲିମ ସିଂ, ଯିଏକି ଜଣେ ଅତ୍ୟନ୍ତ କ୍ରୂର ଏବଂ ଅତ୍ୟାଚାରୀ ଶାସକ ଥିଲେ।  ଦିନେ ତାଙ୍କର ନଜର କୁଲଧାରା ଗାଁର ମୁଖିଆଙ୍କ ସୁନ୍ଦରୀ ଝିଅ ଉପରେ ପଡିଲା ।  ସଲିମ ସିଂ ସେହି ଝିଅକୁ ବିବାହ କରିବାକୁ ଚାହିଁଲେ ଏବଂ ଗ୍ରାମବାସୀଙ୍କୁ ଧମକ ଦେଲେ ଯେ ଯଦି ତାଙ୍କ କଥା ନ ମାନନ୍ତି, ତେବେ ସେ ସମସ୍ତଙ୍କ ଉପରେ ଅତ୍ୟାଚାର କରିବେ । ପାଲିୱାଲ ବ୍ରାହ୍ମଣମାନେ ନିଜ ସମ୍ମାନ ଏବଂ ଝିଅର ଇଜ୍ଜତ ବଞ୍ଚାଇବା ପାଇଁ ରାଜ୍ୟ ଛାଡି ଚାଲିଯିବାକୁ ନିଷ୍ପତ୍ତି ନେଲେ ।  ଗୋଟିଏ ରାତିରେ ୮୪ଟି ଗାଁର ସମସ୍ତ ପାଲିୱାଲ ବ୍ରାହ୍ମଣ ଏକାଠି ହୋଇ ଏକ ପଞ୍ଚାୟତ ଡକାଇଲେ ଏବଂ ସବୁଦିନ ପାଇଁ ସେହି ସ୍ଥାନ ତ୍ୟାଗ କରିବାକୁ ସ୍ଥିର କଲେ। କୁହାଯାଏ ଯେ ଯିବା ପୂର୍ବରୁ ସେମାନେ ଏହି ଗାଁକୁ ଅଭିଶାପ ଦେଇଥିଲେ ଯେ ଭବିଷ୍ୟତରେ ଏଠାରେ କେହି ବସବାସ କରିପାରିବେ ନାହିଁ ।  

ଆଜି କୁଲଧାରା ଏକ ଧ୍ୱଂସସ୍ତୂପରେ ପରିଣତ ହୋଇଛି। ଭଙ୍ଗା ଘର, ଶୂନଶାନ ଗଳି ଏବଂ ଚାରିଆଡେ ଏକ ନୀରବତା ଏହି ସ୍ଥାନକୁ ଆହୁରି ରହସ୍ୟମୟ କରିଥାଏ । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ASI) ଏହି ଗାଁକୁ ଏକ ସଂରକ୍ଷିତ ସ୍ମାରକୀ ଭାବରେ ଘୋଷଣା କରିଛି।  ଏହା ବର୍ତ୍ତମାନ ଏକ ପର୍ଯ୍ୟଟନ ସ୍ଥଳୀ ପାଲଟିଛି, କିନ୍ତୁ ସୂର୍ଯ୍ୟାସ୍ତ ପରେ ଏଠାରେ ରହିବାକୁ କାହାକୁ ଅନୁମତି ଦିଆଯାଏ ନାହିଁ।  ସ୍ଥାନୀୟ ଲୋକଙ୍କ ମତରେ, ରାତିରେ ଏଠାରୁ ବିଭିନ୍ନ ପ୍ରକାରର ଅଦ୍ଭୁତ ଶବ୍ଦ ଶୁଣାଯାଏ ଏବଂ କେହି ଜଣେ ଏକୁଟିଆ ଏଠାକୁ ଯିବାକୁ ସାହସ କରନ୍ତି ନାହିଁ । କୁହାଯାଏ ଏଠାରେ ଚାଲୁଥିବାର ଶଦ୍ଦ, ଝାଡୁ କରୁଥିବାର ଶଦ୍ଦ, ବାସନ ମାଜୁଥିବାର ଶଦ୍ଦ ଶୁଭିଥାଏ ।  

କୁଲଧାରାର କାହାଣୀ ଯେତିକି ରୋମାଞ୍ଚକ, ସେତିକି ଦୁଃଖଦ ମଧ୍ୟ । ଏହା ଆମକୁ ସେହି ସମୟର ପାଲିୱାଲ ବ୍ରାହ୍ମଣମାନଙ୍କର ସ୍ୱାଭିମାନ ଏବଂ ଏକତାର କଥା ମନେ ପକାଇଦିଏ । ବୈଜ୍ଞାନିକମାନେ ଏହି ରହସ୍ୟର ସମାଧାନ ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ପାଇପାରି ନାହାନ୍ତି । ତେଣୁ, କୁଲଧାରାର ରହସ୍ୟ ଆଜି ବି ଇତିହାସର ପୃଷ୍ଠାରେ ଏକ ଅସମାହିତ ପ୍ରଶ୍ନ ହୋଇ ରହିଛି ।