କନକ ବ୍ୟୁରୋ: ଦରଜୀ ବାପାର ଡାକ୍ତର ଝିଅ । ଗରିବୀ ଭିତରେ ଝିଅ ଦେଖିଥିଲା ଡାକ୍ତରୀ ସ୍ୱପ୍ନ । ଅନେକ ସଂଘର୍ଷ କରି ବାପା ପଢାଇଥିଲେ ପାଠ । ସ୍ୱପ୍ନ ସତ ହେବା ଆଗରୁ ମାରିଦେଲେ ସୈତାନ । କୋଲକାତା ମାମଲା ପାଇଁ ଏବେ ଦେଶ ଉଠୁଛି ପଡୁଛି । ବେଙ୍ଗଲ ରଣକ୍ଷେତ୍ର ପାଲଟିଛି । ମହିଳା ଡାକ୍ତର ଅଭୟାକୁ ନ୍ୟାୟ ଦାବିରେ ସବୁଦିନ ନୂଆ ନୂଆ ଘଟଣା, ଦୁର୍ଘଟଣା ଓ ହଙ୍ଗାମା ଦେଖିବାକୁ ମିଳୁଥିବା ବେଳେ ୟାରି ଭିତରେ ସାମ୍ନାକୁ ଆସିଛି ପୀଡିତାଙ୍କୁ ନେଇ କିଛି ଅଜଣା କଥା ଯାହା ଆପଣଙ୍କ କନ୍ଦାଇଦେବ ନିଶ୍ଚିତ ।

ବାପା ଥିଲେ ଦରଜୀ
ଝିଅକୁ କରିଥାନ୍ତେ ଡାକ୍ତର
ଗରିବ ଘର । ତାରି ଭିତରେ ଡାକ୍ତର ହେବାର ସ୍ୱପ୍ନ ଦେଖୁଥିଲା ଝିଅ ଆଉ ତାକୁ ସତ କରିବାକୁ ବାପା କଠିନ ପରିଶ୍ରମ କରୁଥିଲେ । ଛୁଂଚି ସୂତା ସହ ନିଇତି ଫୋଡି ହୋଇ ସଂଘର୍ଷକୁ ନିଜ ଝିଅର ସ୍ୱପ୍ନ ସହ ସିଲେଇ କରୁଥିଲେ ବାପା ଜଣଙ୍କ । ହେଲେ ଝିଅ ସହ ଘଟିଥିବା ଏ ନାରକୀୟକାଣ୍ଡ ଦରଜୀ ବାପା ଛାତିରେ ଦରଜ ଦେଇଦେଲା, ଅଲିଭା ଦାଗ ଟାଣିଦେଲା ।

ଅଧୁରା ରହିଗଲା ସୁନା ପଦକ ସ୍ୱପ୍ନ
ସବୁ ପାଠରେ ଥିଲେ ପାରଙ୍ଗମ

ଜଣେ ମେଧାବୀ ଛାତ୍ରୀ ରୂପରେ ଅଭୟାଙ୍କର ବେଶ ନାଁ ଥିଲା । ୧୦ମ ହେଉ କି ମେଡିକାଲ ପାଠ୍ୟକ୍ରମର ପରୀକ୍ଷା ସବୁଥିରେ ୯୦ ପ୍ରତିଶତ ମାର୍କ ରଖୁଥିବା ଅଭୟା ଡାକ୍ତରୀ ପାଠରେ ଗୋଲ୍ଡ ମେଡାଲ ଜିତିବାର ସ୍ୱପ୍ନ ରଖିଥିଲେ ଯାହା ଅଧୁରା ରହିଲା । ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇଥିଲେ ହେଁ ସେ ଇଞ୍ଜିନିୟରିଂ ଛାଡି ମେଡିକାଲକୁ ବାଛିଥିଲେ । 

ପଶୁପକ୍ଷୀଙ୍କୁ ଭଲପାଉଥିଲେ
ଗଛ ଲଗାଇବା ଥିଲା ନିଶା

ମିଷ୍ଟଭାଷୀ ଏବଂ ନମ୍ରଭଦ୍ର ବ୍ୟବହାର ଦେଖାଉଥିବା ଅଭୟା ଖାଲି ମଣିଷମାନଙ୍କ ପ୍ରତି ନୁହେଁ ବରଂ ପଶୁପକ୍ଷୀଙ୍କ ପ୍ରତି ବି ଭଲପାଇବା ଦେଖାଉଥିଲେ । ବୁଲା ପଶୁଙ୍କ ଯତ୍ନ ନେଇ ସେମାନଙ୍କୁ ଖାଦ୍ୟ ପାନୀୟ ଦେଉଥିଲେ ଆଉ ଗଛ ବି ଲଗାଇବାକୁ ପସନ୍ଦ କରୁଥିଲେ ।

ମାଗଣାରେ କରୁଥିଲେ ଗରିବଙ୍କ ଚିକିତ୍ସା
ରୋଗୀସେବାରେ ବିତୁଥିଲା ସମୟ

ଘରକୁ ଛୁଟିରେ ଆସିଲେ କିମ୍ବା ଘରେ ଥିଲେ ଗରିବ ଅସହାୟ ରୋଗୀଙ୍କ ସେବା କରିବାକୁ ଅଭୟା ପସନ୍ଦ କରନ୍ତି । ରୋଗୀଙ୍କର ବି ତାଙ୍କ ଘରେ ଲମ୍ବା ଲାଇନ୍ ଲାଗୁଥିଲା । ପଢା-ଲେଖା ଓ ରୋଗୀ ସେବାରୁ ତାଙ୍କୁ ଫୁରସତ ମିଳୁନଥିଲା ।

ସୁଧୁରୁଥିଲା ପରିବାରର ସ୍ଥିତି
ଘର ପାଇଁ କିଣିଥିଲେ ନୂଆ କାର୍

ଗରିବିରେ ବୁଡିଥିବା ପରିବାରର ସ୍ଥିତି ଧିରେଧିରେ ବଦଳୁଥିଲା । ଅଭୟା ନିଜ ବାପାମାଆଙ୍କୁ ସବୁବେଳେ ଖୁସିରେ ରଖିବାକୁ ଚାହୁଁଥିଲେ । ଘରର ମରାମତି ହୋଇଥିଲା ଆଉ ଘର ପାଇଁ ବି ଗୋଟେ ନୂଆ କାର କିଣିଥିଲେ ପୀଡିତା । ବାପା ମାଆ ଭାରି ଖୁସି ଥିଲେ । ହେଲେ ତାଙ୍କର ସବୁ ଖୁସି ମାଟିରେ ମିଶିଗଲା ।

ଗୋଟେ ଦରଜୀ ବାପା କେତେ କଷ୍ଟ କରି ଝିଅକୁ ଡାକ୍ତରୀ ଭଳି ଦାମୀ ପାଠ ପଢାଏ ତା ସ୍ୱପ୍ନକୁ ସାକାର କରିବାକୁ ବାପାଟି କେମିତି ତାର ସବୁ ରକ୍ତକୁ ଝାଳ ପରି ବୁହାଇ ଦିଏ । ଆଉ ପରିଶେଷରେ ଝିଅର ସଫଳତା କଥା ଶୁଣିବା ଆଗକୁ ତା ମୃତ୍ୟୁର ଖବର ଶୁଣେ ସେତେବେଳେ ବାପାଟି ନିସ୍ତବ୍ଦ ପାଲଟିଯାଏ-ପଥର ପାଲଟିଏ  ଦରଜୀ ବାପା ଜଣଙ୍କ ଭିତରେ ଭିତରେ ନିଜ ଦରଜକୁ ହିଁ ସିଲେଇ କରୁଥାଏ ।

https://youtu.be/3o5RtmFSuww