rijiju Photograph: (google)
ସଂସଦର ବଜେଟ ଅଧିବେଶନ ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଜାରି ରହିଛି। ରାଜ୍ୟସଭାରୁ ଲୋକସଭା ପର୍ଯ୍ୟନ୍ତ ଲଗାତାର ହଟ୍ଟଗୋଳ ହେଉଛି। ଏହି ସମୟରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି। ରିଜିଜୁ କଂଗ୍ରେସ ସାଂସଦମାନଙ୍କ ବିରୋଧରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଚାମ୍ବରରେ ପଶି ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି।
ରିଜିଜୁ ସାମ୍ବାଦିକମାନଙ୍କୁ କହିଛନ୍ତି, ୨୦-୨୫ ଜଣ କଂଗ୍ରେସ ସାଂସଦ ଲୋକସଭା ବାଚସ୍ପତିଙ୍କ ଚାମ୍ବରରେ ପଶି ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ମୁଁ ମଧ୍ୟ ସେଠାରେ ଥିଲି। ବାଚସ୍ପତି ଜଣେ ବହୁତ ନରମ ସ୍ୱଭାବର ବ୍ୟକ୍ତି, ନଚେତ୍ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କେସି ଭେନୁଗୋପାଳଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଭିତରେ ଉପସ୍ଥିତ ଥିଲେ। ସେମାନେ କଂଗ୍ରେସ ସଦସ୍ୟଙ୍କୁ ଉସୁକାଇଥିଲେ।
କିରେନ୍ ରିଜିଜୁ ଅଭିଯୋଗ କରିଛନ୍ତି, କଂଗ୍ରେସ ସାଂସଦମାନେ ବାଚସ୍ପତିଙ୍କ ସହ ଖରାପ ବ୍ୟବହାର କରି ସଂସଦର ନିୟମ ଉଲ୍ଲଂଘନ କରିଛନ୍ତି। ସେମାନେ ବାଚସ୍ପତିଙ୍କ ଚାମ୍ବରକୁ ଯାଇ ତାଙ୍କୁ ଖରାପ କଥା କହି ଦୁର୍ବ୍ୟବହାର କରିଥିଲେ। ତା''''ପରେ ବାଚସ୍ପତି ଏକ ରୁଲିଂ ଜାରି କରିଥିଲେ, ଯାହାକୁ ପାଳନ କରାଯାଇ ନଥିଲା। ପରେ ରାହୁଲ ଗାନ୍ଧୀ କହିଥିଲେ ଯେ, ତାଙ୍କୁ କହିବା ପାଇଁ କାହାର ଅନୁମତିର ଆବଶ୍ୟକତା ନାହିଁ। ସେ କୌଣସି ନିୟମ ବିନା ନିଜ ମନଇଚ୍ଛା କହିବେ। ତେବେ ସଂସଦ ନିୟମ ଅନୁସାରେ,ସଦସ୍ୟମାନେ ଅଧ୍ୟକ୍ଷଙ୍କଠାରୁ ଅନୁମତି ନପାଇଲେ ଗୃହରେ କହିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ମଧ୍ୟ ଅଧ୍ୟକ୍ଷଙ୍କ ଅନୁମତି ନେଇ କହିବେ। ଅନୁମତି ପାଇବା ପରେ ହିଁ ସମସ୍ତେ କହିଥାନ୍ତି।
ସଂସଦରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ବଢୁଥିବା ବିବାଦ ମଧ୍ୟରେ ଏହି ନୂତନ ଅଭିଯୋଗ ଆସିଛି। ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଓମ୍ ବିର୍ଲାଙ୍କୁ ଲୋକସଭା ବାଚସ୍ପତି ପଦରୁ ହଟାଇବା ପାଇଁ ଏକ ନୋଟିସ୍ ଦାଖଲ କରିଥିଲେ। ତାଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ ଓ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ସେ ଗୃହର ଅଧ୍ୟକ୍ଷତା ନ କରିବାକୁ ଦାବି କରିଥିଲେ।
Follow Us