କନକବ୍ୟୁରୋ  : ପ୍ରତିଶୃତି ଯେବେ ପାଣିର ଗାର ପାଲଟେ, ପୋଖରି ପାଣି ହିଁ ସାହାରା ପାଲଟେ । ଏକାଥା ଆମେ କହୁନୁ ଏ ଦୃଶ୍ୟ ଦେଖିଲା ପରେ ଆପଣାମାନେ ମଧ୍ୟ ଏମିତି ଭାବିବାକୁ ବାଧ୍ୟ ହେବେ। ଚିଲିକା। ଚାରିଆଡ଼େ ପାଣି। ଟାପୁରେ ଗାଁ ।  ଆପଣମାନେ ଦେଖୁଥିବା ଏହି ଦୃଶ୍ୟ ଚିଲିକା ଟାପୁରେ ଥିବା ଏକ ଗାଁର ।  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଭେଟି ବାଉରୀ ପଲ୍ଲି ଗାଁ। ଗ୍ରୀଷ୍ମ ଆରମ୍ଭରୁ ପିଇବା ପାଣି ପାଇଁ ମହିଳାଙ୍କ ମାର୍ଚ୍ଚ। ହାଣ୍ଡି ମାଠିଆ ଧରି ପୋଖରୀକୁ ଯାଉଛନ୍ତି ।  ପରିବାର ପାଇଁ ପିଇବା ପାଣି ସଂଗ୍ରହ କରୁଛନ୍ତି । ଯେଉଁ ପୋଖରୀରେ ପଶୁ ଗାଧଉଛନ୍ତି ସେହି ପୋଖରୀ ପାଣି ପିଇ ମଣିଷମାନେ ଶୋଷ ମେଣ୍ଟାଇବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି ।

Advertisment

ଭେଟି ବାଉରୀ ପଲ୍ଲୀ ଗାଁରେ ସରକାରଙ୍କ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସତେ ଯେମିତି ପଙ୍ଗୁ ପାଲଟି ଯାଇଛି। ସେଥିପାଇଁ ତ ବର୍ଷବର୍ଷ ଧରି ଜଳକଷ୍ଟ ଭୋଗୁଛନ୍ତି ଚିଲିକା ଟାପୁରେ ଥିବା ଗ୍ରାମବାସୀ। ପ୍ରତି ନିର୍ବାଚନରେ ଗାଁକୁ ମାଳମାଳ ରାଜନେତା ଆସନ୍ତି। ପାହାଡ଼ ଭଳି ପ୍ରତିଶ୍ରୁତି ଦିଅନ୍ତି ।  ହେଲେ ଭୋଟ ସରିବା ପରେ ଅବସ୍ଥା ଯଥା ପୂର୍ବ ତଥା ପରଂ। ଜଳ ଯୋଗାଣ ନେଇ କୌଣସି ସୁବିଧା କେହି କରିନାହାନ୍ତି। ତେଣୁ ଆଜି ବି ରାତି ପାହିଲେ ପୋଖରୀରୁ ପାଣି ବାଲଟି ମୁଣ୍ଡାଇ ବାଟଚାଲନ୍ତି ଗାଁ ମହିଳା ।  ଘରେ ଘରେ ପିଇବା ପାଣି ଯୋଗାଇବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିରାଟ ବିରାଟ ପାଣି ଟାଙ୍କି କରାଯାଉଛି। କିନ୍ତୁ କୃଷ୍ଣପ୍ରସାଦର ଏହି ଗାଁ ପାଇଁ କିଛି ନାହିଁ ।  ଆଗାମୀ ଦିନରେ ଘରେଘରେ ପାଣି ନପହଞ୍ଚିଲେ ବାଧ୍ୟ ହୋଇ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି।