କନକ ବ୍ୟୁରୋ:   ଶୁଭାଶିଷ ରଥ, ବୀର, ସାହାସୀ ହେବାକୁ ସବୁବେଳେ କହୁଥିବା କୁନି ପୁଅ ଆଜି ଯୁବକ ହୋଇଯାଇଛନ୍ତି, ଏହା ସହ ପୂରଣ ହୋଇଛି ତାଙ୍କ ସେ ପିଲାଦିନର ସ୍ବପ୍ନ । ଶୁଭାଶିଷ ଯାହା କରିଛନ୍ତି ତାହା ଖାଲି ନିଜ ପରିବାର ପାଇଁ ନୁହେଁ ସାରା କୋରାପୁଟ ମାଟି ପାଇଁ ଆଣିଛି ଅପାର ଖୁସି ଆଉ ଗୌରବ । ଏଇ ବୟସରେ ସେ ପାଇଛନ୍ତି ଭାରତୀୟ ସେନାରେ ଲେପ୍ଟେନାଣ୍ଟ ପୋଜିସନ୍ । 

Advertisment

ଏଇ କୋରାପୁଟ ମାଟିରେ ସ୍କୁଲ , କଲେଜ ପଢା ସାରିଲେ । ଗ୍ରାଜୁଏସନ୍ ପରେ ସିଡିଏ ଜଏନ୍ କରି  ଚେନ୍ନାଇ ଅଫିସର୍ସ ଟ୍ରେନିଙ୍ଗ ଏକାଡେମୀରୁ କୃତିତ୍ବର ସହ ଉତ୍ତିର୍ଣ୍ଣ ହେଲେ । ଆଜି ସେ ସେନାରେ ଲେପ୍ଟେନାଣ୍ଟ ଭାବେ ଯୋଗ ଦେବାକୁ ଯାଉଛନ୍ତି ।  ସେନାରେ ଗୁରୁଦାୟିତ୍ବ ତୁଲାଇବାକୁ ଯାଉଛନ୍ତି । ଏଇ ବୟସରେ ଏଭଳି କୃତିତ୍ବ ପାଇବା ସତରେ ଭାରି କଠିନ । କଠିନ ପରିଶ୍ରମ ଓ ଅସୀମ ଧୈର୍ଯ୍ୟର ଉଦାହରଣ ସୃଷ୍ଟି କରିଛନ୍ତି ଶୁଭାଶିଷ । 

ତାଙ୍କୁ ପାଖରେ ପାଇ ତାଙ୍କ ପରିବାରଠାରୁ ଆରମ୍ଭ କରି ତାଙ୍କ ସାଙ୍ଗସାଥୀ , ଶିକ୍ଷକ ସମସ୍ତଙ୍କ ଛାତି କୁଣ୍ଢେମୋଟ । ଶୁଭାଶିଷଙ୍କ ସାହାସକୁ ତ ମାନିବାକୁ ପଡିବ । ହେଲେ ଧନ୍ୟ
କହିବ ସେ ବାପା, ମା’ଙ୍କୁ ଯିଏ ଗୋଟିଏ ବୋଲି ପୁଅକୁ ସେନାକୁ ଛାଡି ନିଜ ଛାତିକୁ ପଥର କରିପାରିଛନ୍ତି ଆଉ ନିଜ କଲିଜାକୁ ଦେଶ ପାଇଁ ବାଢିଦେଇଛନ୍ତି ।

ଶୁଭାଶିଷଙ୍କୁ ଦେଖିବା ପରେ ମନ କହୁଛି ପ୍ରତି ବାପା, ମା’ଙ୍କୁ ଶୁଭାଶିଷ ଭଳି ସୁନା ପୁଅ ମିଳନ୍ତା, ଆଉ ଆମ ଦେଶକୁ ଏଭଳି ବୀର ପୁଅ ମିଳନ୍ତେ, ଶେଷରେ ଶୁଭାଶିଷଙ୍କୁ ଅନେକ ଅନେକ ଶୁଭେଚ୍ଛା ।