କନକ ବ୍ୟୁରୋ : କୋରାପୁଟ ଜିଲ୍ଲାର କୁନ୍ଦୁଲି ହାଟ । ରାଜ୍ୟର ସବୁଠାରୁ ବଡ଼ ହାଟ ଭାବେ ପରିଚିତ । ପ୍ରତିଦିନ ଏଠାରୁ ଶହ ଶହ କୁଇଂଟାଲ ତଟକା ପନିପରିବା ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ ହୋଇଥାଏ । ଟମାଟୋ, ବାଇଗଣ, କଦଳୀ, ଅମୃତଭଣ୍ଡା, ଆଳୁ, ଅଦା, ହଳଦୀ, କୋବି, ଗାଜର, କଖାରୁ ଭଳି ଅନେକ ପରିବା ଚାଷୀଙ୍କ ଠାରୁ ଶସ୍ତାରେ କିଣି ବାହାର ରାଜ୍ୟର ବ୍ୟବସାୟୀଙ୍କ ପାଖକୁ ପଠାଇଥାଆନ୍ତି ଦଲାଲ । ପନିପରିବା ଠାରୁ ଆରମ୍ଭ କରି ଶସ୍ୟଜାତୀୟ ଫସଲ ଓ ଛେଳି ମେଣ୍ଡା ସବୁ କିଛି ଗୋଟିଏ ହାଟରେ ମିଳିଥାଏ । ଆଖପାଖ ଅଚଂଳର ଚାଷୀଙ୍କ ପାଇଁ ଏହି ହାଟ ହିଁ ଏକ ମାତ୍ର ବଜାର । ଶିତଳଭଣ୍ଡାର ନଥିବାରୁ ଚାଷୀ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି । ଦଲାଲ ଲାଭବାନ ହେଉଥିବା ବେଳେ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି ।
କୃଷକଙ୍କ ସୁବିଧା ପାଇଁ କୁନ୍ଦୁଲି ଠାରେ ପ୍ରଶାସନ ପକ୍ଷରୁ ୭ କୋଟି ଟଙ୍କା ବ୍ୟୟରେ ଏକ କୃଷିଭିତ୍ତିକ ବଜାର କରାଯାଇଛି । ହେଲେ ଭିତ୍ତିଭୂମି ଓ ପ୍ରୋତ୍ସାହନ ଅଭାବରୁ କୃଷି ବଜାରରେ ଏବେ ତାଲା ଝୁଲୁଛି । କିଛି ଫେରିବାଲା ଦୋକାନ ଘରକୁ ନିଜର ଘର କରିଦେଇଛନ୍ତି । ଦୁଃଖର ବିଷୟ ଯେଉଁଠି ବଜାର ବସୁଛି ସେଠାରେ ସୁବିଧା ନାହିଁ । ଆଉ ଯେଉଁଠି ବଜାର ଅଛି ସେଠାରେ ବ୍ୟବସାୟ ନାହିଁ । ବଜାରକୁ ପାହାଡ଼ ଉପରେ ନିର୍ମାଣ କରାଯାଇଥିବାରୁ ଗମନାଗମନର ସୁବିଧା ନାହିଁ । ଆଲୋକିକରଣ କି ଶୌଚାଳୟର ବ୍ୟବସ୍ଥା ନାହିଁ । କୋଲ୍ଡଷ୍ଟୋରର ସୁବିଧା ନାହିଁ । ଫଳରେ ବଜାର ଖାଁ ଖାଁ ପଡ଼ିଛି ।
ନିଜ ସୁବିଧା ଅନୁସାରେ ପ୍ରଶାସନ ତିଆରି କଲେ। କିନ୍ତୁ ଚାଷୀଙ୍କ ସୁବିଧା ଦେଖିଲେ ନାହିଁ । ଫଳରେ କୋଟି କୋଟି ଟଙ୍କାରେ ନିର୍ମିତ ବଜାର ଏବେ ଖତ ଖାଉଛି ।