କନକ ବ୍ୟୁରୋ: ଏବେ ଜାତୀୟ ରାଜନୀତିରେ ତେଜ ପ୍ରତାପ ଯାଦବଙ୍କୁ ଚର୍ଚ୍ଚା ଜୋର୍ ଧରିଛି । ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ରୁ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କକୁ ସାର୍ବଜନୀନ କରିଥିଲେ । ଏହାପରେ ସବୁ ବିବାଦର ଅୟମାରମ୍ଭ ଘଟିଥିଲା । ଏହି ପୋଷ୍ଟକୁ ପରବର୍ତ୍ତୀ ସମୟରେ ଡିଲିଟ୍ କରିଥିଲେ ସୁଦ୍ଧା ବିବାଦ ଥମିବାର ନାଁ ନେଇନଥିଲା । ଆର୍ଜେଡିରୁ ତେଜ ପ୍ରତାପଙ୍କୁ ୬ ବର୍ଷ ନିଲମ୍ବିତ କରିଛନ୍ତି ଲାଲୁ ପ୍ରସାଦ ଯାଦବ । ଏହା ସହିତ ତାଙ୍କୁ ତେଜ୍ୟପୁତ୍ର କରିଛନ୍ତି । ଏସବୁ ଭିତରେ ଏବେ ଗୋଟିଏ ଚର୍ଚ୍ଚା, ଅନୁଷ୍କା ଯାଦବ କିଏ ? କଣ ତାଙ୍କ ପରିଚୟ ? ତେଜ ପ୍ରତାପ ଯାଦବଙ୍କ ପ୍ରେମରେ ସେ କେମିତି ପଡ଼ିଲେ ? ଅନୁଷ୍କାଙ୍କୁ ୧୨ ବର୍ଷ ହେଲା ଜାଣିଛନ୍ତି ତେଜ ପ୍ରତାପ ଯାଦବ ।
ସୂଚନା ମୁତାବକ ଅନୁଷ୍କା ଯାଦବଙ୍କ ପରିବାର ପାଟ୍ନାର ଲଙ୍ଗରଟୋଲି ଅଞ୍ଚଳରେ ବସବାସ କରନ୍ତି । ତାଙ୍କ ବାପାଙ୍କ ନାମ ମନୋଜ ଯାଦବ । ଆର୍ଜେଡିର ଛାତ୍ର ଶାଖାର ପ୍ରଦେଶ ଅଧ୍ୟକ୍ଷ ଆକାଶ ଯାଦବଙ୍କ ଭଉଣୀ ଅନୁଷ୍କା ଯାଦବ । ତେଜ ପ୍ରତାପ ଯାଦବ ହିଁ ଆକାଶ ଯାଦବଙ୍କୁ ଏହି ପଦବୀରେ ନିଯୁକ୍ତ କରିଥିଲେ । ବର୍ତ୍ତମାନ ଆର୍ଜେଡି ପ୍ରଦେଶ ଅଧ୍ୟକ୍ଷ ଆକାଶ ଯାଦବଙ୍କ ସ୍ଥାନରେ ଆର୍ଜେଡିର ଛାତ୍ର ଶାଖାର ପ୍ରଦେଶ ଅଧ୍ୟକ୍ଷ ଭାବେ ଗଗନ ଯାଦବଙ୍କୁ ଦାୟିତ୍ୱ ଦେଇଛନ୍ତି ।
ଆକାଶଙ୍କୁ ଦାୟିତ୍ୱରୁ ହଟାଇବା ପରେ ଆର୍ଜେଡି ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦ ଯାଦବଙ୍କ ସହ ତେଜ ପ୍ରତାପଙ୍କ ବିବାଦ ବି ହୋଇଥିଲା । ଏହାକୁ ନେଇ ଜଗଦାନନ୍ଦ ପାର୍ଟି ଛାଡ଼ିବାକୁ ବି ମନସ୍ଥ କରିନେଇଥିଲେ ବୋଲି ସ୍ଥାନୀୟ ମିଡିଆରେ ଚର୍ଚ୍ଚା ହୋଇଥିଲା । ଏହି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ହସ୍ତକ୍ଷେପ ପରେ ଜଗଦାନନ୍ଦଙ୍କ ମନ ପରିବର୍ତ୍ତନ ହୋଇଥିଲା । ତେଜ ପ୍ରତାପ ଓ ଜଗଦାନନ୍ଦଙ୍କ ମଧ୍ୟରେ ଥିବା ଏହି ବିବାଦକୁ ନେଇ ପାର୍ଟିରେ ଅନ୍ତଃକନ୍ଦଳ ଆରମ୍ଭ ହୋଇଥିବା ବି ଚର୍ଚ୍ଚା ହୋଇଥିଲା ।
ଅନୁଷ୍କା ଯାଦବଙ୍କ ସହ ସମ୍ପର୍କକୁ ନେଇ ଫେସ୍ବୁକ୍ରେ ଦୁଇ ଥର ପୋଷ୍ଟ କରିଥିଲେ ତେଜ ପ୍ରତାପ । ଏହାପରେ ଦୁଇଥର ଡିଲିଟ୍ ବି କରିଥିଲେ । ଖାଲି ସେତିକି ନୁହେଁ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲ୍ରେ ବି ଅନୁଷ୍କାଙ୍କୁ ପୋଷ୍ଟ ସେୟାର କରିଥିଲେ ତେଜ ପ୍ରତାପ ଯାଦବ । ଏହାପରେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତେଜ ପ୍ରତାପଙ୍କ ବିରୋଧରେ ଆକ୍ସନ ନିଆଯାଇଥିବା ନେଇ ସୂଚନା ଦେଇଥିଲେ ଲାଲୁ ପ୍ରସାଦ ଯାଦବ ।
Follow Us