କନକ ବ୍ୟୁରୋ: ଜଟିଳ ହେଉଛି କୋଟିଆ ବିବାଦ । ସମାଧାନ ପାଇଁ ଓଡ଼ିଶାରେ ଭାଷଣବାଜି ଚାଲିଛି କିନ୍ତୁ ବାସ୍ତବରେ କେହି କିଛି କରୁନାହାନ୍ତି । ଯାହାର କି ଫାଇଦା ଉଠାଉଛି ଆନ୍ଧ୍ର । ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛି କଂଗ୍ରେସ । ଆଉ ଏହାକୁ ନେଇ ତେଜିଛି ରାଜନୀତି ।
- ବଦଳିଲେ ସରକାର, ବଦଳିନାହିଁ କୋଟିଆ
- ଆରୋପ ପ୍ରତ୍ୟାରୋପରେ ନେତା ବ୍ୟସ୍ତ
- ଉଠିଲାଣି ନୂଆ ରାଜ୍ୟ ଗଠନ ପ୍ରସଙ୍ଗ
ବିଜେଡି ସରକାର ଯାଇ ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଛି । ଆଶା କରାଯାଉଥିଲା ସରକାର ବଦଳିବା ପରେ କୋଟିଆ ବିବାଦର ସମାଧାନ ହେବ । କିନ୍ତୁ ଏପର୍ଯ୍ୟନ୍ତ ସେମିତି କିଛି ହୋଇନାହିଁ । ଯାହାକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । କଂଗ୍ରେସ କହିଛି, ‘ପୂର୍ବତନ ମୁଖ୍ୟମନ୍ତ୍ରୀ କୋଟିଆ ଯାଇ ନଥିଲେ’, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବି ଯାଉନାହାନ୍ତି’ । ସୀମା ବିବାଦ ପାଇଁ ସର୍ବଦଳୀୟ କମିଟି ଗଠନ ଲାଗି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଦାବି କରିଛନ୍ତି । ସେପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସୀମା ବିବାଦ ସମାଧାନ ପାଇଁ ସରକାର ଗମ୍ଭୀର ଅଛନ୍ତି । ପୂର୍ବ ସରକାର କୋର୍ଟରେ ଠିକ୍ ତଥ୍ୟ ରଖି ନଥିବା ସେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ କହିଛନ୍ତି, କୋଟିଆ ସମସ୍ୟା ସମାଧାନ ପାଇଁ ‘ନା ରାଜ୍ୟ ନା କେନ୍ଦ୍ର ସରକାର କେହି ବି ଚିନ୍ତିତ ନୁହନ୍ତି, ଦଳୀୟ ରାଜନୀତି ଭିତରେ କୋଟିଆ ବିବାଦର ସମାଧାନ ହୋଇପାରିବନି’ । ତେଣୁ କୋଟିଆ ପାଇଁ ଆବଶ୍ୟକ ପଡ଼ିଲେ ସେ କଂଗ୍ରେସ ଛାଡ଼ିବେ । କୋଟିଆକୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାକୁ ସେ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି । ଆନ୍ଧ୍ରର ୨ଟି ଜିଲ୍ଲା ଓ ଓଡ଼ିଶାର ୬ଟି ଜିଲ୍ଲାକୁ ନେଇ ଦଣ୍ଡକାରଣ୍ୟ ରାଜ୍ୟ ଗଠନ ଲାଗି ସେ ନେତୃତ୍ୱ ନେବେ ।
ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ହେଲା କୋଟିଆ ବିବାଦର ସମାଧାନ ବାଟ ବାହାରିପାରୁନାହିଁ । କେବଳ ପ୍ରତିଶ୍ରୁତିରେ ଅଟକିଛି କୋଟିଆର ଭାଗ୍ୟ । ଅନ୍ୟପଟେ ମନଇଛା ଓଡ଼ିଶା ଭିତରେ ପଶି ରାଜନୀତି ଚଳାଇଛି ଆନ୍ଧ୍ର ସରକାର ।