ଯାହା ପାଇଁ ଚାକିରୀ ଛାଡିଲେ, ସେ ହିଁ ଛାଡି ଚାଲିଗଲେ : କୋଟାର ଏକ ହୃଦୟବିଦାରକ ଘଟଣା

ବିଧାତାର ବିଚିତ୍ର ନ୍ୟାୟ।  ଯାହା ପାଇଁ ଚାକିରୀ ଛାଡିଲେ, ସେହି ସ୍ତ୍ରୀ ହିଁ ଆରପାରିକୁ ଚାଲିଗଲେ। ରାଜସ୍ଥାନ କୋଟାରୁ ଆସିଛି ଏଭଳି ହୃଦୟବିଦାରକ ଖବର

ssaa

କନକ ବ୍ୟୁରୋ: ମୃତ୍ୟୁ ଯେ ନିଶ୍ଚିତ ଏକଥା ତ ସମସ୍ତେ ଜାଣନ୍ତି । ହେଲେ ବେଳେବେଳେ ମୃତ୍ୟୁ ଏପରି ଆସେ ଯାହା କେହି କେବେ କଳ୍ପନା ବି କରିପାରନ୍ତିନି । ରାଜସ୍ଥାନ କୋଟାରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । ସ୍ତ୍ରୀଙ୍କ ଦେହ ଖରା ରହୁଥିବାରୁ ତାଙ୍କର ଯତ୍ନ ନେବାକୁ ସ୍ବାମୀ ଚାକିରିରୁ ଭଲ୍ୟୁଣ୍ଟାରୀ ରିଟାୟରମେଣ୍ଟ ନେଲେ ହେଲେ ରିଟାୟରମେଣ୍ଟ ଦିନ ହିଁ ଚାଲିଗଲା ସ୍ତ୍ରୀଙ୍କ ଜୀବନ । ଏଭଳି ଏକ ଅବାଞ୍ଛିତ ଘଟଣାରେ ପୁରା ପରିବେଶ ସ୍ତବ୍ଧ ହୋଇଯାଇଥିଲା । ସେ ଅଘଟଣ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଘଟଣା ୨୬ ତାରିଖର । କୋଟା ଡକନିଆ ସେଣ୍ଟ୍ରାଲ ୱେରହାଉସ୍ ମ୍ୟାନେଜର ଦେବେନ୍ଦ୍ର ସାଣ୍ଡାଲ । ପତ୍ନୀ ଦୀପିକା ସାଣ୍ଡାଲଙ୍କ ଦେହ ଦୀର୍ଘ ଦିନରୁ ଅସୁସ୍ଥ ରହୁଥିଲେ । ହୃଦଘାତ ହେବା ପରେ ଅନେକ ସମୟରେ ସେ ଅସୁସ୍ଥ ରହୁଥିଲେ। ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ। ତେଣୁ ଘରେ ବି ତାଙ୍କର ଯତ୍ନ ନେବାକୁ କେହି ନଥିଲେ। କିନ୍ତୁ ସ୍ବଭାବରେ ଭାରି ସ୍ନେହୀ ଦୀପିକାଙ୍କୁ ଘରେ ଛାଡି  ଅଫିସରେ ଆସି ଠିକ ସମୟରେ ପହଞ୍ଚୁଥିଲେ ଦେବେନ୍ଦ୍ର । ବଡ ଦାୟିତ୍ବ ଥିବାରୁ ଅଫିସ କାମ ସାରି ଘରେ ବିଳମ୍ବ ହେଉଥିଲା । ତେଣୁ ବାଧ୍ୟ ହୋଇ ଇଚ୍ଛାଧିନ ବା ଭଲ୍ୟୁଣ୍ଟାରୀ ଅବସର ପାଇଁ ସରକାରଙ୍କୁ ଆବେଦନ କରିଥିଲେ । ସବୁ ସତ୍ୟତା ପରଖିବା ପରେ ତାଙ୍କୁ ଏଥିପାଇଁ ଅନୁମତି ବି ମିଳିଲା । ଅବସର ପାଇଁ ଫେୟାରୱେଲ ଦେବାକୁ ସହକର୍ମୀମାନେ ଉଭୟ ଦେବେନ୍ଦ୍ର ଓ ତାଙ୍କ ପତିନୀ ଦୀପିକାଙ୍କୁ ଅଫିସକୁ ଡାକିଥିଲେ । ସେଠାରେ କାର୍ୟ୍ୟକ୍ରମ ହେଲା। ହସଖୁସି ଭିତରେ ହଠାତ୍ ପତ୍ନୀ ଦୀପିକା କହିଲେ ତାଙ୍କ ମୁଣ୍ଡ ବୁଲାଉଛି ବୋଲି । କେହି କିଛି ବୁଝିବା ଆଗରୁ ସେହି ଟେବୁଲ ଉପରେ ହିଁ ଟଳିପଡିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

କେଇଟା ମୂହୂର୍ତ୍ତରେ ହସଖୁସିର ପରିବେଶ କାନ୍ଦବୋବାଳିରେ ଫାଟିପଡିଲା। ପତ୍ନୀଙ୍କୁ ହରାଇ ନିଜକୁ ଧିକ୍କାର କରି ବିକଳ ହୋଇ କାନ୍ଦୁଥିଲେ ସ୍ବାମୀ ଦେବେନ୍ଦ୍ର। ସବୁଠୁ ଦୁଃଖର କଥା ହେଉଛି ଦେବେନ୍ଦ୍ରଙ୍କ ୩ ଭାଇ ପତ୍ନୀହରା । ୩ ଭାଇଙ୍କର ପତ୍ନୀଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଛି । ଦେବେନ୍ଦ୍ରଙ୍କ ପତ୍ନୀ ଦୀପିକା ଘରର ଗୋଟିଏ ବୋଲି ବୋହୂ ଭାବରେ ବଞ୍ଚିଥିଲେ। ସେ ବି ଅକାଳରେ ଚାଲିଗଲେ । ତାଙ୍କର ଏଭଳି ମୃତ୍ୟୁରେ ଦେବେନ୍ଦ୍ରଙ୍କ ପୁରା ପରିବାର ଯେପରି ଉଜୁଡିଗଲା । ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନେଟିଜେନ୍ସମାନେ ମଧ୍ୟ ଘୋର ଅବଶୋଷ ବ୍ୟକ୍ତ କରିଛନ୍ତି । ଅଦୃଶ୍ୟ ନିଃଶ୍ବାସ  ଆଗରେ ଧନ ଦୌଲଦ, କ୍ଷମତା ପ୍ରତିପତ୍ତି ସବୁ ଯେ ମୂଲ୍ୟହୀନ । ମୃତ୍ୟୁର ଅଜଣା ଆଗମନରେ ମଣିଷ ଯେ ଏକଥା ଅସହାୟ ଏ ଘଟଣା ଏହାର ଆଉ ଏକ ଉଦାହରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe