Photograph: (kanaknews)
କନକ ବ୍ୟରୋ : ମହାକୁମ୍ଭର ସଙ୍ଗମରେ ଆଜି ବୁଡ ପକାଇବେ ଭୁଟାନର ରାଜା ଜିଗ୍ମେ ଖେସର ନାମଗେଲ ଓ୍ବାଙ୍ଗଚୁକ୍ । ତାଙ୍କ ସହ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ଭୁଟାନର ରାଜା ଲକ୍ଷ୍ନୌରେ ପହଞ୍ଚିଯାଇଛନ୍ତି । ଚୌଧୁରୀ ଚରଣ ସିଂ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜିଗ୍ମେ ଖେସରଙ୍କୁ ପୁଷ୍ପ ଗୁଚ୍ଛ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଭବ୍ୟ ସ୍ବାଗତ କରିଥିଲେ । ବିମାନବନ୍ଦରରେ ଜିଗ୍ମେ ଖେସରଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ସୂଚନାମୁତାବକ, ସଙ୍ଗମରେ ରାଜା ବୁଡ ପକାଇବା ପରେ ଅକ୍ଷୟ ବଟ ଯାଇ ହନୁମାନ ମନ୍ଦିରରେ ଦର୍ଶନ କରିବେ ।
ରାଜଭବନ ଯାଇ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଥିଲେ ଭୁଟାନର ରାଜା ଜିଗ୍ମେ ଖେସର । ଏକ ବୟାନରେ ରାଜା କହିଥିଲେ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ଗରିମାପୂର୍ଣ୍ଣ ସ୍ବାଗତ ଜାଇଥିବାରୁ ମୁଁ ଧନ୍ୟବାଦ ଜଣାଉଛି । ରାଜଭବନରେ ଭୁଟାନ ରାଜା ଏବଂ ତାଙ୍କର ବିଶିଷ୍ଠ ପ୍ରତିନିଧିମଣ୍ଡଳ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭାରତ-ଭୁଟାନ ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଆଲୋଚନା ହୋଇଥିଲା ।
ତେବେ ଡିସେମ୍ବର 2024ରେ, ଭୁଟାନର ରାଜା ଏବଂ ରାଣୀ ନୂଆଦିଲ୍ଲୀ ଗସ୍ତ କରିଥିଲେ ଏବଂ ମାର୍ଚ୍ଚ 2024ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ୍ ଡ୍ରୁକ୍ ଗ୍ୟାଲପୋ' ପ୍ରଦାନ କରାଯାଇଥିଲା। ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନଜନକ ପୁରସ୍କାର ପାଇବାରେ ପ୍ରଥମ ବିଦେଶୀ ନେତା ।
Follow Us