କନକ ବ୍ୟୁରୋ: କୋଟିଆକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଲାଗି ରହିଛି ବିବାଦ । ବିଭିନ୍ନ ପ୍ରକାର ଲୋଭ ଦେଖାଇ କୋଟିଆବାସୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଜାରି ରଖିଛି ଆନ୍ଧ୍ର ସରକାର । ହେଲେ, ଆନ୍ଧ୍ର ସରକାରଙ୍କ ଏହି ଚାଲକୁ ପଣ୍ଡ କରିବାକୁ ନୂଆ ରଣନୀତି କରି ଆଗଉଛନ୍ତି ମୋହନ ସରକାର । 

Advertisment

କୋଟିଆ ହେଉଛି ଖଣିଜ ଓ ପ୍ରାକୃତିକ ସମ୍ପଦଭରା ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳ । ଏହି ଅଞ୍ଚଳ ଉପରୁ ଆନ୍ଧ୍ରର ଲୋଲୁପ ଦୃଷ୍ଟି ହଟୁନି । କୋଟିଆର ବଣ, ପାହାଡ଼ ଓ ମାଟି ତଳେ ମୂଲ୍ୟବାନ ଖଣିଜ ସମ୍ପଦ ଥିବାରୁ ଯେନତେନ ପ୍ରକାରେ ଏହାକୁ ନିଜ ଅକ୍ତିଆରକୁ ନେବାକୁ ଚାଲ ଚଳାଉଛି । କୋଟିଆବାସୀଙ୍କୁ ବିଭିନ୍ନ ଯୋଜନାରେ ସହାୟତା ଯୋଗାଇ ଦେଇ ନିଜ ଅକ୍ତିଆରରେ ରଖିବାକୁ ଉଦ୍ୟମ ଚଳାଇଛି । ଏପଟେ ପ୍ରାଶାସନିକ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଓଡ଼ିଶା ସରକାର ଦେଉଥିବା ସହାୟତା ଲୋକଙ୍କ ପାଖରେ ଠିକରେ ପହଞ୍ଚିପାରୁନି । ତେବେ ସ୍ଥାନୀୟ ଜନ ପ୍ରତିନିଧି କହିଛନ୍ତି, ସରକାର ବଦଳିଲା ପରେ ନୂଆ ଆଶା ସୃଷ୍ଟି ହୋଇଛି । ହେଲେ କମିଟି ସ୍ଥାନୀୟ ପ୍ରତିନିଧିଙ୍କ ସହ ଆଲୋଚନା କରି ଖସଡ଼ା ପ୍ରସ୍ତୁତ କଲେ ଭଲ ହେବ ।

  • କୋଟିଆକୁ ମିଳିବ ସ୍ବତନ୍ତ୍ର ଅନୁଦାନ
  • ପ୍ରତିଦିନ ଗ୍ରାଉଣ୍ଡ ଭିଜିଟ୍ କରିବେ ଅଧିକାରୀ

ଆନ୍ଧ୍ରର ଲୋଭନୀୟ ସ୍କିମଙ୍କୁ ମାତ ଦେବାକୁ ସ୍ବତନ୍ତ୍ର ଖସଡା କରିଛି ପଞ୍ଚାୟତିରାଜ ବିଭାଗ । ଲୋକଙ୍କ ଭାବାବେଗକୁ ବୁଝି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି...

  • ପ୍ରତିଦିନ ଲୋକଙ୍କ ପାଖକୁ ଯିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି
  • ସରକାରୀ ଯୋଜନା ବାବଦରେ ବ୍ୟାପକ ଜନସଚେତନତା କରାଯିବ
  • ସବୁ ଯୋଜନାରେ ମିଳିବ ଅଧିକ ଅର୍ଥରାଶି
  • ଯୋଗାଯୋଗ ସମସ୍ୟା ସମାଧାନକୁ ପ୍ରାଥମିକତା
  • ଜଳସେଚନ ଓ କୃଷିକୁ ରହିବ ଫୋକସ୍

ଏନେଇ ଜିଲ୍ଲା ପ୍ରଶାସନ ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେବା ସହ ଲୋକଙ୍କ ସମସ୍ୟା ଅନୁଯାୟୀ ଯୋଜନା ପ୍ରସ୍ତୁତ କରି ବିଭାଗକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସେପଟେ ସରକାରକୁ ବର୍ଷେ ପୂରିବାକୁ ଯାଉଥିଲେ ମଧ୍ୟ କୋଟିଆ ବିବାଦରେ କୌଣସି ସମାଧାନ ନ ହେବାକୁ ନେଇ ବର୍ଷିଛି ବିଜେଡି । 

ତେବେ କୋଟିଆ ସମାଧାନ ପାଇଁ ସରକାର ନୂଆ କମିଟି ଗଠନ କରିଛନ୍ତି । ହେଲେ ଏଯାଏ ସମସ୍ୟା ଓ ଏହାର ସମାଧାନ ପାଇଁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରିପାରିନାହାନ୍ତି । ଏହାରି ଭିତରେ ପଞ୍ଚାୟତିରାଜ ବିଭାଗର ଏ ପଦକ୍ଷେପ ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ତାକୁ ଅପେକ୍ଷା ।