କେବେ ବଜାରକୁ ଆସିବ ଶ୍ରାବଣ ଛତୁ ? ଚାହିଁ ରହିଛନ୍ତି ଗ୍ରାହକ

ପାଟିକୁ ସୁସ୍ବାଦୁ ଲାଗୁଥିବା ଶ୍ରାବଣ କଢ଼ ପ୍ରାୟତଃ ଅଧିକ ଟଙ୍କାରେ ବିକ୍ରି ହୋଇଥାଏ । ଶ୍ରାବଣ ଭଳି ପବିତ୍ର ମାସରେ ଅଧିକାଂଶ ଲୋକ ଆମିଷ ଖାଇନଥା’ନ୍ତି । ଆଉ ସେତିକିବେଳେ ଶ୍ରାବଣ ଛତୁ ଆମିଷର ଟେଷ୍ଟ୍ ଦେଇଥାଏ ।

Shraban Chatu

Shraban Chatu Photograph: (google)

କନକ ବ୍ୟୁରୋ : ଛତୁ ଖାଇବାକୁ ଅବା କିଏ ନ ଭଲ ପାଆନ୍ତି । ବଜାରରେ ପାଳ ଛତୁଠାରୁ ଆରମ୍ଭ କରି ବଟନ୍ , ଓଏଷ୍ଟର୍ ଭଳି ଛତୁ ଉପଲବ୍ଧ । କିନ୍ତୁ ଶ୍ରାବଣ ମାସରେ ଶ୍ରାବଣ ଛତୁର ଚାହିଦା ଟିକେ ନିଆରା । ତେବେ ଚଳିତ ବର୍ଷ ଏହି ଛତୁର ବିକ୍ରି ଏଯାଏଁ ହୋଇନଥିବା ବେଳେ ଛତୁ ଖାଇବାକୁ ଭଲ ପାଉଥିବା ଲୋକ ଏହାର ଆଗମନକୁ ଅପେକ୍ଷା କରି ରହିଛନ୍ତି । ଗତବର୍ଷ ୫୦୦ ରୁ ୮୦୦ ଟଙ୍କା ଯାଏଁ ବିକ୍ରି ହେଉଥିବା ଶ୍ରାବଣ ଛତୁ ଚଳିତ ବର୍ଷ କେତେ ଟଙ୍କାରେ ବିକ୍ରି ହେବ ଏହା ଦେଖିବାକୁ ବାକି ରହିଲା । ପାଟିକୁ ସୁସ୍ବାଦୁ ଲାଗୁଥିବା ଶ୍ରାବଣ କଢ଼ ପ୍ରାୟତଃ ଅଧିକ ଟଙ୍କାରେ ବିକ୍ରି ହୋଇଥାଏ । ଶ୍ରାବଣ ଭଳି ପବିତ୍ର ମାସରେ ଅଧିକାଂଶ ଲୋକ ଆମିଷ ଖାଇନଥା’ନ୍ତି । ଆଉ ସେତିକିବେଳେ ଶ୍ରାବଣ ଛତୁ ଆମିଷର ଟେଷ୍ଟ୍ ଦେଇଥାଏ । ତେଣୁ ଦରଦାମ ନଦେଖି ବଜାରକୁ ଆସିବା ମାତ୍ରେ ଏହି ଜଙ୍ଗଲଜାତ ଦ୍ରବ୍ୟକୁ କିଣି ନିଅନ୍ତି ଗ୍ରାହକ ।

Mushroom
Mushroom Photograph: (google)

ପାହାଡ଼ିଆ ଅଞ୍ଚଳ ଖାସ୍ କରି କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଗଜପତି ଭଳି ଜିଲ୍ଲାରେ ଏହି ଛତୁର ଅଧିକ ବିକ୍ରି ହୋଇଥାଏ । ବର୍ଷା ଦିନରେ ଏହି ଅଞ୍ଚଳମାନଙ୍କରେ ଜଙ୍ଗଲଜାତ ଶ୍ରାବଣ ଛତୁ ଏବଂ ବାଉଁଶ କରିଡ଼ ବିକ୍ରି ହୋଇଥାଏ । ପୂର୍ବରୁ କେବଳ ଆଦିବାସୀ ଲୋକମାନେ ଜଙ୍ଗଲରୁ ଏହି ଛତୁ ଏବଂ ବାଉଁଶ କରିଡ଼ ଆଣି ବଜାରରେ ବିକ୍ରି କରୁଥିଲେ କିନ୍ତୁ ବର୍ତ୍ତମାନର ସମୟରେ ପ୍ରାୟତଃ ଅଧିକାଂଶ ଲୋକ ଜଙ୍ଗଲରୁ ଛତୁ ଏବଂ ବାଉଁଶ କରିଡ଼ ସଂଗ୍ରହ କରି ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । 

chhatu
chhatu Photograph: (Google)

ଶ୍ରାବଣ ଛତୁ ହେଉଛି ଏକ ଋତୁକାଳୀନ ଖାଦ୍ୟ । ବିଶେଷ କରି ବର୍ଷା ଦିନେ ଏହା ଘଞ୍ଚ ଜଙ୍ଗଲ କିମ୍ବା ଉଇ ହୁଙ୍କାରେ ଆପେ ଆପେ ବଢ଼ି ଉଠେ । ତେଣୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଏହି ଜଙ୍ଗଲଜାତ ଦ୍ରବ୍ୟକୁ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି । ଅନେକ ବ୍ୟବସାୟୀମାନେ ଆଦିବାସୀ ଗାଁମାନଙ୍କରୁ ଏହି ଛତୁ କିଣି ମଧ୍ୟ ବିକ୍ରି କରିଥା’ନ୍ତି । ପାଳ ଛତୁ କିମ୍ବା ବଟନ୍ ଛତୁ ବର୍ଷତମାମ ଚାଷ ହୋଇଥାଏ । ତେବେ ଏହି ଶ୍ରାବଣ ଛତୁ କିନ୍ତୁ କେବଳ ବର୍ଷା ଦିନେ ହିଁ ଉପଲବ୍ଧ ହୁଏ । ତେଣୁ ଶ୍ରାବଣ ମାସରେ ଶାକାହାରୀଙ୍କ ପ୍ରଥମ ପସନ୍ଦ ପାଲଟିଥାଏ ଏହି ଦେଶୀ ଛତୁ । ବିଶେଷ କରି ମାଲକାନଗିରି ଜିଲ୍ଲାରେ ଏହା ବହୁଳ ଭାବେ ଉପଲବ୍ଧ ହେଉଥିବାରୁ ଦୂରଦୂରାନ୍ତରେ ଥିବା ନିଜ ସମ୍ପର୍କୀୟମାନଙ୍କୁ ପଠାଇବା ଲାଗି ଗ୍ରାହକଙ୍କ ଏଠାରେ ଭିଡ଼ ଜମେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe