କନକ ବ୍ୟୁରୋ: ମାଣ୍ଡିଆକୁ ନେଇ ସରକାରଙ୍କର ଅନେକ ସ୍ବପ୍ନ । ପିଲାଙ୍କ ଖାଇବା ଥାଳିରେ ମାଣ୍ଡିଆକୁ ସାମିଲ୍‌ କରାଯାଇଛି । କିନ୍ତୁ ବାସ୍ତବରେ ମାଣ୍ଡିଆ ରାଜ୍ୟରେ କେମିତି ଉତ୍ପାଦନ ହେଉଛି ? ଏହାକୁ ବିକ୍ରି କରିବାକୁ ଚାଷୀ କେତେ ହଇରାଣ ହେଉଛି ? ତାହା କେହି ଦେଖୁନାହାନ୍ତି । କାଗଜପତ୍ରରେ ତ ମାଣ୍ଡିଆ ଟନ୍‌ ଟନ୍‌ ଉତ୍ପାଦନ ହେଉଛି, ହେଲେ ବାସ୍ତବ ଚିତ୍ର କ’ଣ ? ତାହାକୁ ପରଖିଛି କନକ ନ୍ୟୁଜ୍‌ ଟିମ୍‌ । 

Advertisment

 
ମାଣ୍ଡିଆର ଭୂସ୍ବର୍ଗ କୋରାପୁଟ । ଜିଲ୍ଲାର କୁନ୍ଦୁରା, କୋଟପାଡ଼, ଲକ୍ଷ୍ମୀପୁର ଓ ବୈପାରୀଗୁଡ଼ାରେ ପ୍ରବଳ ମାଣ୍ଡିଆ ଚାଷ ହୁଏ । କିନ୍ତୁ ଚାଷୀ ଯେବେ ଉତ୍ପାଦିତ ମାଣ୍ଡିଆକୁ ବିକିବାକୁ ଯାଏ, ସେବେ ମାଡ଼ି ବସନ୍ତି ଦଲାଲ । ଜିଲ୍ଲାରେ କେବେ ମାଣ୍ଡିଆ ମଣ୍ଡି ଖୋଲେ କେହି ଜାଣି ନପାରିବାରୁ ବାଧ୍ୟହୋଇ ଦଲାଲ୍‌ ହାତକୁ ଯାଏ ବର୍ଷକର ଅମଳ । ସେପଟେ ରାୟଗଡ଼ାରେ ମାଣ୍ଡିଆ ଚାଷ ବଢ଼ୁଛି ସତ କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରୁ ମୁହଁ ମୋଡ଼ୁଛନ୍ତି ଚାଷୀ । ବିକ୍ରିବଟା ସମସ୍ୟା ଓ ପାଉଣା ପାଇବାରେ ବିଳମ୍ବ ସେମାନଙ୍କ ମନୋବଳ ଭାଙ୍ଗି ଦେଉଥିବା ଅଭିଯୋଗ ହେଉଛି ।
 
ଏ ହେଉଛି ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର ବାସ୍ତବତା । ଉପକୂଳରେ ଆଜି ବି ଉଧେଇ ପାରୁନି ମାଣ୍ଡିଆ ଚାଷ । ଧାନ ପରେ ବିଲ ପଡ଼ିଆ ପଡ଼ିଛି । କିନ୍ତୁ କୃଷି ବିଭାଗ ମାଣ୍ଡିଆ ଚାଷ ଲାଗି ଆନ୍ତରିକତା ଦେଖାଉନି । ଫଳରେ ଶହ ଶହ ଏକର ଚାଷ ଜମି ଥାଇ ବି ଉପକୂଳିଆ ଜିଲ୍ଲାର ଚାଷୀ, ମାଣ୍ଡିଆ ଚାଷ କରିପାରୁନାହାନ୍ତି । ଏବେ ବି ଭଦ୍ରକ, ଦେବଗଡ଼, ଜଗତସିଂହପୁର ଜିଲ୍ଲାରେ ୨୫୦ ଏକର ଟପି ପାରୁନି ମାଣ୍ଡିଆ ଚାଷ । ତଥାପି ଯେତିକି ଜମିରେ ଚାଷ ହେଉଛି, ସେଠାରେ ଉତ୍ପାଦନ ଭଲ ହେବାର ସମ୍ଭାବନା ଅଧିକ।
 
୨୦୧୭ରୁ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି ଶ୍ରୀଅନ୍ନ ଅଭିଯାନ। ମିଲେଟ୍‌ ମିଶନ୍ ଜରିଆରେ ଚାଷୀଙ୍କୁ ସ୍ବାବଲମ୍ବୀ କରାଯାଉଥିବା କହୁଛନ୍ତି ସରକାର । ହେଲେ ବାସ୍ତବତା ବୟାନ କରୁଛି, ସତ କ’ଣ ?