କନକ ବ୍ୟୁରୋ: ଟିଭିରୁ ବଲିଉଡ୍ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଖୁସି ମୁଖାର୍ଜୀ ନିଜର ଗ୍ଲାମର ଏବଂ ବୋଲ୍ଡ ଫ୍ୟାସନ୍ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି ।  ଖୁସି ନିକଟରେ ଏକ ସାକ୍ଷାତକାରରେ ଅଭିନୟ ଜଗତରେ କାଷ୍ଟିଂ କାଉଚ୍‌ ସହ ଜଡ଼ିତ ଏକ ଘଟଣା ସେୟାର କରିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

Advertisment

ଖୁସି ମୁଖାର୍ଜୀ ଏକ ସାକ୍ଷାତକାରରେ ଗଣମାଧ୍ୟମକୁ କହିଥିଲେ ଯେ, ସେ ମଧ୍ୟ କାଷ୍ଟିଂ କାଉଚ୍‌ର ଶିକାର ହୋଇଥାନ୍ତି । ସେ କହିଥିଲେ, ଏହି ଘଟଣା ତାଙ୍କ ସହିତ ହାଇଦ୍ରାବାଦରେ ଘଟିଥିଲା ।  ଯେତେବେଳେ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତାଙ୍କୁ ଠକେଇ କରି ଜଣେ ପ୍ରଯୋଜକଙ୍କ ପାଖକୁ ପଠାଇଥିଲେ ଏବଂ ତାଙ୍କୁ ନଜଣାଇ ଏଥିପାଇଁ ପ୍ରଯୋଜକଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରିଥିଲେ ।

କାଷ୍ଟିଂ କାଉଚ୍ ଉପରେ ବଡ଼ ଖୁଲାସା କରି ଖୁସି ମୁଖାର୍ଜୀ କହିଲେ, ନିର୍ଦ୍ଦେଶକ ମୋତେ କହିଥିଲେ ଯେ, ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି ଏବଂ ସେ ମୋତେ ଜଣେ ପ୍ରଯୋଜକଙ୍କ ସହ ପରିଚିତ କରାଇବାକୁ ଚାହୁଛନ୍ତି । କିନ୍ତୁ ପରେ ମୁଁ ଜାଣିଲି ଯେ, ସେ ମୋ ସହ ସାକ୍ଷାତ କରାଇବା ପାଇଁ ସେହି ପ୍ରଯୋଜକଙ୍କଠାରୁ ଏକ ଲକ୍ଷ ଟଙ୍କା ନେଇଛନ୍ତି । ଯେତେବେଳେ ମୁଁ ସେଠାରେ ପହଞ୍ଚିଲି, ପ୍ରଯୋଜକ କହିଲେ, ତୁମକୁ ମୋ ସହିତ ବେଡ୍ ସେୟାର କରିବାକୁ ପଡ଼ିବ । ମୁଁ ତୁରନ୍ତ ମନା କରିଦେଇଥିଲି । ମୁଁ କହିଥିଲି, ମୋ ପାଖରେ ଏ ବିଷୟରେ କୌଣସି ସୂଚନା ନାହିଁ ।


ଖୁସି ମୁଖାର୍ଜୀ ଆହୁରି କହିଛନ୍ତି ଯେ, "ପ୍ରଯୋଜକ ମୋତେ ବାଧ୍ୟ କରିବାକୁ ଚେଷ୍ଟା କରି ନଥିଲେ, କିନ୍ତୁ ସେ ମୋତେ ଫେରିଯିବାକୁ କହିଥିଲେ । ସେ ମୁମ୍ବାଇ ଫେରିବା ପାଇଁ ମୋର ଟିକେଟ୍ ମଧ୍ୟ ବୁକ୍ କରିଥିଲେ । କିନ୍ତୁ ସେହି ସମ୍ପୂର୍ଣ୍ଣ ଅଭିଜ୍ଞତା ମୋତେ ଭିତରୁ ଭାଙ୍ଗି ଦେଇଥିଲା ।"


ଏହି ଖୁଲାସା ପରେ, ଖୁସି ମୁଖାର୍ଜୀଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ସମର୍ଥନ ମିଳୁଛି, ଯଦିଓ ସେ ପୂର୍ବରୁ ଅନେକ ଥର ଟ୍ରୋଲ୍‌ର ଶିକାର ହୋଇଛନ୍ତି । ନିକଟରେ, ତାଙ୍କର ଏକ ବୋଲ୍ଡ ଡ୍ରେସ୍‌କୁ ନେଇ ସୋସିଆଲ ମିଡିଆରେ  ବିବାଦ ସୃଷ୍ଟି ହୋଇଥିଲା । ପାପାରାଜି ତାଙ୍କୁ ସାଇଡ୍ କଟ୍ ଡ୍ରେସ୍ ପିନ୍ଧିଥିବା ସମୟରେ କ୍ୟାମେରାରେ କଏଦ୍ କରିଥିଲା, ଯେଉଁଥି ପାଇଁ ତାଙ୍କୁ ଟ୍ରୋଲ୍ କରାଯାଇଥିଲା ।

ଟିଭି ଅଭିନେତ୍ରୀ ଫଲକ ନାଜ ମଧ୍ୟ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଖୁସିଙ୍କୁ ଭର୍ତ୍ସନା କରିଥିଲେ । ସୂଚନାଯୋଗ୍ୟ, ଖୁସି ଏବଂ ଫଲକଙ୍କ ମଧ୍ୟରେ ବହୁତ ଦିନ ଧରି ଏକ ଶୀତଳ ଯୁଦ୍ଧ ଚାଲିଛି । ତେବେ କାଷ୍ଟିଂ କାଉଚ୍ ନେଇ ସାକ୍ଷାତକାର ମାଧ୍ୟମରେ ଖୁସିଙ୍କ ଏହି ସାହସିକ ପଦକ୍ଷେପ ତାଙ୍କ ପ୍ରଶଂସକ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟରେ ପରିବର୍ତ୍ତନର ଆଶା ସୃଷ୍ଟି କରିଛି ।