କନକ ବ୍ୟୁରୋ:  ଜଣା ପଡ଼ିନାହିଁ କାରଣ କଣ, ହେଲେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି ରୋଗ । ଆଉ ସେହି ରୋଗର ବଳୟ ଭିତରେ ଏବେ ପୁରା ଗ୍ରାମ । ସମସ୍ତଙ୍କୁ ଡରାଉଛି କିଡ଼ନୀ ରୋଗ । କିଡ଼ନୀ ରୋଗର ଭୟଙ୍କର ସ୍ଥିତିକୁ ନେଇ ଚିନ୍ତାରେ ପୁରା ଗାଁ ।

କିଏ ଖଟିଆ ଉପରେ ଶୋଇ ରହିଛି ତ ପୁଣି କିଏ ହାତରେ ଆଶା ବାଡ଼ି ଧରି ଚାଲୁଛି । କାହାର ଶରୀର କ୍ଷୀଣ ଅବସ୍ଥାରେ ଅଛି ତ ପୁଣି କିଏ ଯୁବାବସ୍ଥାରେ ବି ଶଯ୍ୟାଶାୟୀ । ଗାଁକୁ ପଶିଲେ ପ୍ରତି ଘରେ ପ୍ରାୟ ଏପରି ଚିତ୍ର ଦେଖିବାକୁ ପାଇବେ । କାରଣ ପୁରା ଗାଁ ଏବେ କିଡ଼ନୀ ରୋଗର କବଳରେ । ଆମେ କହୁଛୁ ଉଦଳା ବ୍ଲକ ରାଢୋ ପଞ୍ଚାୟତର ରାମଚନ୍ଦ୍ରପୁର ଗାଁ କଥା । ଗାଁରେ ବସବାସ କରନ୍ତି ୪୦ରୁ ଅଧିକ ପରିବାର । 

ହେଲେ ସେହି ପରିବାର ଭିତରୁ ଏବେ ୪୨ରୁ ୪୩ ଜଣ କିଡନୀ ରୋଗରେ ଆକ୍ରାନ୍ତ । କିଏ ୪ ମାସ ହେଲା ତ ପୁଣି କିଏ ବର୍ଷେ ହେଲା,  ଆଉ କିଏ ବର୍ଷ ବର୍ଷ ଧରି ଏହି ରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି । ସବୁକିଛି ଠିକ ଠାକ ଥିବା ବେଳେ ହଠାତ ଶରୀର ଅସୁସ୍ଥ ହୋଇପଡୁଛି, ଆଉ ତା ପରେ ପରୀକ୍ଷା କରିବା ପରେ ସାମ୍ନାକୁ ଆସୁଛି କିଡ଼ନୀ ରୋଗ। ଯାହା ପୁରା ଗ୍ରାମବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।
 
କିଡନୀ ରୋଗ ଯୋଗୁଁ ଗାଁର କିଛି ଯୁବକଙ୍କର ଅଳ୍ପ ବୟସରୁ ମୃତ୍ୟୁ ମଧ୍ୟ ହୋଇଛି । ହେଲେ ଗାଁରେ ଏପର୍ଯ୍ୟନ୍ତ କୌଣସି ମେଡିକାଲ ଟିମ କିମ୍ବା ସରକାରୀ ଅଧିକାରୀଙ୍କ ପାଦ ପଡ଼ିନି । କାଁ ଭାଁ କେତେବେଳେ କେମିତି ଆଶା କର୍ମୀ ଲୋକଙ୍କ ପାଖକୁ ଆସି ବୁଲି ଯାଉଛନ୍ତି  । ଔଷଧ କିଣିବା ସମ୍ଭବ ହେଉନଥିବାରୁ ଅନେକ ମେଡ଼ିସିନ୍ ଖାଇବା ମଧ୍ୟ ବନ୍ଦ କରିଦେଲେଣି । ରୋଗର କାରଣ ଜଣାପଡ଼ିନଥିବା ବେଳେ ପାଣି ସମସ୍ୟା ଯୋଗୁଁ ରୋଗ ବ୍ୟାପୁଥିବା ଗ୍ରାମବାସୀ ଆଶଙ୍କା କରୁଛନ୍ତି । ଖୁବଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।