କନକ ବ୍ୟୁରୋ : ଅଳ୍ପ ବର୍ଷାରେ ବିଦ୍ୟାଳୟ ଭିତରେ ଆଣ୍ଠୁଏ ପାଣି । ରାଜଧାନୀ ଉପକଣ୍ଠ ବାଲିଅନ୍ତା ହାଇସ୍କୁଲର ଅବସ୍ଥା ଶୋଚନୀୟ ହୋଇପଡିଛି । ମୁନ୍ଦାଏ ବର୍ଷାରେ ବନ୍ୟାର ଭ୍ରମ ସୃଷ୍ଟି କରୁଛି । ବାରଣ୍ଡାରେ ଲହଡ଼ି ଭାଙ୍ଗୁଛି ପାଣି । ସ୍କୁଲର ସବୁଆଡ଼େ ଜଳମଗ୍ନ ହୋଇପଡିଥିବା ବେଳେ ପାଣି ଭିତରେ ପଶି ପିଲା ଯାଉଛନ୍ତି ସ୍କୁଲ । ଏପରିକି ଆଉ ଅଳ୍ପ ବର୍ଷା ହେଲେ ଶ୍ରେଣୀଗୃହରେ ବି ଜମିବ ପାଣି । ଏବେ ସୁଦ୍ଧା ଜଳ କମିନଥିବା ବେଳେ ଅସୁବିଧା ଭୋଗୁଛନ୍ତି ସ୍କୁଲର ପିଲା ।
ଲଗାଣ ବର୍ଷାରେ ବେହାଲ ରାଜଧାନୀବାସୀ । ଗତକାଲି ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକଙ୍କ ଘରେ ପାଣି ପଶିଯାଇଥିବା ବେଳେ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି । ରାତି ତମାମ ବିଏମସି କର୍ମଚାରୀ ଜଳ ନିଷ୍କାସନ ପାଇଁ ଚେଷ୍ଟା ଜାରି ରହିଥିବା ବେଳେ ଏବେ ବି ଜାରି ରହିଛି ପ୍ରକ୍ରିୟା । ପରିସ୍ଥିତି ଅଣାୟତ୍ତ ହେବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପାଣି ନିଷ୍କାସନ କରିଥିବା ଜଣାପଡିଛି । ଶତାଧିକ ପରିବାର ପାଣି ଘେରରେ ରହିଥିବା ବେଳେ ଜନଜୀବନ ବି ବ୍ୟାହତ ହୋଇଛି । ତେବେ ଉଭୟପଟୁ ରାସ୍ତା ଖୋଳି ଦିଆଯାଇଥିବାରୁ ଲୋକ ଘରୁ ବାହାରି ପାରୁନାହାନ୍ତି । ରାସ୍ତାରେ ଗାଡ଼ି ଯିବା ତ ଦୂରର କଥା ପାଦରେ ଚାଲି ଚାଲି ଯିବାକୁ ବି ହନ୍ତସନ୍ତ ହେବାକୁ ପଡୁଛି ।