କନକ ବ୍ୟୁରୋ : ମହାକାଶ ବିଜ୍ଞାନ କ୍ଷେତ୍ରରେ ବଡ଼ ସଫଳତା । ୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର । ସୁନୀତା ଓ ବୁଚଙ୍କ ସହ ଅନ୍ୟ ୨ କ୍ରୁ ସଦସ୍ୟ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନାନା ମହାକାଶଚାରୀ ନିକ୍ ହେଗ ଫେରିଛନ୍ତି । ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେଶଏକ୍ସ କ୍ରୁ ଡ୍ରାଗନର ସଫଳ ଅବତରଣ ହୋଇଛି । ଦିର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେଷ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲାଣ୍ଡ କରିଛି ନାସାର ସ୍ବତନ୍ତ୍ର ସ୍ପେଶକ୍ରାଫ୍ଟ । ପରେ ୪ ମହାକାଶଚାରୀ ବାହାରକୁ ଆସିଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ତେବେ ସୁନୀତା ଯେଉଁ ସ୍ପେଶଏକ୍ସ କ୍ୟାପସୁଲରେ ଫେରିଛନ୍ତି ତାର ମୂଲ୍ୟ କେତେ ଜାଣିଛନ୍ତି କି ? କେତେ ଟଙ୍କା ବେୟରେ ଏହି କ୍ୟାପସୁଲ୍ ତିଆରି ହୋଇଥିଲା, ତାହା ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ଆସନ୍ତୁ ଜାଣିବା ।
ଡ୍ରାଗନ କ୍ରୁ କ୍ୟାପସୁଲର ଓଜନ କେତେ?
ସୁନୀତାଙ୍କୁ ନେଇ ଫେରିଥିବା ଡ୍ରାଗନ କ୍ରୁ କ୍ୟାପସୁଲର ମୂଲ୍ୟ ଜାଣିବା ପୂର୍ବରୁ ଆସନ୍ତୁ ଜାଣିନେବା ଏହାର ଓଜନ ଏବଂ କ୍ଷମତା ବାବଦରେ…
ସମସ୍ତ ଚାରି ଜଣ ମହାକାଶଚାରୀଙ୍କୁ ଫେରାଇ ଆଣିବା ପାଇଁ ନାସା ସ୍ପେସଏକ୍ସର ଡ୍ରାଗନ କ୍ରୁ କ୍ୟାପସୁଲକୁ ବାଛିଥିଲା । ଏହି କ୍ୟାପସୁଲରେ ଏକାଥରେ ସାତ ଜଣ ମହାକାଶଚାରୀ ବସିପାରିବେ । ସାଧାରଣତଃ ଦେଖିବାକୁ ଗଲେ ଏହି କ୍ୟାପସୁଲରେ ଦୁଇରୁ ଚାରି ଜଣ ମହାକାଶଚାରୀ ବସିପାରିବେ, କିନ୍ତୁ ଜରୁରୀକାଳୀନ ପରିସ୍ଥିତିରେ ଏଥିରେ ସାତ ଜଣଙ୍କ ପାଇଁ ବସିବା ବ୍ୟବସ୍ଥା ଅଛି । ଏହି ଖାଲି କ୍ୟାପସୁଲର ଓଜନ ୭୭୦୦ କିଲୋଗ୍ରାମ ରହିଛି । କିନ୍ତୁ ମହାକାଶଚାରୀମାନଙ୍କ ସହିତ ଉତକ୍ଷେପଣ କରାଯିବା ସମୟରେ, ଏହାର ସର୍ବାଧିକ ଓଜନ ୧୨,୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପହଞ୍ଚିଥାଏ ।
ମସ୍କଙ୍କ କ୍ୟାପସୁଲର ମୂଲ୍ୟ କେତେ?
ଏବେ ଆସନ୍ତୁ ଜାଣିବା ଡ୍ରାଗନ୍ କ୍ରୁ କ୍ୟାପସୁଲର ମୂଲ୍ୟ କେତେ । ସୁନୀତାଙ୍କୁ ଆଣିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି...
ମହାକାଶଚାରୀମାନଙ୍କୁ ଫେରାଇ ଆଣିବାର ଦାୟିତ୍ୱ ସ୍ପେସଏକ୍ସ ନେଇଛି, ତେଣୁ ଏହାର ଖର୍ଚ୍ଚ ବି ସ୍ପେସଏକ୍ସ ହିଁ ବହନ କରିଥିବ । ସ୍ପେସଏକ୍ସର ଡ୍ରାଗନ କ୍ରୁ କ୍ୟାପସୁଲ ଏବଂ ଫାଲକନ-୯ ରକେଟ୍ ବ୍ୟବହାର କରି ସେମାନଙ୍କୁ ପୃଥିବୀକୁ ଅଣାଯାଇଛି । ଏପରି ପରିସ୍ଥିତିରେ, ଫାଲକନ୍-୯ର ଲଞ୍ଚ ମୂଲ୍ୟ ୫୮୦ କୋଟି ଟଙ୍କା ଅର୍ଥାତ୍ (୬୯.୭୫ ମିଲିୟନ୍ ଡଲାର) ହୋଇଥିବା ବେଳେ କ୍ରୁ ଡ୍ରାଗନ୍ କ୍ୟାପସୁଲର ମୂଲ୍ୟ ୧୧୭୦ କୋଟି ଟଙ୍କା ଅର୍ଥାତ୍ ୧୪୦ ମିଲିୟନ୍ ଡଲାର ରହିଛି । ରିପୋର୍ଟ ଅନୁସାରେ, ସ୍ପେସଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟର ପ୍ରତି ସିଟ୍ର ମୂଲ୍ୟ ପ୍ରାୟ ୫୫ମିଲିୟନ୍ ଡଲାର ବୋଲି ଜଣାପଡିଛି । ଅର୍ଥାତ୍ ଏହି ସମ୍ପୂର୍ଣ୍ଣ ମିଶନ ପାଇଁ ସ୍ପେସଏକ୍ସକୁ ୧୭୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି ।
କାହିଁକି ଖର୍ଚ୍ଚ ହେଲା ଏତେ ଟଙ୍କା?
ସାଧାରଣତଃ ସ୍ପେସଏକ୍ସ ତାର ରକେଟ୍ ଏବଂ କ୍ୟାପସୁଲକୁ ପୁନଃବ୍ୟବହାର କରେ, ଯାହା ଦ୍ୱାରା ଖର୍ଚ୍ଚ କମ୍ ହୋଇଥାଏ । କିନ୍ତୁ ଏହା ଏକ ଜରୁରୀକାଳୀନ ମିଶନ ପାଲଟିଯାଇଥିବା ଏବଂ ମଣିଷ ଜୀବନ ବାଜିରେ ଲାଗିଥିଲା । ସୁରକ୍ଷା ଓ ଅତିରିକ୍ତ ସୁବିଧା ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା ।
ଫେରିବା ସମୟରେ କେତେ ଥିଲା ଡ୍ରାଗନର ବେଗ?
ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ସ୍ପେଶଏକ୍ସ କ୍ରୁ ଡ୍ରାଗନର ବେଗ ଘଣ୍ଟା ପ୍ରତି ୨୭ ହଜାର କିଲୋମିଟର ଥିଲା । ଶବ୍ଦର ବେଗଠୁ ୨୨ ଗୁଣା ଅଧିକ ବେଗରେ ଯାନ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ବାହ୍ୟ ତାପାମତ୍ରା ୧୯୨୬ ଡୀଗ୍ରୀ ସେଲସିୟସକୁ ବଢିଯାଇଥିଲା । ଅବତରଣର କିଛି ମିନିଟ ପୂର୍ବରୁ ଡ୍ରାଗନ କ୍ୟାପସୁଲରେ ଲାଗିଥିବା ୪ ଟି ପାରାସୁଟ୍ ଖୋଲାଯାଇଥିଲା । ପ୍ରଥମେ ଦୁଇଟି ପାରାସୁଟ ଖୋଲାଯାଇଥିଲା । ପରେ ଯାନର ବେଗ କମ ହେବା ପରେ ଅନ୍ୟ ଦୁଇଟି ପାରାସୁଟ ଖୋଲିଥିଲା । ପାରାସୁଟ ଯୋଗୁ ଯାନ ବେଗ କମ ହେବା ସହ ଧିରେ ଧିରେ ତଳକୁ ଖସି ସମୁଦ୍ରରେ ପଡିଥିଲା । ସ୍ପେଶଏକ୍ସ କ୍ରୁ ଡ୍ରାଗନ ସମୁଦ୍ରରେ ପଡିବା ପୂର୍ବରୁ ସେଠାରୁ ସ୍ବତନ୍ତ୍ର ବୋଟ ମୁତୟନ ରହିଥିଲା । ମହାକାଶ ଯାନରୁ ମହାକାଶଚାରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଛି । ୪ ମହାକାଶଚାରୀ ଫେରିବା ପରେ କେବଳ ଆମେରିକା ନୁହେଁ ସାରା ବିଶ୍ବରେ ଖୁସୀର ମାହୋଲ ଦେଖିବାକୁ ମିଳିଛି ।