କନକ ବ୍ୟୁରୋ : କ୍ୟାନସର..ଏହି ରୋଗର ନାଁ ଶୁଣିଲେ ଯେକେହିବି ଥରି ଉଠେ । କର୍କଟ ଏପରି ଏକ ରୋଗ ଯାହାକୁ କେହି ବି ହାଲୁକା ଭାବରେ ନିଅନ୍ତି ନାହିଁ । ଏହା ଏପରି ଏକ ଜୀବାଣୁ ଯାହା ମାନବ ଶରୀରର କିଛି କୋଷକୁ ନିୟନ୍ତ୍ରଣ ବାହାରେ ବୃଦ୍ଧି କରାଏ ଏବଂ ଶରୀରର ଅନ୍ୟ ସ୍ଥାନକୁ ବ୍ୟାପିଯାଏ । କର୍କଟ ରୋଗ ମଣିଷ ଶରୀରର ପ୍ରାୟ ଯେକୌଣସି ସ୍ଥାନରେ ମଧ୍ୟ ବିକଶିତ ହୋଇପାରେ ।

Advertisment

ଏହି ଘାତକ ରୋଗର ଲକ୍ଷଣ କେବେ କେବେ ପ୍ରଥମ ଷ୍ଟେଜରେ ଦେଖାଏନାହିଁ । ତେଣୁ ଶରୀରରେ ଯେକୌଣସୀ ଆକସ୍ମିକ ପରିବର୍ତ୍ତନ ବା ଯନ୍ତ୍ରଣାକୁ କେବେ ଅଣଦେଖା କରିବା ଉଚିତ୍ ନୁହେଁ । କର୍କଟ ରୋଗ ଭୟଙ୍କର ହୋଇପାରେ ସତ,କିନ୍ତୁ ଏ ବିଷୟରେ ନିଜକୁ ସଚେତନ କଲେ ଏଥିରୁ ମୁକ୍ତି ନିଶ୍ଚୟ ମିଳିବ । ସେଥିପାଇଁ ଆମେ ଏହାର ଚିହ୍ନଟ ,ନିବାରଣ ଏବଂ ଚିକିତ୍ସା ବିଷୟରେ ଜ୍ଞାନ ବୃଦ୍ଧି କରିବା ନିହାତି ଆବଶ୍ୟକ । ରୋଗର ଚିକିତ୍ସା ନିମନ୍ତେ ସଚେତନତା ବୃଦ୍ଧି କରିବା ପାଇଁ ଏହା ଏକ ବିଶ୍ୱବ୍ୟାପୀ ପଦକ୍ଷେପ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁବରଣ କରନ୍ତି ଯାହା କି ବିଶ୍ୱ ସ୍ତରରେ ମୃତ୍ୟୁର ପ୍ରମୁଖ କାରଣ । 

କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା,ଏହାର ନିବାରଣ, ଚିହ୍ନଟ ଏବଂ ଚିକିତ୍ସାକୁ ଉତ୍ସାହିତ କରିବା ପାଇଁ ପାଳନ କରାଯାଉଥିବା ଏହା ଏକ ଆନ୍ତର୍ଜାତୀୟ ଦିବସ । ବିଶ୍ୱ କର୍କଟ ଘୋଷଣାନାମାର ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ ଅନ୍ତର୍ଜାତୀୟ କର୍କଟ ନିୟନ୍ତ୍ରଣ ସଂଘ ଦ୍ୱାରା ବିଶ୍ୱ କର୍କଟ ଦିବସ ପାଳିତ ହୁଏ ।

୨୦୦୦ ମସିହାରେ କର୍କଟ ରୋଗ ବିରୁଦ୍ଧରେ ପ୍ରଥମ ବିଶ୍ୱ ସମ୍ମିଳନୀ ଅବସରରେ ବିଶ୍ୱ କର୍କଟ ଦିବସ ପାଳନ କରିବାର ଘୋଷଣା କରାଯାଇଥିଲା । ପ୍ୟାରିସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ୱର ଅନେକ ଦେଶ ଏବଂ ସେମାନଙ୍କ ସରକାରଙ୍କ କର୍କଟ ସଂଗଠନର ପ୍ରତିନିଧି ଏବଂ ଅନ୍ତର୍ଜାତୀୟ ନେତାମାନେ ଯୋଗ ଦେଇଥିଲେ । 

ଚଳିତ ବର୍ଷ ବିଶ୍ୱ କର୍କଟ ଦିବସର ବିଷୟବସ୍ତୁ "ୟୁନାଇଟେଡ୍‌ ବାଏ ୟୁନିକ୍" ରହିଛି । ପ୍ରତ୍ୟେକଙ୍କ ପାଖରେ ଛୋଟ ହେଉ କି ବଡ଼, ପରିବର୍ତ୍ତନ ଆଣିବାର ଶକ୍ତି ଓ ସାହସ ଅଛି । ଯଦି କେବେ ଜିବନରେ କର୍କଟର ସାମ୍ନା କରିବାକୁ ପଡେ ତେବେ ଭାଙ୍ଗି ନପଡି ହସି ହସି ଏହି ଘାତକ ରୋଗର ସାମ୍ନା କରିବା । କାରଣ ସଚେତନ ହେଲେ ଏହି ରୋଗର ଶତ ପ୍ରତିଶତ ଚିକିତ୍ସା ହୋଇପାରିବା । ତେବେ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ ଜାଗ୍ରତ କରିବା ଏବଂ ଏକ କର୍କଟମୁକ୍ତ ବିଶ୍ୱ ଗଠନ କରିବା ହେଉଛି ବିଶ୍ୱ କର୍କଟ ଦିବସର ମୂଳ ଲକ୍ଷ୍ୟ ।