କନକ ବ୍ୟୁରୋ: କୋଟିଆ ବଢ଼ାଇଛି ଟେନସନ୍ । ସବୁ ଯୋଜନାର ଲୋଭ ଦେଖାଇ ଆନ୍ଧ୍ର ପକାଇଛି ନଜର । ତେଣୁ କୋଟିଆକୁ ନେଇ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ଜୁନ ୩ ତାରିଖରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଏକାଠି ବସି ଆଲୋଚନା କରିବେ । ତା ପୂର୍ବରୁ ସୁନ୍ଦରଗଡ଼ରେ ଆଜି ଚାଲିଛି ପ୍ରସ୍ତୁତି ବୈଠକ ।
ରାଜସ୍ବ ମନ୍ତ୍ରୀ ସୁନ୍ଦରଗଡ଼ ଗସ୍ତରେ ଆସିଥିବା ବେଳେ ଏହି ବୈଠକ କରିଛନ୍ତି । ପ୍ରାଶାସନିକ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଓଡ଼ିଶା ସରକାର ଦେଉଥିବା ସହାୟତା ଲୋକଙ୍କ ପାଖରେ ଠିକରେ ପହଞ୍ଚିପାରୁନି । କିନ୍ତୁ ସରକାର ବଦଳିଲା ପରେ ନୂଆ ଆଶା ସୃଷ୍ଟି ହୋଇଛି । କମିଟି ଗଠନ କରି କୋଟିଆ ପାଇଁ ଦୀର୍ଘମିଆଦି ଯୋଜନା କାର୍ଯ୍ୟକାରୀ କରାଯିବାକୁ ଚାଲିଛି ଯୋଜନା ।
- କୋଟିଆ ପାଇଁ ବଢ଼ିଲା ଚିନ୍ତା
- ବିବାଦୀୟ ଅଞ୍ଚଳକୁ ଯିବ ଗୃହ କମିଟି
ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଥିବା ସୀମା ବିବାଦ ନେଇ ବିଧାନସଭା ଗୃହ କମିଟିରେ ଆଜି ମାରାଥନ୍ ଆଲୋଚନା ହୋଇଛି । ବିଶେଷକରି ଫୋକସରେ ରହିଥିଲା କୋଟିଆ ଓ ପୋଲାଭରମ ଭଳି ବିବାଦୀୟ ପ୍ରସଙ୍ଗ । କୋଟିଆରେ କେତେ ପିଲା ପାଠ ପଢୁଥିଲେ, କେତେ ପଢୁଛନ୍ତି ଓ ସେଠାକାର ଲୋକଙ୍କ ଓଡ଼ିଶା ପ୍ରତି କେତେ ଆଗ୍ରହ ରହିଛି? ସେ ସବୁକୁ ନେଇ ଆଲୋଚନା ହୋଇଛି । ଶିକ୍ଷା, ସ୍ଵାସ୍ଥ୍ୟ, ଓଡ଼ିଆ ଭାଷା ପ୍ରତି ଲୋକଙ୍କ ଆଗ୍ରହ ଆସିବା, ସରକାରୀ ସହାୟତାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ବ ଦେଇଛି କମିଟି ।
ସୂଚନାଯୋଗ୍ୟ ଯେ, କୋଟିଆରେ ଆନ୍ଧ୍ରର ଲୋଭନୀୟ ସ୍କିମଙ୍କୁ ମାତ ଦେବାକୁ ସ୍ବତନ୍ତ୍ର ଖସଡ଼ା କରିଛନ୍ତି ରାଜ୍ୟ ସରକାର । ଲୋକଙ୍କ ଭାବାବେଗକୁ ବୁଝି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗୃହ କମିଟି ବାସ୍ତବରେ କୋଟିଆ ସମସ୍ୟାର ସମାଧାନ କେତେ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।