କନକ ବ୍ୟୁରୋ : ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଦିନକୁ ଦିନ ଘନ କୁହୁଡ଼ି ସାଙ୍ଗକୁ ଥଣ୍ଡାର ଥାର୍ଡ ଡିଗ୍ରୀ ବଢିବାରେ ଲାଗିଛି । ଶିମିଳିପାଳରେ ମାଇନସ ଡିଗ୍ରୀକୁ ଖସିଛି ପାରଦ। ସେପଟେ ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଂଚଳରେ ଭୀଷଣ ତୁଷାରପାତ ଦେଖିବାକୁ ମିଳିଛି । ପାଣିପାଗ ବିଭାଗର ଆକଳନ ଆହୁରି ସପ୍ତାହେ ଯାଏଁ ଥଣ୍ଡାରୁ ନିସ୍ତାର ନାହିଁ । ସୂର୍ଯ୍ୟ ଅସ୍ତ ହେଲେ ବାଘ ଭଳି ମାଡ଼ି ଆସୁଛି ଜାଡ଼ । ଶୀତ ଏମିତି ହେଉଛି ଯେ ସହିହେଉନି । ରାତି ହେଲେ ଥଣ୍ଡାରେ ଦେହ ଥରୁଛି, ଠକ୍ ଠକ୍ ଦାନ୍ତରେ ବାଡ଼େଇ ହେଉଛି ଦାନ୍ତ । କି ଉପକୂଳ କି ଉପାନ୍ତ, ଥଣ୍ଡାରେ ଥରହର ସାରା ରାଜ୍ୟ । ଶିମିଳିପାଳରେ ମାଇନସ୍‌ ଡିଗ୍ରିକୁ ଖସିଛି ପାରଦ ।

Advertisment

କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୨.୬ ଡିଗ୍ରି ଓ ରାଉରକେଲାରେ ୩.୬ ଡିଗ୍ରି ପାରଦ ରେକର୍ଡ ହୋଇଛି । ଯାହା ସର୍ବକାଳୀନ ସର୍ବନିମ୍ନ ରେକର୍ଡ ବୋଲି କହିଛି ପାଣିପାଗ ବିଭାଗ । ଏପଟେ  କୋରାପୁଟକୁ ଟପିଯାଇଛି କଟକ ଓ ଭୁବନେଶ୍ୱରର ଜାଡ଼ । କୋରାପୁଟରେ ରାତି ତାପମାତ୍ରା ୯.୫ ଡିଗ୍ରି ଥିବାବେଳେ କଟକରେ ୮.୬ ଓ ଭୁବନେଶ୍ବରରେ ୯.୪ ଡିଗ୍ରି ରେକର୍ଡ କରାଯାଇଛି । ରାଜ୍ୟରେ ୨୫ଟି ସହରରେ ୧୦ ଡିଗ୍ରି କିମ୍ବା ତା’ତଳେ ରହିଛି ପାରଦ । ସେପଟେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଞ୍ଚଳ ଓ କେନ୍ଦୁଝରର ତେଲକୋଇରେ ହୋଇଛି ତୁଷାରପାତ ।

ଅଧିକ ପଢ଼ନ୍ତୁ---ଉଦଘାଟନ ପରଠୁ କଲ୍ୟାଣମଣ୍ଡପରେ ପଡ଼ିଛି ତାଲା, ୮ ବର୍ଷ ବିତିଯାଇଥିଲେ ବି ହୋଇପାରିଲାନି କାର୍ଯ୍ୟକ୍ଷମ

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜି ରାତିରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କଟକ ଓ ଖୋର୍ଦ୍ଧାରେ ପ୍ରବଳ ଶୀତ ଲହରି ଅନୁଭୂତ ହେବ । ଆସନ୍ତାକାଲି ପାଇଁ ଝାରୁସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଓ ଢେଙ୍କାନାଳକୁ ପ୍ରବଳ ଥଣ୍ଡା ନେଇ ସତର୍କତା ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବାପତର ବାହ୍ୟ ବାଦଲ ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଆଂଶିକ ମେଘୁଆ ପାଗ ରହିବ। ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୧୨ ଜାନୁଆରି ପରେ ରାଜ୍ୟରେ ପୁଣି ପାରଦ ତଳକୁ ଖସିବ ।