କନକବ୍ୟୁରୋ : ଖରା ଦିନ ଆରମ୍ଭରୁ ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲାଣି ବନବିଭାଗ । ପୋଡୁ ଚାଷରୁ ଦୂରେଇ ରହିବା ସହ ଜଙ୍ଗଲକୁ କିପରି ସୁରକ୍ଷା ଦେଇ ହେବ ସେଥିପାଇଁ ଗଠନ କରାଯାଇଛି ବନାଞ୍ଚଳ ନିର୍ବାପକ ବାହିନୀ । ଏସ୍ଏଚ୍ଜି ମହିଳାଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯାଉଛି। ଜଙ୍ଗଲକୁ ନିଆଁ ଦାୟୁରୁ ରକ୍ଷା କରିବା ପାଇଁ ପ୍ରତି ୫ କିଲୋମିଟର ଭିତରେ ମଞ୍ଚା ବନ୍ଧା ଯାଇଛି। ଜଙ୍ଗଲକୁ ନିଆଁ ଦାୟୁରୁ ରକ୍ଷା କରିବା ପାଇଁ ବନ ବିଭାଗ ପ୍ରସ୍ତୁତ ରହିଛି। ଖରାଦିନେ ବନ ବିଭାଗକୁ ନାକେଦମ୍ କରେ ବନାଗ୍ନୀ ।
ପୋଡୁଚାଷ ହେଉ କିମ୍ବା ମନ୍ଦ ଉଦ୍ୟସରେ କିଏ ନିଆଁ ଲଗାଉ । ହୁତୁ ହୁତୁ ହୋଇ ଜଳିଯାଏ ଜଙ୍ଗଲ । ନିଆଁ ଲିଭାଇ ପରିବେଶ ଓ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ପାଇଁ ସଂଘର୍ଷ କରନ୍ତି ବନ କର୍ମଚାରୀ। ଚଳିତ ବର୍ଷ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି କୋରାପୁଟ ବନ ବିଭାଗ । କୋରାପୁଟ ବନଖଣ୍ଡରେ ନିଆଁ ରୋକିବାକୁ ନିରୋଧକ ମଞ୍ଚା ଫଣ୍ଡା ଆପଣାଇଛି ବିଭାଗ। ବନ କର୍ମଚାରୀ ଓ ଏସ୍ଏଚ୍ଜି ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।
କୋରାପୁଟ ଜିଲ୍ଲାର ୬ଟି ବନାଞ୍ଚଳରେ ୬୦ଟି ମଞ୍ଚା କରାଯାଇଛି। କୋରାପୁଟ, ନାରାୟଣପାଟଣା, ବନ୍ଧୁଗାଁ, ଲମତାପୁଟ, ଲକ୍ଷ୍ମୀପୁର, ସେମିଳିଗୁଡା, ପଟ୍ଟାଙ୍ଗୀରେ ମଞ୍ଚା ଦେଖିବାକୁ ମିଳୁଛି। ମଞ୍ଚରେ ରହିବ ପାନୀୟ ଜଳ, ଓଆରଏସ, ୱାକିଟକି ଏବଂ ଅଗ୍ନିନିର୍ବାପକ ଯନ୍ତ୍ର । ନିୟୋଜିତ ହୋଇଛନ୍ତି ତାଲିମ୍ପ୍ରାପ୍ତ ସ୍ୱତନ୍ତ୍ର ବନ କର୍ମଚାରୀ । ଦୂରରେ ନିଆଁ କିମ୍ବା ଧୁଆଁ ଦେଖିଲେ ତୁରନ୍ତ ବିଭାଗକୁ ଖବର ଦେବା ସହ ଘଟଣାସ୍ଥଳରେ ପହଞ୍ଚିବେ ।
ଏହି ନୂଆ ପରିକଳ୍ପନା ଯୋଗୁଁ ଜଣେ ଲେଖାଏଁ ବନରକ୍ଷୀଙ୍କ ଅଧିନରେ ୫ଶହ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି ଆଶା ରଖିଛନ୍ତି କୋରାପୁଟ ଡିଏଫଓ। ନିଆଁ ଜଙ୍ଗଲରେ ବିଭିନ୍ନ କାରଣରୁ ଲଗାଉଥିବାରୁ ଲୋକଙ୍କ ସଚେତନତା କରାଯାଉଛି। ଗାଁ ଗାଁରେ ଦେଶିଆ ଭାଷାର ନାଟକ ମାଧ୍ୟମର ସଚେତନତା କରାଯାଉଛି । ଏକାଧିକ କଣ୍ଟ୍ରୋଲ ରୁମ ସହ ଅଧିକରୁ ଅଧିକ ଗ୍ରାମବାସୀଙ୍କୁ ଜଙ୍ଗଲ ସୁରକ୍ଷ କାମରେ ସାମିଲ କରିଛି ବିଭାଗ। ଖରାଦିନ ପାହାଡ଼ ଉପରେ ଜଙ୍ଗଲୀ ଜନ୍ତୁ କେମିତି ପିଇବା ପାଣି ପାଇପାରିବେ ସେନେଇ ମଧ୍ୟ ସମସ୍ତ ବନ୍ଦ ବ୍ୟସ୍ତ କରାଯାଇଛି l ବନ ବିଭାଗର ଏପରି ଉଦ୍ୟମକୁ ସ୍ୱାଗତ କରିଛନ୍ତି ପରିବେଶବିତ୍।