କନକ ବ୍ୟୁରୋ:  ଉତ୍କଳ ଆଲୁମିନା କମ୍ପାନି ପାଇଁ ନାକେଦମ ହେଲେଣି ଆଦିବାସୀ । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ବଫଳାମାଲି ପର୍ବତରେ ବ୍କସାଇଟ ଖନନ କରୁଛି ଉତ୍କଳ ଆଲୁମିନା କମ୍ପାନି । ହେଲେ ଜମି ହରାଇଥିବା ହିତାଧିକାରଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛି । ବିଭିନ୍ନ ସୁବିଧାରୁ ବଞ୍ଚିତ ଅଛନ୍ତି ବଫଳାମାଲି ପର୍ବତ ଶିଖରରେ ଥିବା ୩ଟି ପଞ୍ଚାୟତର ଲୋକେ । 

Advertisment

ଜମି ହରାଙ୍କ ଦୁଃଖ ଥମୁନଥିବାବେଳେ କମ୍ପାନି ପ୍ରତିଶ୍ରୁତି ଯେମିତି ପାଣିର ଗାର ପାଲଟିଛି । ବକ୍ସାଇଟ ଖୋଳା ପୂର୍ବରୁ ଗ୍ରାମ ସଭାରେ ଦେଇଥିବା ବିକାଶର ପ୍ରତିଶ୍ରୁତି ଆଜି ଯାଏଁ ପୂରଣ ହୋଇନି । ଆଜିବି ମୌଳିକ ସୁବିଧା ଟିକିଏ ପାଇଁ ଲୋକେ କରୁଛନ୍ତି ସଂଘର୍ଷ । କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକର ବଫଳାମାଲି ପର୍ବତ ଶିଖରରେ ଥିବା ଅଡ୍ରି, ଗୋପୀନାଥପୁର ଓ ମାଲିଗାଁ ପଞ୍ଚାୟତର ୧୦ରୁ ଅଧିକ ଗାଁ ପ୍ରଭାବିତ ହୋଇପଡ଼ିଛନ୍ତି । ଉତ୍କଳ ଆଲୁମିନା କମ୍ପାନି ପାଇଁ ଗାଁ ଆଦିବାସୀ ଜମି ହରାଇଥିବାବେଳେ ପ୍ରତିଶ୍ରୁତି ସବୁ ତାଙ୍କ ପାଇଁ ସ୍ବପ୍ନ ପାଲଟିଛି । ୧୫ ବର୍ଷ ପରେ ବି ଲୋକଙ୍କ ସ୍ଥିତି ସୁଧାରି ପାରିନି । ଯାହାକୁ ନେଇ ଅସନ୍ତୋଷ ବଢ଼ିଚାଲିଛି । 

ବର୍ଷ ପରେ ବର୍ଷ ବିତି ଚାଲିଛି । ହେଲେ ବିଭିନ୍ନ ସମସ୍ୟା ସହ ଦୂଷିତ ପରିବେଶରେ ଅତିଷ୍ଠ ହୋଇପଡିଛନ୍ତି ଗ୍ରାମବାସୀ । ଖଣି ଅଞ୍ଚଳ ପାଖାପାଖି ଗାଁ ଗୁଡ଼ିକରେ ବାୟୁ, ଶବ୍ଦ ଓ ଜଳ ପ୍ରଦୂଷିତ ହେଉଛି । ଯାହାଫଳରେ ଲୋକେ ବି ଅନେକ ରୋଗର ଶିକାର ହେଉଛନ୍ତି । ସ୍ଥାୟୀ ନିଯୁକ୍ତିକୁ ବି ଏଡାଇ ଯାଉଛି କମ୍ପାନି । ଯାହାର ପ୍ରତିବାଦ କରିବା ସହ ସମାଧାନ ଦାବି ଜୋର ଧରିଛି । 

ବକ୍ସାଇଟ ଖନନ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଉତ୍କଳ ଆଲୁମିନା କମ୍ପାନୀ ଭୁଲି ଯାଇଛି ପ୍ରତିଶ୍ରୁତି । ଦୀର୍ଘ ୧୫ ବର୍ଷ ହେଲା ଗରିବ ଆଦିବାସୀଙ୍କ ସ୍ଥିତିରେ ସୁଧାର ଆସିନଥିବା ବେଳେ ଏଥିପ୍ରତି ଗୁରୁତ୍ବ ଦେବା ଜରୁରୀ ହୋଇପଡ଼ିଛି ।