କିଏ ସେ ଅଳସୀ ?
-----------------
ଅଳସୀ ! କଣ ଆପଣଙ୍କ ପ୍ରେମିକା ?
ନା ଆଖିମାରି ଇସ୍କ ପାଇଁ 
ଇସାରା ଦେଉଥିବା ନାରୀଟିଏ?
ନା ସିଏ ସରସୀର ଭଉଣୀ
ଯିଏ ନୂଆ ନୂଆ ରିଲ୍ସ କରି
ଇନଷ୍ଟାରେ ଛାଇ ଯାଇଛି...
ନା ନା... ଇଏ ସେ ଅଳସୀ ନୁହେଁ ମ...
ଆଉ ତାହାଲେ ?
ଗୋଟେ ଫୁଲ ପାଇଁ 
ଏତେ ଆକର୍ଷଣ କିଆଁ ?
ଏତେ ପାଗଳପଣ କାହିଁକି ? ?
ନିଜକୁ ଭଅଁର କରିବାକୁ ମଣିଷ ଏତେ ଇଚ୍ଛୁକ କଣ ପାଇଁ... ? ? ?
କାରଣ...

Advertisment

ଅତିଥିର ନାଁ ଅଳସୀ, ଆକର୍ଷଣର ନାଁ ଅଳସୀ, ଆରମ୍ଭର ନାଁ ଅଳସୀ... ଅଳସୀ ଖାଲି ଫୁଲ ନୁହେଁ ଏକ ଉପନ୍ୟାସ, ଚେନାଏ ହଳଦୀ ହସ, ଧାରେ କଅଁଳ କବିତା, କେଉଁ ଶିଳ୍ପୀର ଚିତ୍ର, କେଉଁ କୁଆଁରୀର ପୁଣି ହ୍ୱାଟ୍ସଆପ୍ ଷ୍ଟାଟସ ଅବା ମୁକୁଳା କେଶର ରିଲ୍ସ...

ଯେମିତି ଶୀତ ମାନେ କୋରାପୁଟ, ଆଉ କୋରାପୁଟ ମାନେ ଶୀତ... ସେମିତି ଅଳସୀ ଫୁଲର ହାଟ ମାନେ କୋରାପୁଟର ହୃଦୟ । ଶୀତ ଆସିଲେ ଆସେ ଅଳସୀ, ମାଟିର ମଲାଟ ଉପରେ ଦିଏ ସେ ହସି...

ଶୀତୁଆ ସକାଳ, କୁହୁଡିର ଚାଦର, ସବୁଜିମାର ପାହାଡ ଭିତରେ ହଳଦୀ ଫୁଲର ସମ୍ଭାର । ଆଃ ସତରେ କି ମନମୁଗ୍ଧକର ସେ ଦୃଶ୍ୟ, ସେ ଅନୁଭବ... ଯିଏ ଥରେ ଦେଖିଛି ସିଏ ବାରମ୍ବାର ଏଇ ଅଳସୀର ଅଳସଭଙ୍ଗା ମହକ ପାଇବାକୁ କୋରାପୁଟ ଘନଘନ ଧାଇଁଛି...

ହଁ କୋରାପୁଟ ! ଏଠି ପାହାଡ, ନିଜ ପାଦରେ ପିନେ୍ଧ ହଳଦୀ ରଙ୍ଗର ଅଳତା, ଏଠି ଆକାଶ ଆଖିରେ ଲଗାଏ ହଳଦୀ ରଙ୍ଗର କଜଳ । ପ୍ରାକୃତିକ ସୌନ୍ଦର୍ଯ୍ୟର ଏ ସାମ୍ରାଜ୍ୟ ଭିତରେ ଅଳତାର ରଙ୍ଗ ନାଲି ନୁହେଁ କି କଜଳର ରଙ୍ଗ କଳା ନୁହେଁ... ଏଠି ଅଳସୀ ଆଗରେ ସବୁ ରଙ୍ଗ ଫିକା, ସବୁ କିଛି ହଳଦୀ... ହଳଦୀ...

ସକାଳେ ସଜେଇ ହୋଇ ସଞ୍ଜ ନଇଁବା ଆଗରୁ ନିଜ ଯୌବନକୁ ଘୋଡେଇ ଦେଉଥିବା ଅଳସୀ ଫୁଲ କିନ୍ତୁ ଦିନରେ ଭାରି ଫୁଲେଇ ହୁଏ... କେବେ ପବନ ସହ ଦୋଳି ଖେଳେ ତ କେବେ ବାଟୋଇଙ୍କୁ ଦେଖି ଗୀତ ଗୁଣଗୁଣାଏ । ଶୀତ ଯେତିକି ଯେତିକି ବଢେ କୋରାପୁଟର କାକର ବୁନ୍ଦା, କୋରାପୁଟର କୁହୁଡି, କୋରାପୁଟର କାଠ ନିଆଁ, ଓଷୁମ ଚା ଆଉ ଅଳସୀ ଫୁଲ ସେତେସେତେ ନିଜର ନିଜର ଲାଗେ, ମନରେ ନୂଆ ନୂଆ ରୋମାଞ୍ଚ ଭରେ... ତେଣୁ ଆଉ ଡେରି କାହିଁକି ଅଳସୀକୁ ନେଇ ଏ ସୁନ୍ଦର କାହାଣୀ ଶୁଣିବା ପରେ ଓଡିଶାର ଭୂସ୍ୱର୍ଗ କୋରାପୁଟରେ ଥରେ ଭେଟି ଆସନ୍ତୁ ଏ ଅତିଥିମାନଙ୍କୁ...