କନକ ବ୍ୟୁରୋ: ଆଜିର ଦୁନିଆରେ ନେଟୱର୍କ ବିନା ଚଳିବା ବହୁତ କଷ୍ଟ । ପ୍ରତ୍ୟେକ କାମ କେବଳ ଅନ୍ ଲାଇନରେ ହେଉଛି । କିନ୍ତୁ ଆଜିବି ଲୋକଙ୍କୁ ଫୋନରେ କଥା ହେବା ପାଇଁ କିମ୍ବା ଅନ୍ ଲାଇନ୍ କାମ ପାଇଁ କିଏ ତ ଦୁଇରୁ ତିନି କିଲୋମିଟର ଯାଉଛି କିଏ ତ ଗଛ କିମ୍ୱା ଛାତ ଉପରକୁ ଯାଉଛି ।
ଗାଁରେ ନେଟୱର୍କ ସମସ୍ୟା । ମୋବାଇଲ ଟାୱାର ବି କାମ କରୁନି । ଜରୁରୀକାଳୀନ ସମୟରେ ଉପୁଜୁଛି ସମସ୍ୟା । ଏହା କୌଣସି ଦୁର୍ଗମ ଅଞ୍ଚଳ ନୁହେଁ, ଏହି ଗାଁ ଦେଇ ୫୬ନମ୍ବର ଓଡ଼ିଶା ରାଜପଥ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଛି। ଗାଁରେ ମୋବାଇଲ ଟାୱାର ଅଛି, ୱାଇଫାଇ କନେକ୍ଟ ବି ହୋଇଛି । ହେଲେ ଏସବୁ ନାମକୁ ମାତ୍ର । ମାସ ମାସ ଧରି ନେଟୱର୍କ ରହୁନଥିବା ବେଳେ ଗାଁର ଲୋକମାନେ ବହୁ ଅସୁବିଧା ଭୋଗୁଛନ୍ତି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତ ରାଣୀତୋଟା ଗ୍ରାମରେ ଏହି ସମସ୍ୟା ଯୋଗୁ ଲୋକେ ଜରୁରୀକାଳୀନ କାମ କିଛି କରିପାରୁନାହାନ୍ତି । ନେଟୱର୍କ ସମସ୍ୟା ଯୋଗୁ ନା ଆମ୍ବୁଲାନ୍ସକୁ ଯୋଗଯୋଗ କରିହେଉଛି ନା କୌଣସି ଅନଲାଇନ୍ କାମ ହେଉଛି । ଲୋକେ ବାଧ୍ୟହୋଇ କିଏ ଖୁଣ୍ଟି ଉପରେ ଚଢୁଛି ତ ଆଉ କିଏ ଗଛ ଉପରେ ଚଢି କାମ ଚଳେଇ ଦେଉଛନ୍ତି । ସମସ୍ୟା ନେଇ ଜଣାଇଥିଲେ ବି ଏଯାଏ ସମାଧାନ ହୋଇପାରୁନି ।
ଅନ୍ୟଦିନ ତ ଦୂରକଥା ବର୍ଷା ଦିନରେ ଅନେକ ସମସ୍ୟା ଦେଖାଦେଉଛି । ଏନେଇ ଗାଁର ଲୋକମାନେ ଅଭିଯୋଗ କରିଥିଲେ । ଯେଉଁସବୁ ଗାଁରେ ନେଟୱର୍କ ନାହିଁ ଏକ ତାଲିକା ପ୍ରସ୍ତୁତ ହୋଇସାରିଛି । ଅତି ଶୀଘ୍ର ରାଣୀତୋଟା ସହ ଅନ୍ୟ ଗାଁ ମାନଙ୍କରେ ନେଟୱର୍କ ସମସ୍ୟା ଦୂର ହେବବୋଲି ମିଳିଛି ପ୍ରତିଶ୍ରୁତି ।
ଗାଁରେ ନେଟର୍ୱକ ସମସ୍ୟା ଯୋଗୁ. ଲୋକେ ବହୁ ସମସ୍ୟା ଭୋଗୁଥିବା ବେଳେ ଏଥିପ୍ରତି ଗୁରୁତ୍ବଦିଆଯାଇ ଖୁବଶୀଘ୍ର ସମାଧାନ କରାଯିବା ଜରୁରୀ ହୋଇଛି ।