କନକ ବ୍ୟୁରୋ : କୋରେଇ ବ୍ଲକ ପାଟରଙ୍ଗା ପଞ୍ଚାୟତର ଭାଲୁକାହୁଡ଼ି ଗାଁ। ଗ୍ରାମବାସୀଙ୍କୁ କାଳ କିଡନୀ ରୋଗ। ଗତ କିଛି ବର୍ଷରେ ୧୬ଜଣଙ୍କ ଜୀବନ ନେଇ ସାରିଛି ଏ ରୋଗ। ଏବେ ବି ୨୬ରୁ ଅଧିକ ଆକ୍ରାନ୍ତଙ୍କ ଚିକିତ୍ସା  ଜାରି ରହିଛି। ଭାଲୁକାହୁଡ଼ି ଗାଁରେ ୭୦ ଆଦିବାସୀ ପରିବାର ବସବାସ କରନ୍ତି। ଭାଲୁକାହୁଡ଼ି ଗାଁଟି କଳିଙ୍ଗନଗର ଶିଳ୍ପାଞ୍ଚଳ ନିକଟରେ ରହିଛି। ଫଳରେ ଜଳବାୟୁ ଓ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଥିବା ସନ୍ଦେହ କରାଯାଉଛି। ତେଣୁ ବିଶୁଦ୍ଧ ପାଣି ସହ ରୋଗୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

Advertisment

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ପ୍ରଥମ ପର୍ୟ୍ୟାୟରେ ୮ ଜଣ, ଦ୍ୱିତୀୟ ପର୍ୟ୍ୟାୟରେ ୨୦ ଜଣ କିଡନୀ ରୋଗୀ ଚିହ୍ନଟ ହୋଇଥିଲେ। ୩୦ ଜଣଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା। ତେବେ ଗାଁର ସଂପୂର୍ଣ୍ଣ ସ୍ଥିତି ଅନୁଧ୍ୟାନ କରିବା ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଆବେଦନ କରିଥିଲେ ମାନବ ଅଧିକାର କର୍ମୀ। ଯାଜପୁର ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। 

ତେବେ କାହିଁକି କିଡ଼ନୀ ରୋଗ ବ୍ୟାପୁଛି ଏହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏନେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା ଚାଲିଛି। ତଦନ୍ତ ପରେ କିଛି କୁହାଯାଇପାରିବ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ।