କନକ ବ୍ୟୁରୋ: ରାଜାଙ୍କ ଗୁମାସ୍ତା କହି ଭାଗଚାଷୀଙ୍କୁ ମାରିଦେଲେ । ଭଦ୍ରକ ଜିଲ୍ଲା ଧାମରା ଅଂଚଳରୁ ଆସିଛି ଏଭଳି ଲୋମଟାଙ୍କୁରା ଘଟଣା । କାଲି ପ୍ରାୟ ୩ ଜଣ ଯୁବକ ଆସି ରାଜାଙ୍କ ଜମି କାହିଁକି ଚାଷ କରୁଛି କହି ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ତାଙ୍କର ମେଡିକାଲରେ ମୃତ୍ୟୁ ହୋଇଥିଲା । ପରେ ନ୍ୟାୟ ଦାବିରେ ପରିବାର ଲୋକେ ରାସ୍ତା ଅବରୋଧ କରିଛନ୍ତି ।
ଭଦ୍ରକ ଜିଲ୍ଲା ଧାମରା ଅଂଚଳରୁ ଆସିଛି ଏମିତି ଚାଂଚଲ୍ୟକର ଖବର। କନିକା ରାଜାଙ୍କ ଗୁମାସ୍ତା କହି କିଛି ଲୋକ ଭଦ୍ରକ ଧାମରା ମେରାଇନ ଥାନା ଅନ୍ତର୍ଗତ ଜୟଦୁର୍ଗାପାଟଣା ଗାଁରେ ଭାଗଚାଷୀ ଅମର ମାଇତିଙ୍କୁ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି । ଆଉ ଏତେ ବଡ ଘଟଣା ଘଟିଛି ଜମିକୁ ନେଇ । ଅଭିଯୋଗ ଅନୁସାରେ, କନିକା ରାଜ ପରିବାରର ଏକ ଜମିକୁ ଦୀର୍ଘଦିନ ହେବ ଚାଷ କରୁଥିଲେ ଅମରଙ୍କ ପରିବାର । ସୋମବାର ସେ ଜମିରେ ମାଟି ପକାଉଥିବାବେଳେ ଧାମରା ଗାଁର କିଛି ଯୁବକ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ପରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା ।
କନିକା ରାଜାଙ୍କ ଗୁମସ୍ତା କହି କ୍ୟାମେରା ଆଗରେ ଧମକାଉଛନ୍ତି ଜଣେ ବ୍ୟକ୍ତି । ଦୀର୍ଘଦିନ ଧରି ଅମର ମାଇତି କନିକା ରାଜାଙ୍କ ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ତେଣୁ ରାଜାଙ୍କ ଗୁମାସ୍ତା କହି ଏମିତି ତାଙ୍କୁ କେହି ମାରିଦେବ, ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ଅମରଙ୍କ ସାନଭାଇ ଧାମରା ମେରାଇନ ଥାନାରେ ଲିଖିତ ଅଭିଯୋଗ କରିବା ସହ ମୃତଦେହକୁ ରାସ୍ତା ଉପରେ ରଖି ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଘଟଣା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ଆକ୍ରମଣକାରୀମାନେ ଅମର ମାଇତିଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ପରେ ତାଙ୍କ ଭାଇ, ସ୍ତ୍ରୀ ଓ ପୁଅକୁ ବି ଆକ୍ରମଣ କରିଛନ୍ତି । ମୋଟ ୩ ଜଣ ଆସି ଏଭଳି କାଣ୍ଡ କରିଥିଲେ । ପୁଲିସ ଏଫଆଇଆର ରଖିବାରେ ବିଳମ୍ବ କରିଥିବା ବି ଅଭିଯୋଗ ହୋଇଛି । ପ୍ରଶ୍ନ ଉଠୁଛି, କନିକା ରାଜାଙ୍କ ନାଁ କହି ଯୁବକ ଆଇନକୁ ହାତକୁ ନେବାକୁ କିଏ? ଅଭିଯୁକ୍ତଙ୍କ ପଛରେ କିଏ? ଅଭିଯୁକ୍ତଙ୍କ ବିରୋଧରେ ହେବ କି ଦୃଢ଼ କାର୍ୟ୍ୟାନୁଷ୍ଠାନ?