କନକ ବ୍ୟୁରୋ:   ଜାମ୍ମୁ କାଶ୍ମୀର କିସ୍ତୱାଡ଼ରେ ପ୍ରକୃତିର ତାଣ୍ଡବ। ବାଦଲଫଟା ବର୍ଷାରେ ୫୨ ଜଣଙ୍କ ମୃତ୍ୟୁ ହୋଇଛି । ୧୬୦ ଜଣ ଲୋକ ଗୁରୁତର ହୋଇଥିବା ବେଳେ ଏବେ ବି ୨୨୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହି ବିପର୍ୟ୍ୟୟରେ ଦୁଇ ଜଣ ସିଆଇଏସଏଫ ଯବାନଙ୍କ ପ୍ରାଣହାନି ହୋଇଛି । ଏବେ ବି ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଏନଡିଆରଫ ଟିମ୍ ଘଟଣାସ୍ଥଳରେ ପହଂଚି ମାଟିତଳୁ ଜୀବନ ଖୋଜୁଛନ୍ତି । ଅନେକ ଲୋକ ମାଟି ତଳେ ଫସିରହିଥିବା ଅନୁମାନ କରାଯାଉଛି । ବାଦଲଫଟା ବର୍ଷାରେ ଘରଦ୍ବାର ଭାଙ୍ଗିଯାଇଥିବା ବେଳେ ଗାଡ଼ି ଗୁଡ଼ିକ ମଧ୍ୟ ଫସିରହିଛି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଦୁଃଖ ଜଣାଇଛନ୍ତି । ଜାମ୍ମୁ-କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଗତକାଲି ମଧ୍ୟାହ୍ନ ସମୟରେ ଆସିଥିବା ବିପର୍ୟ୍ୟୟ ଲୋକଙ୍କ ଭିତରେ ଆତଙ୍କ ଖେଳାଇଦେଇଥିଲା । ମଚେଲ ମାତା ଯାତ୍ରା ପାଇଁ ଶ୍ରଦ୍ଧାଳୁ ମାନେ କିସ୍ତୱାଡ଼ ଜିଲ୍ଲାର ଚସୋତି ଗାଁରେ ଏକଜୁଟ୍ ହୋଇଥିଲେ। ହେଲେ ଅଚାନକ ବାଦଲଫଟା ବର୍ଷା ପ୍ରଳୟ ରଚିଥିଲା । ଜୀବନ ବଂଚାଇବାକୁ ଲୋକମାନେ ଚିତ୍କାର କରୁଥିଲେ । ଆଉ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଦେବଦୁତ ପାଲଟିଲେ ସ୍ଥାନୀୟ ଲୋକ, ଭାରତୀୟ ସେନା ଏବଂ ସ୍ଥାନୀୟ ପ୍ରଶାସନ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଶତାଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।