କନକ ବ୍ୟୁରୋ: କୋରାପୁଟ ପଣ୍ଡିଘାଟରେ ଚାଲିବ କ୍ରୁଜ୍, ଉଡିବ ହଟ୍ ବେଲୁନ୍ । ପର୍ଯ୍ୟଟକଙ୍କୁ ମିଳିବ  ଗୋଆ ଭଳି ପର୍ଯ୍ୟଟନ ଭଳି ସବୁ ସୁବିଧା । କୋରାପୁଟ ଜିଲ୍ଲାକୁ ପର୍ଯ୍ୟଟନ କ୍ଷେତ୍ରରେ ଆଗେଇ ନେବାକୁ  ରାଜ୍ୟ ସରକାର ନେଇଛନ୍ତି ଏଭଳି ଯୁଗାନ୍ତକାରୀ ପଦକ୍ଷେପ । 

Advertisment

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ କୋରାପୁଟ ଜିଲ୍ଲା କୋଲାବ ଜଳଭଣ୍ଡାର ପଣ୍ଡିଘାଟରେ ଚଳାଚଳ କରିବ ଅତ୍ୟାଧୁନିକ କ୍ରୁଜ୍  ।  କୋରାପୁଟ କଫିର ପିଇବା ସହ ପଣ୍ଡିଘାଟରେ କ୍ରୁଜରେ ବୁଲି ବୁଲି  ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ ପର୍ଯ୍ୟଟକ । ପୂର୍ବରୁ ଏଠାରେ ପର୍ଯ୍ୟଟକଙ୍କ ଲାଗି କେବଳ ମୋଟର ଚାଳିତ ବୋଟ୍ ରହିଥିଲା ।  ହେଲେ ଆଗକୁ ଏଠାରେ ଭାସିବ ଅତ୍ୟାଧୁନିକ ସୁବିଧା ଥିବା ଟୁରିଷ୍ଟ କ୍ରୁଜ୍ । ପଣ୍ଡିଘାଟର ଉନ୍ନତିକରଣ ଲାଗି ବଡ଼ ଯୋଜନା ପ୍ରସ୍ତୁତ ହୋଇଛି  ।  ପର୍ଯ୍ୟଟନ ବିଭାଗ ପକ୍ଷରୁ  କ୍ରୁଜ୍ କିଣିବା ନିମନ୍ତେ ଅର୍ଡର ଦିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  ସେହିପରି ପଣ୍ଡିଘାଟରେ ୧୦ କୋଟି ଟଙ୍କାରେ ସଂଗ୍ରହାଳୟ ନିର୍ମାଣ ହେବାକୁ ବ୍ୟୟବରାଦ ହୋଇଛି ।  
କୋରାପୁଟ ସହର ଠାରୁ ୮କିମି ଦୂରରେ କୋଲାବ ଜଳଭଣ୍ଡାର କୂଳରେ ପଣ୍ଡିଘାଟ । ଜଳଭଣ୍ଡାର ମଧ୍ୟରେ ରହିଥିବା ୪ଟି ଟାପୁର ସୌନ୍ଦର୍ଯ୍ୟକରଣ ସହ ଘାଟରେ ଜଳକ୍ରୀଡା, ବୋଟିଂ ବ୍ୟବସ୍ଥା ନିମନ୍ତେ ଡିପିଆର୍ ହୋଇଛି  ।  ଏଠାକାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଅନ୍ୟ କେଉଁ ଜିଲ୍ଲାରେ ଦେଖିବାକୁ ମିଳେ ନାହିଁ  ।  ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋରାପୁଟ କଫି, କଳାଜିରା ଧାନ, ମାଣ୍ଡିଆ, ସୁଆଁ ସହ ପର୍ୟ୍ୟଟନସ୍ଥଳକୁ ଯୋଡି ବ୍ରାଣ୍ଡିଂ କରିବାକୁ ଯୋଜନା ହୋଇଛି  ।  ପଣ୍ଡିଘାଟର ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ, ରାସ୍ତା, ପାର୍କିଂ, ବୋଟିଂ ଓ ଜଳକ୍ରୀଡ଼ାର ବ୍ୟବସ୍ଥା କରାଯିବ  ।  

ସବୁଠୁ  ଖୁସି କଥା ହେଉଛି ଖାଲି ବୋଟିଂ ନୁହେଁ ଏଠାରେ ଗୋଆ ଭଳି ହଟ୍ ବେଲୁନରେ ବୁଲିବା ମଜା ନେବେ ପର୍ଯ୍ୟଟକ । ଏ ଭିଡିଓକୁ ଦେଖୁଛନ୍ତି, ପଣ୍ଡିଘାଟିରେ ହଟ ବେଲୁନ୍ ଉଡାଣ ପରୀକ୍ଷଣ ହୋଇସାରିଛି । ୟାକୁ ଦେଖିବାକୁ ସେଠାରେ ଲୋକଙ୍କ ଭିଡ ଜମିଥିଲା । ପୂର୍ବରୁ ବି ପଣ୍ଡିଘାଟକୁ ପର୍ଯ୍ୟଟକକୁ ସୁଅ ଛୁଟୁଥିବାବେଳେ ଆଗକୁ କ୍ରୁଜ୍ ଓ ହଟ୍ ବେଲୁନର ସୁବିଧା ସହ ସେମାନଙ୍କ ସଂଖ୍ୟା ନିଶ୍ଚୟ ବଢିବ ଓ କୋରାପୁଟ ଜିଲ୍ଲା ପର୍ଯ୍ୟଟନରେ ଆଗେଇବ ଏଥିରେ ଆଶଙ୍କା ନାହିଁ ।

ପଣ୍ଡିଘାଟର ପର୍ଯ୍ୟଟନ ଦୃଢ ହେଲେ ଏଠିକାର ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ବାଟ ଫିଟିବ, ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେବ ଏହାକୁ ନେଇ ଲୋକଙ୍କ ମନ ଭାରି ଖୁସି ।