କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟ ମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା କାମ ଠପ୍ ହୋଇଯାଇଛି । ତିନିବର୍ଷ ପରେ ବି ଅଧାରେ ଅଟକିଛି କାମ । କାମଛାଡ଼ି ଠିକାଦାର ଛୁ ହୋଇଯାଇଛି । ଏହା ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା  ଏଏସଆଇର ଭୂମିକା ଉପରେ ପ୍ରଶ୍ନ ଉଠାଇଛି ।

Advertisment

କୋଣାର୍କ ମନ୍ଦିରକୁ ବିପଦରୁ ରକ୍ଷା କରିବାକୁ ବାଲି କାଢିବାକୁ ୨୦୨୨ରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ସ୍ଥିତି ଏବେ ଜେସାକୁ ତେସା ରହିଛି । ବାଲି ଭର୍ତ୍ତି କରି ମନ୍ଦିରର ଗର୍ଭଗୃହକୁ ବନ୍ଦ ଦିଆଯାଇ ଥିବାରୁ କେବଳ ବାହାର କରୁକାର୍ଯ୍ୟ ଦେଖି ଫେରିବାକୁ ପଡୁଛି। ବାଲିକଢ଼ା ନେଇ ୨୦୦୩ରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ପରେ ଏଏସଆଇ ପ୍ରତିନିଧି ସ୍ଥିତି ଅନୁଧ୍ୟାନ କରିଥିଲେ । କୁହାଯାଇଥିଲା, ଉତ୍ତର ଓ ପଶ୍ଚିମ ପାର୍ଶ୍ଵରେ ମନ୍ଦିର ୪-୫ ଫୁଟ୍ ଦବି ଥିବାରୁ ବିପଦ ଅଛି । କିନ୍ତୁ ଏହାର ପ୍ରତିକାର କରି ବର୍ତ୍ତମାନ ସୁଦ୍ଧା ବାଲି କାଢ଼ିବା ନେଇ ପଦକ୍ଷେପ ନିଆଯାଇ ନଥିବାରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

୨୦୦୯, ୨୦୧୧ ଓ ୨୦୧୩ରେ କୋଣାର୍କ ମନ୍ଦିରର ଲେଜର ସ୍କାନିଂ କରାଯାଇଥିଲା । ଗର୍ଭଗୃହରୁ ବାଲି କାଢ଼ିବାକୁ  ଏଏସଆଇ ଏଡିଜିଙ୍କ ସମେତ ବିଶେଷଜ୍ଞ ଟିମ୍ ବାରମ୍ବାର ସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ଦିର ଉପରୁ ଗର୍ଭଗୃହର ୧୦ ଫୁଟ୍ ପର୍ଯ୍ୟନ୍ତ ଜିପିଆର ସର୍ଭେ ସହ ପରୀକ୍ଷା ପାଇଁ ବାଲି ନିଆଯାଇଥିଲା I ୨୦୨୦ରେ ତତ୍କାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ହାଇକୋର୍ଟଙ୍କ ଆମିକସ୍ କ୍ୟୁରୀ ପ୍ରମୁଖ ତର୍ଜମା କରିଥିଲେ। ବାଲି କାଢ଼ିବା ପାଇଁ ୨୦୨୨ରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇଥିଲେ ବି କାମ ସେଇଠି ଅଟକିଛି। ।

୩ ବର୍ଷରେ ଗର୍ଭଗୃହରୁ ବାଲି କଢ଼ାଯିବ ବୋଲି ସେତେବେଳେ କୁହାଯାଇଥିଲା । କିନ୍ତୁ ଅବଧି ସରିବାକୁ ବସିଥିଲେ ବି ଏଏସଆଇର କାମ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଠିକାଦାର କାମ ଛାଡ଼ି ପଳାଇଛନ୍ତି । ସୂର୍ଯ୍ୟ ମନ୍ଦିରକୁ ବିପଦ ଥିବା ଦର୍ଶାଇ ୧୯୦୩ରେ ବ୍ରିଟିଶ ସରକାର ବାଲି ଭର୍ତ୍ତି କରି ବନ୍ଦ କରିଦେଇଥିଲେ। ଏବେ ବାଲିକଢ଼ାରେ ବିଳମ୍ବ ଏଏସଆଇର ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛି ।