କନକ ବ୍ୟୁରୋ : ଅବସର ପୂର୍ବରୁ ଅଧିକାରୀଙ୍କ ହାତରେ ପଡୁଛି ହାତକଡ଼ି । କେଳେଙ୍କାରୀର ପେଡ଼ି ଖୋଲୁଛି ଭିଜିଲାନ୍ସ । ଗତକାଲି ଜଣେ ଓ ଆଜି ଆଉ ଜଣେ କୁବେର ବାବୁ ବନ୍ଧା ହେବାକୁ ନେଇ ଅନେକ ଚର୍ଚ୍ଚା । ଏମାନଙ୍କ ପରେ ଆଗକୁ ଆଉ କାହା ପାଳି ପଡ଼ିବ, ତାକୁ ନେଇ ଛାନିଆ ଦୁର୍ନୀତି କରି କଳାଧନ ଠୁଳ କରିଥିବା ବାବୁ । 

Advertisment

ଗତକାଲି ଜଣେ, ଆଜି ଆଉ ଜଣେ । ଅବସରର ଦିନକ ପୂର୍ବରୁ ବାବୁଙ୍କ ଉପରେ ପଡୁଛି ବ୍ରହ୍ମଚଡ଼କ । ଲୋକଙ୍କ ଟଙ୍କା ଗିଳି ଟିଙ୍କ ସାଜିଥିବା କୁବେର ଅଧିକାରୀଙ୍କ କଳା ଚିଠା ଖୋଲୁଛି ଭିଜିଲାନ୍ସ । ୨୦୦୦ ମସିହାରେ ବୈକୁଣ୍ଠଙ୍କ ଚାକିରି ନିୟମିତ ହେଲା । ସୁନ୍ଦରଗଡ଼ରେ ସହକାରୀ ଯନ୍ତ୍ରୀ ପରେ ୨୦୧୨ ଯାଏ ତାଳଚେର । ୨୦୧୪ରେ ପଦୋନ୍ନତି ପାଇ ଆଠମଲ୍ଲିକ । ୨୦୧୬ରେ ନିର୍ବାହୀ ଯନ୍ତ୍ରୀ ଭାବେ ଦେବଗଡ଼ରେ ନିଯୁକ୍ତି । ୨୦୨୩ରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ , ୨୦୨୫ରେ ବୈକୁଣ୍ଠ ବନିଲେ ମୁଖ୍ୟଯନ୍ତ୍ରୀ । ଯେଉଁ ସ୍ଥାନରେ ବୈକୁଣ୍ଠ କାମ କରିଛନ୍ତି , ସେଠାରେ ତାଙ୍କ ସମୟରେ ହୋଇଥିବା ଦୁର୍ନୀତି ଅଭିଯୋଗର ବି ହେବ ଖୋଳତାଡ଼ । 

ଅନ୍ୟପଟେ ଆଜି ଧରାପଡ଼ିଥିବା ଦିଲ୍ଲୀପଙ୍କ ସମ୍ପତ୍ତି ବି ଆଖି ଖୋସିଲା ଭଳି । ବ୍ରହ୍ମପୁରରେ ଅଟ୍ଟାଳିକା, ଭୁବନେଶ୍ବର ଓ ବ୍ରହ୍ମପୁରରେ ୨ଟି ଦାମୀ ଫ୍ଲାଟ୍‌ ସହ ବ୍ରହ୍ମପୁର ଓ ଆଖପାଖରେ ୧୧ଟି ପ୍ଲଟ୍‌ ମିଳିଛି । ବ୍ୟାଙ୍କ ଜମା, ପୁଞ୍ଜିନିବେଶ ଓ ଅନ୍ୟାନ୍ୟ ସମ୍ପତ୍ତି ବି ଗଣିଛି ଭିଜିଲାନ୍ସ । ଖାଲି ଏତିକି ନୁହଁନ୍ତି ବରଂ ବହୁ କୁବେର ବାବୁଙ୍କ କଳା ତାଲିକା ଭିଜିଲାନ୍ସ ପ୍ରସ୍ତୁତ କରୁଛି । ଏଥିପାଇଁ ସରକାର ଭିଜିଲାନ୍ସକୁ ଖୋଲା ଛୁଟ୍‌ ଦେଇଛନ୍ତି । ସେପଟେ ପିସି କାରବାର ବନ୍ଦ ହେଲେ ଏଭଳି ଦୁର୍ନୀତି କମିପାରିବ ବୋଲି ମତପ୍ରକାଶ ପାଇଛି । 

ତେବେ ପ୍ରଶ୍ନ ଉଠୁଛି , ଏ ଚଢ଼ଉ ପରେ କ’ଣ ହେବ ? କରିତକର୍ମା ବାବୁ ତ ଜେଲ୍‌ରେ ରହିବେ କିନ୍ତୁ ତାଙ୍କୁ ଖାଉ କରାଇଥିବା ପ୍ରଚ୍ଛଦପଟ ଖଳନାୟକ ସୁଧୁରିବେ କି ? ବୈକୁଣ୍ଠଙ୍କ ତଳେ ଓ ଉପରେ ଥିବା ଅନ୍ୟମାନଙ୍କ ପାଖରେ ପହଁଚିବ ତ ଭିଜିଲାନ୍ସ  ?