କନକ ବ୍ୟୁରୋ:  ଅନେକ ଦିନ ଚର୍ଚ୍ଚାରେ ଥିବା ତଥା ବିଧାନସଭା ନିର୍ବାଚନରେ ଶାସକ ଦଳ ପାଇଁ ଟ୍ରମକାର୍ଡ ସାଜିଥିବା ସୁଭଦ୍ରା ଯୋଜନା ଆଜି ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଶେଷରେ ଏହି ଯୋଜନାର ଏସଓପି ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏସ୍ଓପି କେଉଁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯିବ ଓ କିଭଳି ସାମିଲ କରାଯିବ ତାହା ଉଲ୍ଲେଖ କରାଯାଇଛି । ତେବେ କେଉଁଠି ହିତାଧିକାରୀ ଏହି ଯୋଜନାରେ ସାମିଲ ହେବାକୁ ଆବେଦନ କରିବେ ତାହା ମଧ୍ୟ ଜାଣିବା ଜରୁରୀ ।

ସ୍ଥାନୀୟ ଅଞ୍ଚଳରେ ଥିବେ ଯେକୌଣସି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଆବେଦନକାରୀ ଆବେଦନ କରି ପାରିବେ । ଏଥିପାଇଁ ନିଜ ଅଞ୍ଚଳର ଅଙ୍ଗନବାଡ଼ି କର୍ମୀଙ୍କ ସହ ଯୋଗାଯୋଗ କରିପାରିବେ ଲୋକେ । ଖାଲି ସେତିକି ନୁହେଁ ନିଜ ବ୍ଲକ କାର୍ୟ୍ୟାଳୟରେ ମଧ୍ୟ ଲୋକେ ଏହି ବହୁମୁଖୀ ଯୋଜନାରେ ସାମିଲ ହେବାକୁ ଆବେଦନ  କରି ପାରିବେ । ଏଣୁ ଯୋଜନାରେ ସାମଲ ହେବାକୁ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ବ୍ଲକ ଅଫିସରେ ଏ ବିଷୟରେ ସବିଶେଷ ବିବରଣୀ ପାଇ ପାରିବେ ଲୋକେ । ତା ସହିତ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ଯୋଜନାରେ ସାମିଲ ହେବାକୁ ଆବେଦନ ସମ୍ପର୍କିତ ସମସ୍ତ ତଥ୍ୟ ପାଇବା ସହ ଆବେଦନ କରି ପାରିବେ ଲୋକେ । ଏଣୁ ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ ଏହି ଯୋଜନାରେ ସାମିଲ ହେବାକୁ ଏହି ତିନୋଟି ମାଧ୍ୟମ ବ୍ୟବହାର କରି ପାରିବେ ।

ପୂର୍ବରୁ ଏହି ଯୋଜନାରେ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ସରକାର । ତେବେ ଏସଓପିରେ ବାର୍ଷିକ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ସରକାର । ଏହି ଯୋଜନା ମାଧ୍ୟମରେ ରାଜ୍ୟରେ  ୧ କୋଟିରୁ ଅଧିକ ମହିଳା ଲାଭାନ୍ୱିତ ହେବେ । ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର ।

SOP ମୁତାବକ, ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା, ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ଏହାସହ କୌଣସି ସରକାରୀ ଯୋଜନାରେ ମାସିକ ୧୫୦୦ ଟଙ୍କା କିମ୍ବା ତାଠୁ ଅଧିକ ଅଥବା ବାର୍ଷିକ ୧୮ ହଜାର ଟଙ୍କା କିମ୍ବା ତଦୁର୍ଦ୍ଧ ସହାୟତା ରାଶି ପାଉଥିବା ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି କୁହାଯାଇଛି ।