କନକ ବ୍ୟୁରୋ: ପ୍ରକୃତିର କରାଳ ରୂପ ଯେତେବେଳେ ମଣିଷ ଉପରେ ପଡ଼େ, ସେତେବେଳେ ଚାରିଆଡ଼େ କେବଳ ବିନାଶ ଆଉ ହାହାକାର ଦେଖାଯାଏ । କିନ୍ତୁ ସେହି ଭୟଙ୍କର ବିପଦ ମଧ୍ୟରେ ହିଁ ମାନବିକତାର କିଛି ଅବିଶ୍ୱସନୀୟ କାହାଣୀ ସାମ୍ନାକୁ ଆସେ । ଯାହା ମଣିଷପଣିଆ ଉପରେ ଭରସାକୁ ଆହୁରି ମଜବୁତ କରିଦିଏ । ଏଭଳି ଏକ କାହାଣୀ ହେଉଛି ଜମ୍ମୁ-କଶ୍ମୀରର କିସ୍ତୱାଡ଼ ଜିଲ୍ଲାର, ଯେଉଁଠାରେ ଜଣେ ସାଧାରଣ ବ୍ୟକ୍ତି ଭୀମ ସିଂହ ଏକ ଅସହାୟ ଶିଶୁକନ୍ୟା ପାଇଁ ଦେବଦୂତ ସାଜିଥିଲେ ।
ପ୍ରଳୟଙ୍କରୀ ବାଦଲ ଫଟା ବର୍ଷା
ପାଞ୍ଚଦିନ ପୂର୍ବରୁ ଅର୍ଥାତ ୧୪ ଅଗଷ୍ଟରେ କିସ୍ତୱାଡରେ ହଠାତ୍ ପ୍ରଳୟଙ୍କରୀ ବାଦଲ ଫଟା ବର୍ଷା ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ସୃଷ୍ଟି ହୋଇଥିଲା । ଚସୋଟି, ଗୁଲାବଗଢ ଏବଂ ମେଚୖଲ ମାଙ୍କ ମନ୍ଦିରର ଅଞ୍ଚଳ ସେହି ଭୟାଭୟ ରାତିକୁ ଆଜି ବି ଭୁଲିନି । ଆଖି ପିଛୁଳାକେ ସାରା ଗାଁ ଧ୍ୱଂସସ୍ତୂପରେ ପରିଣତ ହୋଇଗଲା । ଘରଦ୍ୱାର, ଚାଷଜମି ସବୁକିଛି ମାଟି ଓ ପାଣିର ସ୍ରୋତରେ ଭାସିଗଲା । ଅନେକ ଲୋକ ନିଜର ପ୍ରାଣ ହରାଇଲେ ଏବଂ ଅନେକ ନିଖୋଜ ହୋଇଗଲେ ।
ବିପର୍ଯ୍ୟୟ ମଧ୍ୟରେ ଏକ କୁନି ଜୀବନ
ଏହି ଭୟାବହ ପରିସ୍ଥିତିରେ ଭୀମ ସିଂହ ନିଜେ ମଧ୍ୟ ଜଣେ ପୀଡ଼ିତ ଥିଲେ । ସେ ନିଜର ଘର ଓ ସବୁକିଛି ହରାଇ ସାରିଥିଲେ । କୌଣସିମତେ ନିଜ ଜୀବନ ବଞ୍ଚାଇ ସେ ଏକ ସୁରକ୍ଷିତ ସ୍ଥାନ ଖୋଜୁଥିବା ବେଳେ, ହଠାତ୍ ତାଙ୍କ କାନରେ ଏକ ଶିଶୁର କାନ୍ଦଣା ଶୁଭିଲା । ସେ ଦେଖିଲେ ଯେ କାଦୁଅ ଏବଂ ଭଙ୍ଗାରୁଜା ଜିନିଷ ଭିତରେ ପ୍ରାୟ ୯ ମାସର ଏକ ଶିଶୁକନ୍ୟା ପଡ଼ିରହି କାନ୍ଦୁଛି । ଶିଶୁଟି କ୍ଷତାକ୍ତ ହୋଇଥିଲା ଏବଂ ଭୋକରେ ଆଉଟୁ ପାଉଟୁ ହେଉଥିଲା । ତା’ର ପରିବାରର କୌଣସି ଖୋଜଖବର ନଥିଲା ।
ନିଜର ଦୁଃଖ ଓ କଷ୍ଟକୁ ଭୁଲିଯାଇ ଭୀମ ସିଂହ ସଙ୍ଗେ ସଙ୍ଗେ ସେହି ଶିଶୁଟିକୁ ଉଦ୍ଧାର କଲେ । ସେ ଜାଣିଥିଲେ ଯେ ଯଦି ତୁରନ୍ତ କିଛି କରାନଯାଏ, ତେବେ ଶିଶୁଟି ବଞ୍ଚିପାରିବ ନାହିଁ । ସେ ଶିଶୁଟିକୁ ନିଜ କାନ୍ଧରେ ବସାଇ ପ୍ରାୟ ୮ କିଲୋମିଟରର ଦୁର୍ଗମ ପାହାଡ଼ିଆ ରାସ୍ତା ପାଦରେ ଚାଲି ଚାଲି ଅତିକ୍ରମ କରିଥିଲେ । ରାସ୍ତା ସାରା ଭୂସ୍ଖଳନ ଯୋଗୁଁ ନଷ୍ଟ ହୋଇଯାଇଥିଲା ଏବଂ ଚାଲିବା ମଧ୍ୟ କଷ୍ଟକର ଥିଲା ।
କିନ୍ତୁ ତାଙ୍କର ସବୁଠୁ ବଡ଼ ଚିନ୍ତା ଥିଲା ଶିଶୁଟିର ଭୋକ । କାନ୍ଦୁଥିବା ପିଲାଟି ପାଇଁ ସେ ବାଟରେ ଯାହାକୁ ଦେଖୁଥିଲେ, ତାଙ୍କୁ କ୍ଷୀର ଟିକେ ପାଇଁ ନେହୁରା ହେଉଥିଲେ । ସମସ୍ତେ ନିଜେ ବିପଦରେ ଥିଲେ, କିନ୍ତୁ ଭୀମ ସିଂହଙ୍କ ଏହି କରୁଣ ଆକୁଳତା ଦେଖି କିଛି ଲୋକ ସାହାଯ୍ୟ କରିଥିଲେ । ସେ ଶିଶୁଟିକୁ କ୍ଷୀର ପିଆଇ ତା’ର ଜୀବନ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଥିଲେ । ଶେଷରେ ସେ ସେନା ଓ ଉଦ୍ଧାରକାରୀ ଦଳ ପାଖରେ ପହଞ୍ଚି ଶିଶୁଟିକୁ ହସ୍ତାନ୍ତର କରିଥିଲେ । ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ । ଜଣେ ସାଧାରଣ ମଣିଷ ହୋଇ ମଧ୍ୟ ସେ ଯେଉଁ ଅସାଧାରଣ ସାହସ ଓ ମାନବିକତା ଦେଖାଇଲେ, ତାହା ସମସ୍ତଙ୍କ ପାଇଁ ଏକ ପ୍ରେରଣା । ଭୀମ ସିଂହଙ୍କ ଏହି କାହାଣୀ ପ୍ରମାଣ କରେ ଯେ ବିପଦ ସମୟରେ ହିଁ ପ୍ରକୃତ ମଣିଷପଣିଆର ପରିଚୟ ମିଳିଥାଏ ।