କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଆଲୋଚନ ପାଇଁ ମମତା ବାନାର୍ଜୀ ଦେଇଥିବା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛି ଆନ୍ଦୋଳନରତ ଜୁନିୟର ଡାକ୍ତର ସଂଘ ।  ସ୍ବାସ୍ଥ୍ୟ ବିଭାଗ ଆଗରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ସେପଟେ ସୁପ୍ରିମକୋର୍ଟ ତୁରନ୍ତ ଜୁନିୟର ଡାକ୍ତର ଆନ୍ଦୋଳନ ପ୍ରତ୍ୟାହାର କରି କର୍ମକ୍ଷେତ୍ରକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ନ୍ୟାୟ ଦାବିରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । କୋଲକାତା ଲଜ୍ଜା ମାମଲାରେ ଜାରି ରହିଥିବା ଅଚଳାବସ୍ଥାକୁ ତୁଟାଇବା ପାଇଁ ଆନ୍ଦୋଳନକାରୀଙ୍କୁ ଆଲୋଚନା ପାଇଁ ଟେବଲକୁ ଡାକିଥିଲେ ମମତା ବାନାର୍ଜୀ । ହେଲେ ସରକାରଙ୍କ ପକ୍ଷରୁ କରାଯାଇଥିବା ଇ-ମେଲର ଭାଷାକୁ ଅସମ୍ୱେଦନଶୀଳ ଦର୍ଶାଇ ଆଲୋଚନା ନିମନ୍ତ୍ରଣକୁ ଆନ୍ଦୋଳନକାରୀ ଡାକ୍ତର ପ୍ରତ୍ୟାଖ୍ୟାନ କରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏନଏସ ନିଗମ ଇ-ମେଲ କରି ଲେଖିଥିଲେ, ଏକ ଛୋଟ ପ୍ରତିନିଧି ମଣ୍ଡଳ ଅର୍ଥାତ ସର୍ବାଧିକ ୧୦ ଜଣିଆ ପ୍ରତିନିଧମଣ୍ଡଳ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଆଲୋଚନା ପାଇଁ ଆପଣ ନବାନ୍ନ ବା ସଚିବାଳୟକୁ ଆସିପାରିବେ । ଅନ୍ୟପଟେ ଆନ୍ଦୋଳନକାରୀ ଡାକ୍ତର କହିଛନ୍ତି, ଯାହାଙ୍କ ଇସ୍ତଫା ଦାବି କରାଯାଉଛି, ସେହି ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ମେଲ ଆସିବା ଦୁର୍ଭାଗ୍ୟଜନକ । ଇ-ମେଲର ଭାଷା ଆନ୍ଦୋଳନକାରୀ ଡାକ୍ତରଙ୍କ ପାଇଁ ଅପମାନଜକ ଓ ସମ୍ୱେଦନହୀନ । ଯଦିଓ ସରକାରଙ୍କ ସହ ଆଲୋଚନା ପାଇଁ ବାଟ ଫିଟିଛି, ତଥାପି ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ।