କନକ ବ୍ୟୁରୋ: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଚରମସୀମାରେ ପହଞ୍ଚିଛି । ଲଗାତାର ଭାରତ ଉପରେ ଡ୍ରୋନ୍ ଆକ୍ରମଣ କରୁଛି ପାକିସ୍ତାନ । ଯୁଦ୍ଧ ବିମାନ ଓ ମିସାଇଲରୁ ମଧ୍ୟ ଆକ୍ରମଣ କରାଯାଉଛି । ଜବାବରେ ଭାରତ ପାକିସ୍ତାନର ଉଦ୍ୟମ ପଣ୍ଡ କରିବା ସହ ପାକ୍ ସୈନ୍ୟର ଠିକଣା ଓ ଏୟାର ବେସ୍କୁ ଧ୍ବଂସ କରୁଛି । ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲେ ବି ଏଯାଏଁ କୌଣସି ବି ଦେଶ ଯୁଦ୍ଧ ଘୋଷଣା କରି ନାହାନ୍ତି । ତେବେ ଜାଣନ୍ତୁ କିଏ କରେ ଯୁଦ୍ଧ ଘୋଷଣା ? କଣ ରହିଛି ପ୍ରାବଧାନ?
ଯୁଦ୍ଧ ଘୋଷଣା ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରକ୍ରିୟା ନାହିଁ । ସମ୍ବିଧାନରେ ଜାତୀୟ ଜରୁରି ପରିସ୍ଥିତି ସମ୍ପର୍କରେ ଉଲ୍ଲେଖ ଅଛି । ଅନୁଚ୍ଛେଦ ୩୫୨ ଅନୁସାରେ ଏହି ଘୋଷଣା କରିହେବ । କେବଳ ରାଷ୍ଟ୍ରପତି ହିଁ ଯୁଦ୍ଧ ଘୋଷଣା କରିପାରିବେ । ରାଷ୍ଟ୍ରପତି ୩ ସେନାର ମୁଖ୍ୟ ଓ ସରକାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇପାରିବେ । ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ୍ ରାଷ୍ଟ୍ରପତିଙ୍କୁ ଉପଦେଶ ଦେଇପାରିବେ । ଯୁଦ୍ଧ ଘୋଷଣା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ବିଦେଶ ମନ୍ତ୍ରଣାଳୟର ରାୟ ନିଆଯାଏ । ସେନା ମୁଖ୍ୟ, ଗୁଇନ୍ଦା ସଂସ୍ଥା ଓ କୂଟନୀତିଜ୍ଞଙ୍କ ମତ ଲୋଡ଼ାଯାଏ । ଏଥିପାଇଁ ସରକାର ରାଷ୍ଟ୍ରପତିଙ୍କୁ ସୁପାରିସ କରିଥାଆନ୍ତି । ଜାତୀୟ ଜରୁରି ପରିସ୍ଥିତି ୬ ମାସ ଯାଏ ଲାଗୁ କରିହୁଏ । ଏଥିପାଇଁ ସଂସଦର ମଞ୍ଜୁରି ଆବଶ୍ୟକ । ଆବଶ୍ୟକ ପଡ଼ିଲେ ଅବଧି ବଢ଼ାଇବାର ପ୍ରାବଧାନ ରହିଛି । ଭାରତ କେବେ ବି ଔପଚାରିକ ଯୁଦ୍ଧ ଘୋଷଣା କରିନି ।
୧୯୪୭ରେ କାଶ୍ମୀରକୁ ନେଇ ପ୍ରଥମ ଯୁଦ୍ଧ ହୋଇଥିଲା । କୌଣସି ଦେଶ ଯୁଦ୍ଧ ଘୋଷଣା କରି ନଥିଲେ । ୧୯୬୨ ଭାରତ-ଚୀନ ଯୁଦ୍ଧର ମଧ୍ୟ ଘୋଷଣା ହୋଇ ନଥିଲା । ୧୯୬୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ତେବେ ଉଭୟ କୌଣସି ଔପଚାରିକ ଘୋଷଣା କରି ନଥିଲେ । ୧୯୭୧ରେ ମଧ୍ୟ ଯୁଦ୍ଧ ଘୋଷଣା ହୋଇ ନଥିଲା । ୧୯୭୧ରେ ବାଂଲାଦେଶକୁ ନେଇ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା । ଭାରତ-ପାକିସ୍ତାନ ମଧ୍ୟରେ ୧୩ ଦିନ ଧରି ଚାଲିଥିଲା ଯୁଦ୍ଧ । ଏହାପରେ ପାକିସ୍ତାନଠାରୁ ଅଲଗା ହୋଇଥିଲା ବାଂଲାଦେଶ ।