କନକ ବ୍ୟୁରୋ: କଫି, ମାଣ୍ଡିଆ, ଅଦା ଓ ହଳଦୀ ଭଳି କୋରାପୁଟରେ ଧନିଆ ଚାଷ କରି ଚାଷୀ ଲାଭବାନ ହେଉଛନ୍ତି । ଏହି ଚାଷ ପାଇଁ ସମତଳ ଜମି କି ଖାଲୁଆ ଜମିର ଆବଶ୍ୟକତାକା ପଡ଼ୁନାହିଁ । ପାହାଡ଼ିଆ ଜମିରେ ଧନିଆ ଚାଷ କରି ଚାଷୀ ଉପକୃତ ହେଉଛନ୍ତି । ଆଉ ରାଜଧାନୀରେ ବିକ୍ରି ହେଉଛି କୋରାପୁଟ ଧନିଆ । ଏଥିପାଇଁ ନା ସାରର ଆବଶ୍ୟକତା ପଡ଼ୁଛି । ନା ବେଶୀ କିଛି ପରିଶ୍ରମ କରିବାକୁ ପଡ଼ୁଛି । ଜୈବିକ ପଦ୍ଧତିର ହେଉଥିବା ଏହି ଚାଷ ମାତ୍ର ୪୫ ଦିନରେ ଅମଳ ହେଉଛି । ଚାଷ ଜମିରେ ଏକାଧିକ ମହିଳା କାମ କରୁଛନ୍ତି । କିଏ ଗଛ ଉପଡୁଛି, ତ ଆଉ କିଏ ବିଡା ବାନ୍ଧୁଛି। ଘର କାମ ସରିଗଲା ପରେ ଏହି କାମରେ ଲାଗିପଡ଼ନ୍ତି ପୁରା ପରିବାର ।
କ୍ଷେତରୁ ଅମଳ କରିବା ପରେ ବିଡ଼ା ବାନ୍ଧି ବିକ୍ରି କରନ୍ତି ଚାଷୀ । ଗାଡ଼ିରେ ଲଦି ରାଜଧାନୀକୁ ବିକ୍ରି ପାଇଁ ପଠାନ୍ତି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳର ପୁକାଲି, ସମ୍ବାଇ, ନୂଆଗାଁରେ ପ୍ରଚୁର ପରିମାଣର ଧନିଆ ଚାଷ ହେଉଛି । ପଡ଼ୋଶୀ ରାଜ୍ୟ ଆନ୍ଧ୍ର ସହିତ ଭୁବନେଶ୍ୱର, କଟକ, ବ୍ରହ୍ମପୁରକୁ ରପ୍ତାନୀ ହେଉଛି । ଗୋଟିଏ ଏକର ପିଛା ୨୦ ହଜାରରୁ ୨୫ହଜାର ଟଙ୍କା ଖର୍ଚ୍ଚ ହେଉଛି । ୪୫ ଦିନରେ ୫୦ ରୁ ୬୦ ହଜାର ଟଙ୍କା ମିଳୁଛି । ଚାଷୀ ମାନେ ଗୋଟିଏ ଟ୍ରେ ୨୦୦ ଟଙ୍କାରେ ବେପାରୀ ମାନଙ୍କୁ ବିକ୍ରି କରୁଥିବା ବେଳେ ବେପାରୀ ମାନେ ବଜାରରେ ଟ୍ରେ ପିଛା ୪୦୦ ରୁ ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଅନ୍ୟଚାଷରେ ଅଧିକ ପରିଶ୍ରମ କରିବାକୁ ପଡୁଥିବା ବେଳେ ଏହି ଚାଷରେ ବିଶେଷ କିଛି ପରିଶ୍ରମ ପଡ଼ୁନାହିଁ । ବଜାର ଚାହିଦା ଅଧିକା ଥିବାରୁ ବିକ୍ରି ପାଇଁ କୌଣସି ଅସୁବିଧା ହୁଏ ନାହିଁ ବୋଲି ଚାଷୀ କହିଛନ୍ତି । ଯେଉଁ ଜମି ଦିନେ ଜଙ୍ଗଲ ହୋଇ ପଡ଼ିଥିଲା ସେଠାରେ ଏବେ ସୁନା ଫଳିଛି । ନା ଚାଷର ଚିନ୍ତା ନା ବ୍ୟବସାୟର, ସବୁ କିଛି ହାତ ପାହାନ୍ତାରେ ମିଳିଯାଉଛି ।