କନକ ବ୍ୟୁରୋ : ନିର୍ମାଣ ହେଲା କିନ୍ତୁ କାର୍ଯ୍ୟରେ ଲାଗୁନି । ପଡ଼ି ପଡ଼ି ଖତ ଖାଉଛି ମୂଲ୍ୟବାନ ଯନ୍ତ୍ରାଂଶ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ବନାଇବାର ସ୍ବପ୍ନ ଏବେ ଚାରି କାନ୍ଥ ଭିତରେ ତାଲା ପଡ଼ିଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ନିର୍ମାଣ ହୋଇଥିଲା ଏହି କମ୍ପ୍ଲେକ୍ସ । ୨୦୨୪ ମାର୍ଚ୍ଚ ମାସରେ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ବର୍ଷେ ପରେ ବି କମ୍ପ୍ଲେକ୍ସର ଦାୟିତ୍ବ ନେଉନି ପ୍ରଶାସନ । ଦିନକୁ ମାତ୍ର ୪ ଘଣ୍ଟା ଖୋଲା ରହୁଛି କମ୍ପ୍ଲେକ୍ସ । ତେଣୁ ପିଲାମାନେ ଅଭ୍ୟାସ କରିବାରେ ସମସ୍ୟା ହେଉଛି । ସେପଟେ ଠିକାଦାରଙ୍କ ଅଧିନରେ କାମ କରିବାକୁ ଇଚ୍ଛା କରୁ ନାହାନ୍ତି ପ୍ରଶିକ୍ଷକ ।
କୋରାପୁଟରେ କ୍ରୀଡ଼ାର ବିକାଶ ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । କିନ୍ତୁ ଆନ୍ତରିକତାର ଅଭାବ ଜଳ ଜଳ ହୋଇ ଦିଶୁଛି । ଦୌଡ଼ କୁଦ ପାଇଁ ସିନ୍ଥେଟିକ୍ ଟର୍ପ ରହିଛି । ଫୁଟବଲ, ବାସ୍କେଟ ବଲ, ଟେନିସ, ଜିମ୍ନାଷ୍ଟିକ ପାଇଁ ଭିତ୍ତିଭୂମି ମଧ୍ୟ ଅଛି । କିନ୍ତୁ ପ୍ରଶାସନର ଅବହେଳା ପାଇଁ ଏସବୁ କ୍ରୀଡ଼ାବିତ୍ତଙ୍କ କୌଣସି କାମରେ ଲାଗୁନି । ସନ୍ତରଣ ପାଇଁ ଥିବା ପୁଲ ଏବେ ନଷ୍ଟ ହେବାକୁ ବସିଛି । ସେପଟେ ଠିକାଦାରଙ୍କ ୭ କୋଟି ଟଙ୍କା ବକେୟା ପଡ଼ିଛି । ତେଣୁ ରକ୍ଷଣାବେକ୍ଷଣ ପାଇଁ ଥିବା କର୍ମଚାରୀଙ୍କୁ ପାରିଶ୍ରମିକ ଦେବାରେ ଅକ୍ଷମ ଥିବା କହିଛନ୍ତି ଠିକାଦାର ।
କାମରେ ଆସୁନି କ୍ରୀଡ଼ା କମ୍ପ୍ଲେକ୍ସ । ଖତ ଖାଉଛି ୪୮ କୋଟି ଟଙ୍କା । କାହିଁକି ଅଣଦେଖା କରୁଛି ପ୍ରଶାସନ ? କେବେ ଦାୟିତ୍ବ ନେବେ ସରକାର ? କେମିତି ହେବ କ୍ରୀଡ଼ାର ବିକାଶ?