କନକ ବ୍ୟୁରୋ : ଧରା ପଡ଼ିଲା କିଲର ଥାର ମାଲିକ । ପୁରୀରୁ ଅଭିଯୁକ୍ତକୁ ଗିରଫ କଲା ପୁଲିସ । ୯ ଅଗଷ୍ଟ ରାଖି ପୂର୍ଣ୍ଣିମା ରାତିରେ ଥାର ଦୁର୍ଘଟଣାରେ ମାଆ-ଝିଅଙ୍କ ହୋଇଥିଲା ମୃତ୍ୟୁ । ଗାଡ଼ି ଭିତରେ ରିଲ୍ସ ପାଇଁ ରେସିଙ୍ଗ କରୁଥିଲେ ଦୁର୍ବୃତ୍ତ। । ଗିରଫ ପରେ ଖଣ୍ଡଗିରି ଥାନାରେ ମୃତକଙ୍କ ପରିବାର ଲୋକଙ୍କ ହୋହଲ୍ଲା ପାଟିତୁଣ୍ତ । ଖାଲି ପାଟି ତୁଣ୍ଡ କି ହୋ ହଲ୍ଲା ନୁହେଁ , ଅଭିଶାପ ପରେ ଅଭିଶାପ ଦେଉଛନ୍ତି ମହିଳା । ଖଣ୍ଡଗିରି ଥାନା ଆଗରେ ଏଭଳି ପାଟିତୁଣ୍ଡ ଦେଖି ପୁଲିସ ବି ତାଜୁବ ହୋଇ ଯାଇଥିଲା । କାହିଁକି ନା ନିଜ ପରିବାର ସଦସ୍ୟଙ୍କୁ ହରାଇ ଧୈର୍ଯ୍ୟହରା ହୋଇ ପଡ଼ିଛି ଏହି ପରିବାର । ସେଦିନ ଥିଲା ୦୯ ଅଗଷ୍ଟ ୨୦୨୫ , ସ୍ଥାନ ପାତ୍ରପଡ଼ା ଓଭରବ୍ରିଜ୍ । ରାଖି ପୂର୍ଣ୍ଣିମାରେ ଭାଇ ହାତରେ ରାଖି ବାନ୍ଧି ନିଜ ପୁଅ ଓ ଝିଅ ସହ ଘରକୁ ଫେରୁଥିଲେ ପାତ୍ରପଡା ଫୁଲେଶ୍ୱରୀ ବସ୍ତିର ରେବତୀ ରାଉଳ । ହଠାତ୍ ଯମଦୂତ ଭଳି ମାଡ଼ି ଆସିଥିଲା ଥାର୍ ଆଉ ସାରି ଦେଇ ଥିଲା ସବୁ କିଛି । ଚକା ତଳେ ଦଳି ମାରି ଦେଇଥିଲା ରେବତୀ ଓ ତାଙ୍କ ଝିଅ ରେଶମାକୁ । ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ ଅଢ଼େଇ ବର୍ଷର ପୁଅ । ପୁଲିସ କହିଛି, ଗାଡି ଭିତରେ ରିଲ୍ସ ପାଇଁ ରେସିଙ୍ଗ କରୁଥିଲେ ଏହି ଦୁର୍ବୃତ୍ତ । ଯେଉଁଥିପାଇଁ ପାତ୍ରପଡ଼ା ଓଭରବ୍ରିଜ ଉପରେ ଚାଲି ଯାଇଥିଲା ଦୁଇ ଦୁଇଟି ନିରୀହ ଜୀବନ ।
ସେପଟେ ଫେରାର ଥିବା ଅଭିଯୁକ୍ତଙ୍କୁ ବାନ୍ଧିଛି ଖଣ୍ଡଗିରି ପୁଲିସ । ଥାର ଗାଡ଼ି ମାଲିକ ସୋମନାଥ ବେହେରା ଓ ତାକୁ ଘରେ ଆଶ୍ରୟ ଦେଇଥିବା ସନ୍ଦୀପ ନସ୍କରକୁ ବି ଗିରଫ କରିଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । କିନ୍ତୁ ମୃତ ରେବତୀଙ୍କ ସ୍ୱାମୀଙ୍କ ସାଙ୍ଘାତିକ ଅଭିଯୋଗ ଏହି ଘଟଣାକୁ ଆହୁରି ବିବାଦୀୟ କରିଛି । ସେ କହିଛନ୍ତି ଘଟଣାକୁ ଚାପି ଦେବାକୁ ଓ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ବାରମ୍ୱାର କିଛି ଲୋକ ଚାପ ପକାଉଥିଲେ ।