କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଆରଜି କର ମେଡ଼ିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲା । ଦୁଷ୍କର୍ମ ମାମଲାରେ ସଂଜୟଙ୍କ ଆଜୀବନ କାରାଦଣ୍ଡ ଦିଆଯାଇଛି । କିନ୍ତୁ ସଂଜୟକୁ ଫାଶୀ ଦେବା ଲାଗି ରାଜ୍ୟ ସରକାର ଓ ସିବିଆଇ ହାଇକୋର୍ଟରେ ଅଲଗା ଅଲଗା ଦୁଇଟି ମାମଲାର ଶୁଣାଣି ଲାଗି ଅନୁରୋଧ କରାଯାଇଛି । ଏମିତି ଜଘନ୍ୟ କାମ ଲାଗି ସଂଜୟକୁ ଆଜୀବନ ଦଣ୍ଡ ବଦଳରେ ଫାଶୀ ଦେବାର ଆବଶ୍ୟକ ବୋଲି ଉଭୟ ରାଜ୍ୟ ସରକାର ଓ ସିବିଆଇ ପକ୍ଷରୁ କୁହାଯାଇଛି । ସେପଟେ ପୀଡ଼ିତାଙ୍କ ପରିବାର ଦୋଷୀଙ୍କୁ ଦିଆଯାଇଥିବା ଦଣ୍ଡକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ବର୍ତ୍ତମାନ । ତେଣୁ କୋର୍ଟ ସଂଜୟକୁ ସିଆଲ୍ଦା କୋର୍ଡ ଦେଇଥିବା ଦଣ୍ଡ ଉପରେ କି ରାୟ ଶୁଣାଇବେ ତାହାକୁ ନେଇ ଚର୍ଚ୍ଚା ଜୋର ।

Advertisment

ଆରଜି କର ମେଡ଼ିକାଲ ଦୁଷ୍କର୍ମ ଘଟଣା
ନ୍ୟାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ବହୁଚର୍ଚ୍ଚିତ ଆରଜିକର ମେଡ଼ିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ କେବଳ କଲିକତାରେ ନୁହେଁ ବରଂ ପୁରା ଦେଶରେ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଜଣେ କର୍ତ୍ତବ୍ୟରତ ଡାକ୍ତରୀ ଛାତ୍ରୀଙ୍କୁ ଯେଉଁପରି ଭାବରେ ମେଡିକାଲ ଭିତରେ ଦୁଷ୍କର୍ମ କରାଗଲା ଓ ହତ୍ୟା କରାଗଲା ତାହା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା । ପ୍ରଥମେ ତ ପୋଲିସକୁ ଖବର ଦିଆଯିବା ପରେ ସେ ଘଟଣାକୁ ଚାପିବାକୁ ଚେଷ୍ଟା କରିଥିଲା । ହେଲେ ପୀଡ଼ିତାଙ୍କ ପରିବାର ପୋଲିସ ତଦନ୍ତରେ ସନ୍ଦେହ ପ୍ରକାଶ କରିବା ପରେ ମାମଲା ଯାଇଥିଲା ସିବିଆଇ ହାତକୁ । ପରେ ପରେ ପୁରା ଘଟଣାର ତଦନ୍ତ ହେବା ପରେ ଅଭିଯୁକ୍ତ ସଂଜୟ ବି ଦୋଷ ସ୍ବୀକାର କରିଥିଲା । ଆଉ ମାମଲାର ଚାର୍ଜସିଟି ଦାଖଲ ହୋଇଥିଲା କୋର୍ଟରେ । 

ଚାର୍ଜସିଟ୍‌ ପାଇବା ପରେ ସିଆଲ୍ଦା କୋର୍ଟ ମାମଲାର ଚାର୍ଜସିଟ୍‌ ପଢିବା ସହିତ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରି ଅଭିଯୁକ୍ତ ସଂଜୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ହେଲେ ଏବେ ସଂଜୟକୁ ଫାଶୀ ଦେବା ଲାଗି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି  ରାଜ୍ୟ ସରକାର ଓ ସିବିଆଇ । ସେପଟେ ପୀଡ଼ିତାଙ୍କ ପରିବାର କହିଛି, କେବଳ ସଂଜୟ ନୁହେଁ ବରଂ ଅନ୍ୟ ଦୋଷୀଙ୍କୁ ବି ଦଣ୍ଡ ମିଳୁ । 

କଣ କହିଲା ସିବିଆଇ

ପୁରା ଘଟଣାରେ ବହୁ କମଦିନ ମଧ୍ୟରେ ସିବିଆଇ ଚାର୍ଜସିଟ୍‌ ଦାଖଲ କରିଥିଲା । ଆଉ ଦୋଷୀକୁ ଦଣ୍ଡ ମିଳିଥିଲା । ହେଲେ ଦଣ୍ଡକୁ ଆଜୀବନ କାରାଦଣ୍ଡ ପରିବର୍ତ୍ତେ ଫାଶୀ ଦିଆଯାଉ ବୋଲି ପୁଣି ଥରେ ହାଇକୋର୍ଟରେ ପ୍ରାର୍ଥନା କରିଛି ସିବିଆଇ । ସେପଟେ, ରାଜ୍ୟ ସରକାର ବି ସମାନ ପ୍ରାର୍ଥନା କରିଥିବାରୁ ସିବିଆଇ ଆପତ୍ତି ଉଠାଇଛି । ସିବିଆଇ ପକ୍ଷରୁ କୁହାଯାଇଛି ଏମିତି ଘଟଣାରେ କେବଳ ସିବିଆଇ ହିଁ ଦଣ୍ଡାଦେଶ ନେଇ ଉପର କୋର୍ଟରେ ଆବେଦନ କରିପାରିବ । ହେଲେ ରାଜ୍ୟ ସରକାର କେମିତି ପ୍ରାର୍ଥନା କଲେ ସେନେଇ ବି ପ୍ରଶ୍ନ କରିଛି ।  

କଣ ଥିଲା ପୂରା ଘଟଣା ?

କଲିକତାରେ ଗତବର୍ଷ ଅଗଷ୍ଟ ୯ ତାରିଖରେ ଘଟିଥିଲା ଭୟଙ୍କର ଘଟଣା । ମେଡ଼ିକାଲ ଭିତରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବାରୁ ପୁରା ଦେଶକୁ ଏହା ସ୍ତବ୍ଧ କରିଦେଇଥିଲା । ପୋଲିସ ତଦନ୍ତରେ ନିଷ୍କ୍ରିୟତାକୁ ନେଇ ଜୋରଦାର ବିରୋଧ ପରେ ମାମଲା ଯାଇଥିଲା ସିବିଆଇ ହାତକୁ । ଆଉ ଘଟଣାର ତଦନ୍ତ କରି ଚାର୍ଜସିଟ୍‌ ଦାଖଲ କରିଥିଲା ସିବିଆଇ । ପରେ ମାତ୍ର ୫୭ ଦିନରେ ଶୁଣାଣି ପରେ  ରାୟ ପ୍ରକାଶ ପାଇଥିଲା । ଦୁଷ୍କର୍ମ ଅଭିଯୁକ୍ତ ସଞ୍ଜୟ ବିରୋଧରେ ଲାଗିଛି ୬୪, ୬୬, ୧୦୩ ପରି ସଙ୍ଗୀନ ଦଫା । ଏହାସହ ୧୭ ଲକ୍ଷ ଟଙ୍କା ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସିଆଲ୍ଦା କୋର୍ଟ ।

ଦୁଷ୍କର୍ମ ପରେ ଇସ୍ତଫା ଦେଇଥିଲେ ମେଡ଼ିକାଲ ଅଧ୍ୟକ୍ଷ

ଖୋଲିଥିଲା ଗୋଟିଏ ପରେ ଗୋଟିଏ ପାପର ପେଡି

ଅଗଷ୍ଟ ୯ରେ ଆରଜିକର ମେଡ଼ିକାଲରେ ଘଟିଥିଲା ଦୁଷ୍କର୍ମ ଓ ହତ୍ୟା ଘଟଣା । ପରଦିନ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରିଥିଲା ପୋଲିସ । ଅଗଷ୍ଟ ୧୨ରେ ଆରଜି କର ମେଡିକାଲର ପ୍ରିନ୍ସିପାଲ ସନ୍ଦୀପ ଘୋଷ ଦେଇଥିଲେ ଇସ୍ତଫା । ଘଟଣାର ୨ ଦିନ ପରେ ଅଗଷ୍ଟ ୧୩ ତାରିଖରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ । ଘଟଣାକୁ ନେଇ ଅଗଷ୍ଟ ୨୦ରେ ପଶ୍ଚିମବଙ୍ଗ ସରକାର ଓ ପୋଲିସକୁ ସୁପ୍ରିମକୋର୍ଟ ତୀବ୍ର ଭର୍ତ୍ସନା କରିଥିଲେ । ଆର୍ଥିକ ଅନିୟମିତତାର ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର ଲାଗି ଅଗଷ୍ଟ ୨୩ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ମେଡ଼ିକାଲରେ କଣ ଚାଲିଥିଲା ସେନେଇ କଳାଚିଠା ଖୋଲିଥିଲା । ଶେଷରେ ଜଣଙ୍କ ପରେ ଜଣେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଉ ଏବେ ପୁଣି ଥରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେବା ଲାଗି ହାଇକୋର୍ଟଙ୍କ ପାଖରେ ପ୍ରାର୍ଥନା ହୋଇଥିବାରୁ ଆଗାମୀ ଦିନରେ କୋର୍ଟ କି ରାୟ ଦେଉଛନ୍ତି ତାହା ଉପରେ ପୁରା ଦେଶବାସୀଙ୍କ ନଜର ରହିଛି ।