କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ସର୍ଗିଗୁଡା ଗାଁ । ଗାଁକୁ ଯେମିତି କବଜ୍ଜା କରିଛି କିଡନୀ ରୋଗ । ଅନେକ ଲୋକ କିଡନୀ ରୋଗ ପୀଡିତ । କିଏ ରୋଗ ସହ ଲଢ଼ିଲଢ଼ି ଜୀବନ ହାରିଛନ୍ତି ତ ଆଉ କିଏ ଚିକିତ୍ସା ପାଇଁ ସର୍ବସ୍ୱ ହରାଇ ସାରିଲେଣି । ସାରା ଗାଁର ଲୋକଙ୍କ କାହାଣୀ ଶୁଣିଲେ, ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କଲେ ଆପଣମାନେ ମଧ୍ୟ କହିବେ, ଏଠି କଣ ମୃତ୍ୟୁର ଫାସ ଜଗି ବସିଛି କିଡନୀ ରୋଗ ।
  
ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗାଁରେ ଘର ଘରେ କିଡନୀ ରୋଗୀ । ଅନେକଙ୍କ ଜୀବନ ଦୀପ ଲିଭି ଗଲାଣି, କିଛି ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏବେ ଯଦି ଅନ୍ୟ ସମସ୍ତଙ୍କର ପରୀକ୍ଷା କରାଯିବ, ତେବେ ଅନେକ ଆକ୍ରାନ୍ତ ଚିହ୍ନଟ ହେବେ ବୋଲି କହିଛନ୍ତି ଗ୍ରାମବାସୀ। ଗାଁରେ ନଳକୂପରୁ ବାହାରୁ ଥିବା ଗୋଳିଆ ପାଣି ପିଇ ଲୋକମାନେ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ୨୦୨୩ରେ କିଡନୀ ରୋଗରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଚଳିତ ବର୍ଷ ୪ଜଣଙ୍କ ମୃତ୍ୟୁ ହୋଇଛି । ଗତ ୧୦ ବର୍ଷରେ ୨୫ ଜଣଙ୍କ ଜୀବନ ନେଇଛି ଏ ରୋଗ । ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କୁ ଅବଗତ କଲେ ମଧ୍ୟ କୌଣସି ସୁବିଧା ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Advertisment

ଗାଁରେ ବସବାସ କରୁଥିବା ପ୍ରାୟ ୨ ହଜାର ଲୋକଙ୍କ ପାଇଁ ୮ଟି ନଳକୂପ ଅଛି । ପ୍ରାୟ ସବୁ ନଳକୂପରୁ ଲୁହାଗୁଣ୍ଡ, ମାଟି ମିଶା ପାଣି ବାହାରୁଛି। ସେପଟେ ବସୁଧା ଯୋଜନା ଫେଲ ମାରିଛି। ଅନ୍ୟ କୌଣସି ସୁବିଧା ନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ନଳକୂପରୁ ବାହାରୁଥିବା ପାଣି ପିଉଛନ୍ତି। ସେହି ପାଣି ପିଇ ନା ଖାଦ୍ୟପେୟ ଯୋଗୁଁ କିଡନୀ ରୋଗ ବ୍ୟାପୁଛି ତାହା ଜଣାପଡୁନାହିଁ । ସେପଟେ ଡାକ୍ତର କହିଛନ୍ତି ପାନୀୟ ଜଳ, ପେନ କିଲର ଓ ରାସାୟନିକ ସାର ମିଶ୍ରିତ ଖାଦ୍ୟ ଖାଇଲେ କିଡନୀ ରୋଗ ହୋଇଥାଏ ।  କିଡନୀ ରୋଗ ଚିକିତ୍ସାରେ ଲୋକମାନେ ନିଜର ସର୍ବସ୍ୱ ହରାଇଲେଣି । ବର୍ତ୍ତମାନ ଟଙ୍କା ପଇସା ଅଭାବରୁ ମୂଳିକୁ ଚିକିତ୍ସାକୁ ଭରସା କରୁଛନ୍ତି। ତଥାପି ଏଦିଗରେ ସ୍ୱାସ୍ଥ୍ୟ ବିଭାଗ କି ଜଳ ଓ ପରିମଳ ବିଭାଗ ଧ୍ୟାନ ଦେଉନଥିବା ଲୋକମାନେ ଦୁଃଖର ସହ କହିଛନ୍ତି  ।