କନକ ବ୍ୟୁରୋ: ସୁଭଦ୍ରା ଯୋଜନା ନେଇ ଆସିଲା ଗାଇଡଲାଇନ୍ । ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର କାର୍ଡ । ଯୋଜନାର ଲାଭ ପାଇବା ପାଇଁ ହେଲେ ହିତାଧିକାରୀ ଓଡ଼ିଶାର ହୋଇଥିବା ଆବଶ୍ୟକ । ଏଥିସହ ସେମାନଙ୍କ ଆଧାରକାର୍ଡ ଓ ମୋବାଲ ନମ୍ବର ଲିଙ୍କ ହେବା ମଧ୍ୟ ବାଧ୍ୟତାମୂଳକ । ଆବେଦନକାରୀଙ୍କ ବୟସ ୨୧ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ନେଇ ଗାଇଡଲାଇନରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିବା ବେଳେ କେଉଁମାନଙ୍କୁ ଯୋଜନାର ଲାଭ ମିଳିବନି ସେନେଇ ବି ଅଯୋଗ୍ୟତାର ମାନଦଣ୍ଡ ପ୍ରକାଶ କରିଛନ୍ତି ସରକାର ।

ଅଯୋଗ୍ୟ ନେଇ ଅନେକ ମାନଦଣ୍ଡ ରହିଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୪ ଚକିଆ ଥିଲେ ମିଳିବନି ସୁଭଦ୍ରା ସହାୟତା । ଘରେ ଯଦି ଟ୍ରାକ୍ଟର କିମ୍ବା ମିନି ଟ୍ରକ ଥାଏ କିମ୍ବା କୌଣସି ଛୋଟ ବାଣିଜ୍ୟିକ ଯାନ ଅବା ଅନ୍ୟ ୪ ଚକିଆ ଯାନ ରହିଥାଏ ତେବେ ଏହି ସୁଭଦ୍ରା ସୁବିଧା ଉପଲବ୍ଧ ହେବନି । ତେବେ ନଜର ପକାନ୍ତୁ କେଉଁମାନେ ସୁଭଦ୍ରା ଯୋଜନାର ଲାଭ ପାଇବାକୁ ଅଯୋଗ୍ୟ ? 

  • ୧ ଜୁଲାଇ, ୨୦୨୪ ସୁଦ୍ଧା ୨୧ ବର୍ଷରୁ କମ୍ ଏବଂ ୬୦ ବର୍ଷରୁ ଅଧିକ କୌଣସି ମହିଳା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଯୋଗ୍ୟ ହେବେ ନାହିଁ
  • ଯେକୌଣସି ମହିଳା ମାସକୁ ମୋଟ ୧୫୦୦ ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,୦୦୦ ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ତେବେ ସେମାନେ ଯୋଗ୍ୟ ବିବେଚିତ ହେବେ ନାହିଁ 
  • ଜଣେ ମହିଳା ନିଜେ କିମ୍ବା ତାଙ୍କ ପରିବାର ସଦସ୍ୟ ଯଦି, ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ତାହାଲେ ମିଳିବନି
  • ଆୟକର ଦେୟ ହେଉଥିଲେ ଅଯୋଗ୍ୟ ବିବେଚିତ ହେବେ
  • ସରକାରୀ ଚାକିରିଆ ହୋଇଥିଲେ ମିଳିବନି ସୁଭଦ୍ରା ସୁବିଧା