କନକ ବ୍ୟୁରୋ: ଜିଲ୍ଲା ଭିର୍ତ୍ତିକ ଶିକ୍ଷକ ନିଯୁକ୍ତିକୁ ନେଇ ତେଜୁଛି ରାଜନୀତି। ଦୋଷ ଲଦାଲଦି ହେଲେ ଦୁଇ ବିଧାୟକ । ଆଗାମୀ ଦିନରେ ଯଦି ଜିଲ୍ଲା ଭିର୍ତ୍ତିକ ନିଯୁକ୍ତି ନହୁଏ ତେବେ ବଡ ଧରଣର ଆନ୍ଦୋଳନ ହେବ। ଚାକିରି ଆଶାୟୀ ଏଭଳି ଚେତାବନୀ ଦେଇଥିବା ଗଣ ଶିକ୍ଷାମନ୍ତ୍ରୀ କହିଛନ୍ତି, କୋରାପୁଟରେ ଶିକ୍ଷକଙ୍କ ଅଭାବ ରହିଛି । ଖାଲି ଥିବା ପଦବୀ ପୂରଣ ହେବ। ଜିଲ୍ଲା ଭିର୍ତ୍ତିକ ଶିକ୍ଷକ ନିଯୁକ୍ତି ନେଇ ଅନୁଧ୍ୟାନ କରାଯିବ।
କୋରାପୁଟରେ ପୁଣି ଜୋରଧରିଛି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି। କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ମୁଣ୍ଡ କେଟିଛି ବିବାଦ। ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ଚାକିରି ଆଶାୟୀ ଦାବି କରିଛନ୍ତି। ଜିଲ୍ଲା ଭିତ୍ତିକ ଶିକ୍ଷକ ନଥିବାରୁ ଆଦିବାସୀ ବହୁଳ ଅଂଚଳରେ ଆଞ୍ଚଳିକ ଭାଷାରେ ଶିକ୍ଷାଲାଭ କରିବାରୁ ବଂଚିତ ହେଉଛନ୍ତି ଛାତ୍ରଛାତ୍ରୀ। ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ବର୍ଷବର୍ଷ ଧରି ଦାବି ହେଉଥିଲେ ବି ସରକାର ଧ୍ୟାନ ଦେଉନଥିବା ଚାକିରି ଆଶାୟୀ ଅଭିଯୋଗ କରିଛନ୍ତି।
କୋରାପୁଟ ଜିଲ୍ଲାରେ ସରକାରୀ ଓ ବେସରକାରୀ ଭାବେ ୭ ହଜାର ୭୯୮ଟି ବିଦ୍ୟାଳୟ ରହିଛି। ୭ ହଜାର ୭୯୮ ଜଣ ଶିକ୍ଷକ ଅଛନ୍ତି। କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କୋରାପୁଟର ୧ ହଜାର ୧୮୮ଟି ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି କ୍ଷ ଓସେପା ଦ୍ଵାରା ପରିଚାଳିତ ପରୀକ୍ଷା ପରେ ୧ହଜାର ୧୦୭ ଜଣ ପ୍ରାର୍ଥୀଙ୍କ ସାର୍ଟିଫିକେଟ ଯାଞ୍ଜ ହୋଇଛି। ୯୨୨ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେଥିରେ କୋରାପୁଟ ଜିଲ୍ଲାର ମାତ୍ର ୪୦ ଜଣ ରହିଛନ୍ତି। ଏକଥା ଜଣାପଡ଼ିବା ପରେ ଜିଲ୍ଲା ଭିତ୍ତିର ନିଯୁକ୍ତି ନେଇ ରାଜନୀତି ଜୋର ଧରିଛି । ଜିଲ୍ଲାର ଦୁଇ ବିଧାୟକ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ କୋରାପୁଟ ବିଧାୟକ ରଘୁରାମ ମାଛ ଦୋଷ ଲଦାଲଦି ହୋଇଛନ୍ତି। ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଏ ପ୍ରସଙ୍ଗରେ ଅନୁଧ୍ୟାନ କରାଯିବ। ପ୍ରଥମିକତା ଦୃଷ୍ଟିରୁ ଆଗେ ଖାଲିଥିବା ଶିକ୍ଷକ ପଦ ପୂରଣ କରାଯିବ ।
ଜିଲ୍ଲା ଭିତିକ ନିଯୁକ୍ତ ହେଲେ ସ୍ଥାନୀୟ ଅଂଚଳର ବେକାରୀ ସମସ୍ୟା ଦୂର ହେବା ସହ ଆଦିବାସୀ ଅଂଚଳର ଛାତ୍ରଛାତ୍ରୀ ଆଂଚଳିକ ଭାଷାରେ ଶିକ୍ଷା ଗ୍ରହଣ କରିବା ସହଜ ହେବ।